banner
Breaking

କାର୍ଯ୍ୟ ଦିବସ ଥାଇ ଶେଷହେଲା ବିଧାନସଭା।

0

ଭୁବନେଶ୍ବର,୨୮/୧୧ : ଷୋଡଶ ବିଧାନସଭାର ଦ୍ବିତୀୟ ତଥା ଶୀତକାଳୀନ ଅଧିବେଶନ ୧୭ଟି କାର୍ଯ୍ୟଦିବସ ପୂର୍ବରୁ ଶେଷ ହୋଇଛି। ବାଚସ୍ପତି ଡକ୍ଟର ସୂର୍ଯ୍ୟନାରାୟଣ ପାତ୍ର ଗୁରୁବାର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ନଭେମ୍ବର ୧୩ରୁ ଆରମ୍ଭ ହୋଇଥିବା ଶୀତକାଳୀନ ଅଧିବେଶନ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ଆଜି ଷୋଡଶ ବିଧାନସଭାର ଶୀତକାଳୀନ ଅଧିବେଶନର  ୧୩ ତମ କାର୍ଯ୍ୟ ଦିବସ ରହିଥିଲା। କିନ୍ତୁ କାର୍ଯ୍ୟ ଅବଧି ଶେଷ ହୋଇନଥିବା ବେଳେ ଗୁରୁବାର ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଦେଇଛନ୍ତି।

ଷୋଡଶ ବିଧାନସଭାର ଶୀତକାଳୀନ ଅଧିବେଶନର ଆରମ୍ଭରୁ ଗୃହ ବିଭିନ୍ନ ପ୍ରସଙ୍ଗକୁ ନେଇ  ବିରୋଧୀ ସରକାରକୁ ଘେରିଥିଲେ। । ପ୍ରଥମରୁ ସ୍ମିତାରାଣୀ ହତ୍ୟାକାଣ୍ଡକୁ ନେଇ ଉଭୟ ବିରୋଧୀ ବିଜେପି ଏବଂ କଂଗ୍ରେସ ଗୃହରେ ହୋ ହାଲ୍ଲା କରିବା ସହ ସିବିଆଇ ତଦନ୍ତ ଦାବି କରିଥିଲେ। ବିଧାନସଭାରେ  ଟୋକନ ବ୍ୟବସ୍ଥାରେ ଚାଷୀ ଧାନ ବିକ୍ରୀକରିବାକୁ ଭୋଗୁଥିବା ଅବ୍ୟବସ୍ଥା ସହ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି, ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀ, ରାଜ୍ୟରେ ଚିନି କଳର ଦୁରାବସ୍ଥା ଏବଂ ଆଜି ଅଧିବେଶନରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ସରକାରୀ ଧନରେ ଦୁଇ ମହିଳାଙ୍କୁ ନେଇ ହାଇଦ୍ରାବାଦ ଯାଇଥିବା ପ୍ରସଙ୍ଗକୁ ନେଇ ପ୍ରବଳ ହୋ ହାଲ୍ଲା ହୋଇଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ  ଶୂନ୍ୟକାଳରେ ପର୍ଯ୍ୟଟନ ମନ୍ତ୍ରୀ ଗୃହରେ ଜବାବ୍ ଦେବାପାଇଁ ପ୍ରଶ୍ନ କରିଥିଲେ।

ଚଳିତ ବିଧାନସଭାରେ ମୋଟ୍ ୧୩ ଟି କାର୍ଯ୍ୟଦିବସରେ ଗୃହର ବୈଠକ ବସିଥିଲା।  ଏଥିରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବା ସହ ମୋଟ ୪ ଟି ବିଲ୍ ପାସ ହୋଇଛି। ଗୁରୁବାର ବିଧାନସଭାରେ ସରକାରୀ ଦଳ ମୁଖ୍ୟ ସଚେତକ ଗୃହରେ  ଆଉ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟଦିବସ ନଥିବାରୁ ଗୃହକୁ ମୁଲତବୀ କରିବାପାଇଁ ମୋସନ ଆଣିଥିଲେ। କିନ୍ତୁ ମୋସନକୁ ବିରୋଧ କରି ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ଶେଷରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.