banner
Breaking

ଆଜି ପୁଣି ବିଧାନସଭା ଅଚଳ, ଅଧାରୁ ସରିଯିବ କି?

0

ଭୁବନେଶ୍ୱର,୬/୧୩(ଓଡ଼ିଆ ନ୍ୟୁଜ): ବିଧାନସଭାର ଶୀତକାଳୀନ ଅଧିବେଶନ ଗତ ପାଞ୍ଚ ଦିନ ମଧ୍ୟରେ ଗୋଟିଏ ଦିନ ବି ଗୃହରେ କିଛି ଆଲୋଚନା ହୋଇ ନାହିଁ। ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଅଟଳ ରହି ହୋହାଲ୍କା କରିବା ଦ୍ବାରା ଗୃହ ମୁଲତବୀ ଘୋଷଣା ହେଉଛି।
ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ବିବୃତି ରଖିଥିଲେ ମଧ୍ୟ ତାହା ବିରୋଧୀଙ୍କୁ ଶାନ୍ତ କରିବା ବଦଳରେ ଅଧିକ ତତାଇ ଦେଇଛି। ସେମାନେ ନିଜ ପ୍ରତିବାଦକୁ ନୂଆ ନୂଆ ତରିକାରେ ଆହୁରି ଜୋର୍‌ଦାର କରିଛନ୍ତି।
ସୋମବାର ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ମମିତା ପ୍ରସଙ୍ଗରେ ବିରୋଧୀଙ୍କ ହୋହାଲ୍ଲା ଓ ପ୍ରତିବାଦ ଜାରି ରହିଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଗୃହର ମଧ୍ୟଭାଗରେ ବିଜେପି ସଦସ୍ୟ ନାରାବାଜି କରିଥିବା ବେଳେ କଂଗ୍ରେସ ବିଧାୟକ ବାଚସ୍ପତିଙ୍କ ପୋଡିୟମକୁ ଘେରି ରହିଥିଲେ । ଯାହା ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।
ଅନ୍ୟପଟେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ଗୃହରେ ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ । ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ନ ମିଳିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ବର୍ଷିଛନ୍ତି । ଗୃହରେ ପ୍ରତିବାଦ ପରେ ବିଧାନସଭାରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେଡି ବିଧାୟକ ।  ଆଉ ବାରମ୍ବାର ହଟ୍ଟଗୋଳ କାରଣରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ।
ବିଧାନସଭା ଆରମ୍ଭରୁ ହିଁ ଗୃହ ସ୍ୱାଭାବିକ ଭାବେ ଚାଲିପାରୁନି । ତେଣୁ ରାଜ୍ୟର ଅନେକ ସମସ୍ୟା ଗୃହରେ ଆଲୋଚନା ହୋଇପାରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ବିଧାନସଭାର ପ୍ରଥମ ଦିନ ପୂର୍ବତନ ଉପବାଚସ୍ପତି ସ୍ବର୍ଗତ ପ୍ରହ୍ଲାଦ ଦୋରାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଥମାର୍ଦ୍ଧରେ ଗୃହ ମୁଲତବୀ ରହିଲା। ଦ୍ବିତୀୟାର୍ଦ୍ଧରେ ହୋହଲ୍ଲା ଭିତରେ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେଲା। ପରବର୍ତ୍ତୀ ତିନି ଦିନ ଆଦୌ ଗୃହ କାର୍ଯ୍ୟ ସମ୍ଭବ ହୋଇନାହିଁ। ଦିନକୁ ୫ ଘଣ୍ଟା ଲେଖାଏ ଗୃହ କାର୍ଯ୍ୟ କରିବାକୁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା। ତେବେ ତିନି ଦିନରେ ୧୫ ଘଣ୍ଟା ଗୃହ କାର୍ଯ୍ୟ ବଦଳରେ ହୋଇଛି ମାତ୍ର ୨୭ ମିନିଟ୍। ସେତିକି ସମୟ କେବଳ ହୋହଲ୍ଲା ହିଁ ହୋଇଛି। ମୋଟ୍ ଉପରେ ଚାରିଦିନରେ ୫୨ ମିନିଟ୍ ଗୃହ ଚାଲିଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ବିଧାନସଭା ଅଧିବେଶନ ବସୁଥିଲା ବେଳେ ଗୃହ ଭିତରେ ଏପରି ଅଚଳାବସ୍ଥାକୁ ବୁଦ୍ଧିଜୀବୀ ମହଲରେ ବିସ୍ମୟ ପ୍ରକାଶ ପାଇଛି।

