banner
Breaking

ସାମ୍ବାଦିକ ସୁରକ୍ଷା ପାଇଁ ସବୁଦଳ ଉଠାଇଲେ ସ୍ବର।

0

ଭୁବନେଶ୍ୱର,୧୯ା୧୧(ଓଡ଼ିଆ ନ୍ୟୁଜ): ରାଜ୍ୟରେ ସାମ୍ବାଦିକମାନେ ସୁରକ୍ଷିତ ନୁହନ୍ତି। ଅନେକ ସମୟରେ ସାମ୍ବାଦିକମାନଙ୍କୁ ଆକ୍ରମଣର ଶିକାର ହେବାକୁ ପଡୁଛି। ତେଣୁ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସରକାର ଏକ ସୁରକ୍ଷା ଆଇନ ଆଣନ୍ତୁ ବୋଲି ଉଭୟ ଶାସକ ଏବଂ ବିରୋଧୀ ଦଳର ସଦସ୍ୟମାନେ ଦାବି କରିଛନ୍ତି। ସୋମବାର ବିଧାନସଭା ଅଧିବେଶନ ଦ୍ୱିତୀୟ ଭାଗ ଅପରାହ୍ନ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ଉଭୟ ଶାସକ ଏବଂ ବିରୋଧୀ ସାମ୍ବାଦିକ ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ। ଭାଜପା ସଦସ୍ୟମାନେ ଗୃହରେ ଉପସ୍ଥିତ ନ ଥିବାବେଳେ ସରକାରୀ ଦଳ ଏବଂ କଂଗ୍ରେସ ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଅନେକ ସମୟରେ କର୍ତ୍ତବ୍ୟରତ ସାମ୍ବାଦିକମାନେ ଆକ୍ରମଣର ଶିକାର ହେଉଛନ୍ତି। ଏପରି କି ଜନ ପ୍ରତିନିଧିମାନେ ମଧ୍ୟ ଦୁର୍ବ୍ୟବହାର କରୁଛନ୍ତି। ସେମାନଙ୍କ ଧନ ଜୀବନ ପ୍ରତି ବିପଦ ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସାମ୍ବାଦିକ ସୁରକ୍ଷା ନେଇ ରହିଥିବା ନିୟମକୁ ପରିବର୍ତ୍ତନ କରାଯାଇ ନୂଆ ନିୟମ ଆଣାଯାଉ। ସାମ୍ବାଦିକମାନଙ୍କ ସୁରକ୍ଷା ଲାଗି ମହାରାଷ୍ଟ୍ର ସରକାର ଆଇନ କରିଛନ୍ତି। ଓଡିଶାରେ ସାମ୍ବାଦିକମାନଙ୍କ ପାଇଁ ମଧ୍ୟ ସମାନ ବ୍ୟବସ୍ଥା କରାଯାଉ ବୋଲି ନରସିଂହ କହିଛନ୍ତି। ସେହିପରି କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ମହାରାଷ୍ଟ୍ରରେ ଯେପରି ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରାଯାଇଛି ସେହିପରି ଓଡିଶାରେ ମଧ୍ୟ ଲାଗୁ ହେଉ। ସାମ୍ବାଦିକଙ୍କ ଲାଗି ମାତ୍ର ୨ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା ରହିଛି। ସେମାନଙ୍କୁ ଦରମା ଏବଂ ପେନ୍‌ସନ ବ୍ୟବସ୍ଥା କରିବା ଦରକାର। ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ବୃଦ୍ଧି କରାଯାଉ ବୋଲି ସାଲୁଜା କହିଛନ୍ତି। ସେହିଭଳି ସରକାରୀ ଦଳର ସଦସ୍ୟ ପ୍ରଫୁଲ ସାମଲ କହିଛନ୍ତି, ସରକାର ସମସ୍ତଙ୍କ ପାଇଁ ବହୁତ କିଛି କରୁଛନ୍ତି ସାମ୍ବାଦିକମାନଙ୍କ ଚିହ୍ନଟ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରୁନାହିଁ, ଯେଉଁଥିଲାଗି ସାମ୍ବାଦିକମାନେ ଜଣାପଡୁନାହାନ୍ତି। ସେମାନଙ୍କୁ ସୁରକ୍ଷା ସହିତ ସର୍ବନିମ୍ନ ସୁବିଧା ଯୋଗାଇ ଦେବା ଦରକାର। ଶ୍ରମ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ସାମ୍ବାଦିକଙ୍କୁ ଚିହ୍ନଟ କରାଯିବା ଦରକାର। ବାଚସ୍ପତି ମଧ୍ୟ ନିଜେ ଜଣେ ସାମ୍ବାଦିକ। ତେଣୁ ସାମ୍ବାଦିକମାନଙ୍କ ଲାଗି ଆମେ ସମସ୍ତେ ଯତ୍ନବାନ ହେବା ଦରକାର। ଗ୍ରାମାଞ୍ଚଳ ସାମ୍ବାଦିକଙ୍କ ପାଇଁ କୌଣସି ସୁବିଧା ଓ ସୁଯୋଗ ନାହିଁ। ସାମ୍ବାଦିକଙ୍କ ଲାଗି ସରକାର ଯତ୍ନବାନ ହେବା ଦରକାର ବୋଲି ପ୍ରଫୁଲ କହିଛନ୍ତି। କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ କହିଛନ୍ତି, ଓଡିଶାର ସାମ୍ବାଦିକମାନେ ବହୁତ ଦୁଃଖରେ ଅଛନ୍ତି। ସେମାନଙ୍କୁ ବାଡେଇଲେ ସୁରକ୍ଷା ଦେବା ପାଇଁ କେହି ନାହାନ୍ତି। ସାମ୍ବାଦିକଙ୍କୁ ଘର ସହ ଦରମା ଦେବା ଆବଶ୍ୟକ ବୋଲି ସୁର ରାଉତରାୟ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.