banner
Breaking

ଆରମ୍ଭ ହେଲା ଷୋଡ଼ଶ ବିଧାନସଭା ଅଧିବେଶନ।

0

ଭୁବନେଶ୍ୱର,୧୩।୧୧(ଓଡ଼ିଆ ନ୍ୟୁଜ):ଷୋଡଶ ବିଧାନସଭାର ଦ୍ୱିତୀୟ ତଥା ଶୀତ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେଉଛି। ଏହା ଡିସେମ୍ବର ୧୯ ଯାଏ ଚାଲିବ। ଏଥିରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ସେଥିରୁ ୨୫ଟି ସରକାରୀ ଓ ୫ଟି ବେସରକାରୀ କାର୍ଯ୍ୟ ଦିବସ। ପ୍ରଥମ ଦିବସରେ ବିଧାନସଭାର ଅନୁମୋଦନ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ କରାଯିବ। ନଭେମ୍ବର ୨୦ରୁ ୨୨ ଯାଏ ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ। ୨୩ ଓ ୨୪ ତାରିଖ ଦୁଇଦିନ ବିଧାନସଭା ବନ୍ଦ ରହିବ। ୨୫ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍‌ ଗୃହରେ ଅନୁମୋଦନ ଲାଭ କରିବ।
ଏହି ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ମଧ୍ୟ ଆଗତ ହେବାର କାର୍ଯ୍ୟକ୍ରମ ରହିଛି। ପୌର ନିର୍ବାଚନ ପାଇଁ ସ୍ଥାନ ସଂରକ୍ଷଣ ସଂଶୋଧନ ବିଲ୍‌ ବିଧାନସଭାରେ ଆଗତ ହେବ ବୋଲି ଜଣାପଡ଼ିଛି। ପ୍ରଥମ ଦିବସ ହୋଇଥିବାରୁ ବିଧାନସଭା ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ। ତେବେ ପ୍ରଥମ ଥର ଲାଗି ବିଧାନସଭାର ସମସ୍ତ କାର୍ଯ୍ୟାବଳୀ କାଗଜବିହୀନ (ପେପର ଲେସ୍‌) କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ବିଧାୟକମାନେ ସେମାନଙ୍କ ପ୍ରଶ୍ନ ଏବଂ ଉତ୍ତର ମୋବାଇଲ ଆପ ଜରିଆରେ ପାଇପାରିବେ।
ବିଧାନସଭା ଆରମ୍ଭ ହେଉଥିଲେ ମଧ୍ୟ ଭାଜପା କିମ୍ବା ବିଜେଡି ମଙ୍ଗଳବାର ବିଧାୟକ ଦଳ ବୈଠକ ଡାକିନାହାନ୍ତି। ୧୩ ତାରିଖ ସକାଳ ୧୦ଟାରେ ବିଜେଡି ଓ ଭାଜପା ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ଅନେକ ପ୍ରସଙ୍ଗ ରହିଛି। ନାରୀ ସୁରକ୍ଷାଠାରୁ ଆରମ୍ଭକରି ପିସି କାରବାର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ଆଇନଶୃଙ୍ଖଳା, ବାତ୍ୟା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ, ପାନୀୟ ଜଳ, ଚାଷୀ ସମସ୍ୟା ଭଳି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି। ମଙ୍ଗଳବାର ଅପରାହ୍ନରେ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ସରକାରଙ୍କ କାର୍ଯ୍ୟକ୍ରମକୁ ବିରୋଧ କରାଯାଉଥିବା ସମସ୍ତ ପ୍ରସଙ୍ଗ ସହିତ ୫-ଟି କାର୍ଯ୍ୟକ୍ରମକୁ ମଧ୍ୟ ବିଧାନସଭାରେ ଉଠାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ଭାଜପା ଓ କଂଗ୍ରେସ ରାସ୍ତାକୁ ଓହ୍ଲାଇଥିଲେ। ଏହି ପ୍ରସଙ୍ଗକୁ ନେଇ ଭାଜପା ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି। ଏଥିସହିତ ଚାଷୀ, ବେକାରି ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତିକୁ ମଧ୍ୟ ବିଧାନସଭାରେ ଭାଜପା ଉଠାଇବା ନେଇ ସୂଚନା ମିଳିଛି।

Khansweb Solution Bhubaneswar

Leave A Reply

Your email address will not be published.