ବିଧାନସଭା ବାହାରେ ଶାସକ ଓ ବିରୋଧୀ ଏମିତି ପରସ୍ପରକୁ ଦୋଷ ଠେଲୁଛନ୍ତି । କିନ୍ତୁ ଗୃହକୁ ସ୍ବାଭାବିକ ସ୍ଥିତିକୁ ଫେରାଇ ଆଣିବା ପାଇଁ କୌଣସି ସ୍ତରରେ ଏ ଯାଏ ଉଦ୍ୟମ ହୋଇ ନାହିଁ ।
ଶାସକ ଦଳ ବିଜେଡି କହୁଛି, ‘ବିଧାନସଭା ଗୃହରେ ସବୁପ୍ରକାର ଆଲୋଚନା ପାଇଁ ଆମେ ପ୍ରସ୍ତୁତ ଅଛୁ । ବିରୋଧୀ ଦଳ ନାଟକ ଛାଡ଼ି ଆଲୋଚନାକୁ ଆସନ୍ତୁ । ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ କହୁଛନ୍ତି, ଆମେ ଆଲୋଚନା କରିବା ପାଇଁ ଚାହୁଁଛୁ । ଶାସକ ଦଳ ଆଲୋଚନାକୁ ଡରୁଥିବାରୁ ଗୃହରେ ସ୍ବାଭାବିକ ସ୍ଥିତି ଆଣିବାକୁ ଉଦ୍ୟମ କରୁ ନାହିଁ ।

ଗୃହରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ଠୋସ୍ ଉଦ୍ୟମ ହେଉ ନ ଥିବା ଲକ୍ଷ୍ୟ କରାଯାଉଛି । ଗୃହରେ ଲଗାତାର ଅଚଳାବସ୍ଥା ଜାରି ରହିଲେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ନିଷ୍କର୍ସ ବାହାର କରିବାକୁ ଉଦ୍ୟମ କରନ୍ତି । ଗତ ମୌସୁମୀ ଅଧିବେଶନରେ ମଧ୍ୟ ଏପରି ହୋଇଥିଲା । କିନ୍ତୁ ଚଳିତ ଅଧିବେଶନରେ ଚାରି ଦିନ ହେଲା ଅଚଳାବସ୍ଥା ଲାଗି ରହିଥିଲେ ମଧ୍ୟ ସର୍ବଦଳୀୟ ବୈଠକ ଡକାଯାଉନି । ତେଣୁ ଗୃହ ସ୍ବାଭାବିକ ସ୍ଥିତିକୁ ଫେରିବା ସମ୍ଭାବନା କମ୍ । ଶୀତ ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏ ଚାଲିବାକୁ ଥିଲେ ମଧ୍ୟ ତାହା ଶେଷ ପର୍ଯ୍ୟନ୍ତ ଚାଲିବା ନେଇ ସନ୍ଦେହ ରହିଛି । ୧୦ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ପାରିତ ହେଲା ପରେ ଅଧିବେଶନକୁ ଯେ କୌଣସି ସମୟରେ ବନ୍ଦ କରିଦିଆଯାଇପାରେ । ଅତୀତରେ ମଧ୍ୟ ଏହାର ଦୃଷ୍ଟାନ୍ତ ରହିଛି । ବର୍ତ୍ତମାନର ଅଚଳାବସ୍ଥା ଓ ଶାସକ ଦଳର ଆଭିମୁଖ୍ୟ ଦେଖିଲେ ଅଧିବେଶନ ଅଧାରୁ ବନ୍ଦ ହେବାର ସମ୍ଭାବନା ଜଳ ଜଳ ଦେଖାଯାଉଛି ।

Khansweb Solution Bhubaneswar

Leave A Reply

Your email address will not be published.