banner
Breaking

ଓଡିଶା ଇ-ବିଧାନସଭା ପାଇଲା ପ୍ରଥମ ଜାତୀୟ ବିଧାନସଭାର ଗୌରବ।

0

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ଓଡିଶା ବିଧାନସଭା ଦେଶର ପ୍ରଥମ ଜାତୀୟ ଇ-ବିଧାନସଭା ହେବାର ଗୌରବ ପ୍ରାପ୍ତ ହୋଇଛି। ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଜାତୀୟ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର ଓଡ଼ିଶା ଶାଖା ଓ ଓକାକ୍‌ର ବୈଷୟିକ ସହାୟତା କ୍ରମେ ବିଧାନସଭାରେ ଏହା କାର୍ଯ୍ୟକାରୀ ହୋଇପାରିଛି। ଜାତୀୟ ଇ-ବିଧାନ ଆପ୍ଲିକେସନ ଆପ୍‌ ମାଧ୍ୟମରେ ଷୋଡଶ ବିଧାନସଭାର ଷଷ୍ଠ ଅଧିବେଶନରେ ରାଜ୍ୟପାଳଙ୍କ ବଜେଟ୍‌ ଅଭିଭାଷଣ ଏବଂ ବଜେଟ୍‌ ବିନା କାଗଜରେ ଉପସ୍ଥାପିତ ହୋଇଥିଲା। ଏହାବ୍ୟତୀତ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍‌ ଏଷ୍ଟିମେଟ୍‌, ଅର୍ଥନୈତିକ ସର୍ଭେ ମଧ୍ୟ ଇ-ପୁସ୍ତକ ମାଧ୍ୟମରେ ନେଭା ମୋବାଇଲ୍‌ ଆପ୍‌ ଦ୍ୱାରା ଉପସ୍ଥାପିତ ହୋଇଥିଲା। ବିଧାନସଭା ସଦସ୍ୟମାନଙ୍କ ତାରକା ଓ ଅଣତାରକା ଚିହ୍ନିତ ପ୍ରଶ୍ନ, ବିଧାନସଭାର ଦୈନନ୍ଦିନ କାର୍ଯ୍ୟ ବିବରଣୀ, ବିଭିନ୍ନ କମିଟି ରିପୋର୍ଟ, ପ୍ରଶ୍ନୋତ୍ତର, ବୁଲେଟିନ୍‌ ଇତ୍ୟାଦି ମଧ୍ୟ ନେଭା ଆପ୍‌ ମାଧ୍ୟମରେ ବିଧାନସଭାରେ କାର୍ଯ୍ୟକାରୀ ହେଉଛି। ଓଡ଼ିଶା ବିଧାନସଭା ଏଭଳି ସଫଳତା ଦୃଷ୍ଟିରୁ ଭାରତୀୟ କମ୍ପ୍ୟୁଟର ସୋସାଇଟି ତରଫରୁ ଏହାର କାର୍ଯ୍ୟକାରିତା ସମ୍ପର୍କରେ ସବିଶେଷ ବିବରଣୀ ଅବଗତ ହେବା ପାଇଁ ଏକ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉକ୍ତ ଭର୍ଚୁଆଲ ବୈଠକରେ ଅଧ୍ୟକ୍ଷତା କରି ବିଧାନସଭାର ସମସ୍ତ କାର୍ଯ୍ୟ ବିନା କାଗଜରେ ସୁରୁଖୁରୁରେ ସମ୍ପନ୍ନ ପାଇଁ ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ୧୯୩୭ଠାରୁ ଏ ପର୍ଯ୍ୟନ୍ତ ବିଧାନସଭାରେ ଆଗତ କରାଯାଇଥିବା ସମସ୍ତ ସରକାରୀ ଓ ବେସରକାରୀ ବିଲ ବିଧାନସଭା ଓ୍ବେବସାଇଟ୍‌ରେ ଉପଲବ୍ଧ କରାଯାଇଛି। ବିଧାନସଭାରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ପରେ ସମସ୍ତ ବିବରଣୀ ସାଧାରଣ ଜନତାଙ୍କୁ ମଧ୍ୟ ଜଣାଇବା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଇ-ବିଧାନସଭା କାର୍ଯ୍ୟ ଅତ୍ୟନ୍ତ ଦକ୍ଷତାର ସହିତ ପରିଚାଳିତ ହୋଇଥିବାରୁ ଭାରତୀୟ କମ୍ପ୍ୟୁଟର ସୋସାଇଟି ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଓଡ଼ିଶାର ଇ-ବିଧାନସଭା ପ୍ରୋଜେକ୍ଟ ରିପୋର୍ଟ ସର୍ବଭାରତୀୟ ସ୍ତରରେ ଆଦୃତ ହୋଇଛି। ହିମାଚଳ ପ୍ରଦେଶ, ପଞ୍ଜାବ, ବିହାର ସମେତ ସମସ୍ତ ବିଧାନସଭା ଏହାକୁ ପାଇଲଟ୍‌ ପ୍ରୋଜକ୍ଟ ଭାବେ ଗ୍ରହଣ କରୁଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.