ଭୁବନେଶ୍ୱର : ପୁସ୍ତକ ହେଉଛି ଜ୍ଞାନର ଭଣ୍ଡାର । ପୁସ୍ତକକୁ ଭଲ ସାଥୀ ଟିଏ କଲେ ଛାତ୍ରଛାତ୍ରୀ ଜ୍ଞାନୀ, ଗୁଣୀ ଓ ବିଜ୍ଞ ହୋଇ ପାରିବେ । ବର୍ତ୍ତମାନର ଦୃତ ପ୍ରଗତି ଡିଜିଟାଲ ଯୁଗରେ ବିଦ୍ୟାର୍ଥୀମାନେ ଡିଜିଟାଲ ଅଧ୍ୟୟନରେ ଲିପ୍ତ ରହୁଛନ୍ତି । ଏହି କ୍ଷଣସ୍ଥାୟୀ ପ୍ରକ୍ରିୟାରେ କମ୍ ସଂଖ୍ୟକ ସଫଳତା ପାଉଥିଲା ବେଳେ ବହୁ ବିଫଳଗାମୀ ହୋଇ କୁପଥରେ ଯାଉଛନ୍ତି । ତେଣୁ ଡିଜିଟାଲ ପୁସ୍ତକ ଅପେକ୍ଷା ମୁଦ୍ରିତ ପୁସ୍ତକକୁ ଆପଣାର କରିବା ସହିତ ଅଧ୍ୟୟନ ଜାରି ରଖିଲେ ସଫଳତା ନିଶ୍ଚୟ ମିଳିବ ବୋଲି ଆଜି ବିଆଇଟିଏମ କ୍ୟାମ୍ପସ ପରିସରରେ ଅନୁଷ୍ଠିତ ପୁସ୍ତକ ପ୍ରଦର୍ଶନୀରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି ।

ଆଜି ପଟିଆ ସ୍ଥିତ ବିଆଇଟିଏମ କ୍ୟାମ୍ପସ ପରିସରରେ ଗ୍ରନ୍ଥାକାରକ ବୀରକିଶୋର ସେଠୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ପୁସ୍ତକ ପ୍ରଦଶର୍ନୀରେ ବିଶିଷ୍ଟ ଅତିଥି ଭାବେ ଅଧ୍ୟକ୍ଷ ଡା ମିହିର ରଞ୍ଜନ ନାୟକ, ପରାମର୍ଶଦାତା ଇଂ ପି ଆର ପଟ୍ଟନାୟକ, ଡିନ୍ ଡା ଅଶୋକ କୁମାର ରଥ ପ୍ରମୁଖ ଯୋଗଦେଇ ଉଦ୍ଘାଟନ କରିଥିଲେ । ଆଜିର ଦୃତ ଗତିଶୀଳ ଡିଜିଟାଲ ପରିବେଶରେ ମୁଦ୍ରିତ ପୁସ୍ତକର ମହତ୍ୱକୁ ପ୍ରେରଣା ଓ ପ୍ରୋତ୍ସାହିତ କରିବା ପାଇଁ କଲେଜ ପକ୍ଷରୁ ଏହି ଆୟୋଜନ କରାଯାଇଥିଲା । ଏଥିରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଓ ଶିକ୍ଷକ ଯୋଗଦାନ କରିଥିଲେ ।




