banner
Breaking

କାଲିଠାରୁ ବିଧାନସଭା। ଆଜି ସର୍ବଦଳୀୟ ବୈଠକ।

ବିରୋଧୀଙ୍କ ପାଖରେ ମାଳମାଳ ପ୍ରଶ୍ନ

0

ଭୁବନେଶ୍ବର,୧୩/୨(ଓଡ଼ିଆ ନ୍ୟୁଜ) : ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ମାସ ୧୮ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଏହି ଷୋଡ଼ଶ ବିଧାନସଭାର ତୃତୀୟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୩୧ ଦିନ ଧରି ଚାଲିବାକୁ ଥିବାବେଳେ ବଜେଟ ଅଧିବେଶନ କାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ବିରୋଧୀ ଓ ଶାସକ ଦଳ ମଧ୍ୟରେ ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଏହା ପୂର୍ବରୁ ଗୁରୁବାର ଅପରାହ୍ନରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଛନ୍ତି। ଗୃହ କାର୍ଯ୍ୟ କିଭଳି ସୁରୁଖୁରୁରେ ଚାଲିବ ସେଥିପାଇଁ ବାଚସ୍ପତି ସବୁ ଦଳର ସହଯୋଗ ଲୋଡ଼ିଛନ୍ତି।
ଆଜି ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବାବେଳେ ପୃଥକ ଭାବେ ବିଜେପି ଏବଂ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
ଏଥର ବଜେଟ ଆକାର ଦେଢ଼ ଲକ୍ଷ କୋଟି ଟପିବ ବୋଲି ଜଣାପଡ଼ିଛି। ଚଳିତ ଆର୍ଥିକ ବର୍ଷରେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ରାଜସ୍ବ ସଂଗ୍ରହ ସେତେଟା ଆଖିଦୃଶିଆ ହୋଇପାରିନି। ଇତିମଧ୍ୟରେ ରାଜ୍ୟ ସରକାର ବହୁ ଯୋଜନା ଘୋଷଣା କରିସାରିଲେଣି। ସେସବୁ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଏତେ ପରିମାଣର ସମ୍ବଳ କେଉଁଠୁ ଯୋଗାଡ଼ କରିବେ ସେ ନେଇ ମଧ୍ୟ ବିରୋଧୀ ପ୍ରଶ୍ନ ଉଠାଇପାରନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ ଏଥର ବିଧାନସଭାରେ ଗୃହରେ ଜନସ୍ବାର୍ଥ ସମ୍ବଳିତ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଦଳ ପକ୍ଷରୁ ଉଠାଯିବାକୁ ସ୍ଥିର ହୋଇଛି।

ଧାନର ଅଭାବୀ ବିକ୍ରିଠାରୁ ଆରମ୍ଭ କରି ବେକାରୀ, ଆଇନଶୃଙ୍ଖଳା, ଶିକ୍ଷା, କୃଷି ଭଳି ସାମାଜିକ କ୍ଷେତ୍ରରେ ସରକାରଙ୍କ ଅବହେଳାକୁ ଆଗାମୀ ଅଧିବେଶନରେ ପ୍ରମୁଖ ପ୍ରସଙ୍ଗ କରାଯିବ। ଶ୍ରୀ ନାୟକ କହିଥିଲେ ଯେ ରାଜ୍ୟ ସରକାର ଧାନ ସଂଗ୍ରହ ପାଇଁ ପ୍ରଚଳନ କରିଥିବା ଟୋକନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଛି। ଚାଷୀ ହନ୍ତସନ୍ତ ହେଉଛନ୍ତି। ମିଲର ଏହାର ଫାଇଦା ନେଇ ମା​‌ଲେମାଲ ହେଉଛି। ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ନାରୀ ନିର୍ଯାତନା ବୃଦ୍ଧି ପାଇଛି। ରାଜଧାନୀ ଭୁବନେଶ୍ବରଠାରୁ ଆରମ୍ଭ କରି ବିଭିନ୍ନ ଜିଲାରେ ଆଇନଶୃଙ୍ଖଳା ସମସ୍ୟା ଉପୁଜୁଛି। ସରକାର ଖାଲି ଲୋକଦେଖାଣିଆ କାର୍ଯ୍ୟକ୍ରମ ଘୋଷଣାରେ ବ୍ୟସ୍ତ ଅଛନ୍ତି। ବେକାରୀ ସମସ୍ୟା ଦିନକୁ ଦିନ ଉତ୍କଟ ରୂପ ନେଉଛି।

ସେପଟେ ରାଜ୍ୟର ବିଭିନ୍ନ ବିଭାଗରେ ଲକ୍ଷାଧିକ ପଦ ଖାଲିପଡ଼ିଛି। ସେସବୁ ପୂରଣ ପାଇଁ ସରକାରଙ୍କ କୌଣସି ଯୋଜନା ନାହିଁ। ରାଜ୍ୟ ସରକାର ଖାଲି ୫-ଟି ଓ ମୋ ସରକାର ଆଳରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। କାଳିଆ ଯୋଜନା ଫେଲ ମାରିଲାଣି। ରାଜ୍ୟର ସ୍ବାସ୍ଥ୍ୟସେବା ବିଗିଡ଼ିଗଲାଣି। ଅଧିକାଂଶ ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ପାରାମେଡ଼ିକାଲ ଷ୍ଟାଫ ମଧ୍ୟ ନିଯୁକ୍ତି ହେଉନାହିଁ। ଶିକ୍ଷକ ଦରମା ପାଉନାହାନ୍ତି। ଅଧିକାଂଶ ବିଦ୍ୟାଳୟରେ ତାଲିମପ୍ରାପ୍ତ ଶିକ୍ଷକ ନାହାନ୍ତି। ରାଜ୍ୟର ଅର୍ଦ୍ଧାଧିକ ଜିଲାରେ ପିଇବା ପାଣି ସମସ୍ୟା ଲାଗିରହିଛି। କଳାହାଣ୍ଡି, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା ଆଦି ଜିଲାରେ ବହୁ ଲୋକ ପିଇବା ପାଣି ପାଉନାହାନ୍ତି। ଅଧିକାଂଶ ଗାଁକୁ ରାସ୍ତା ନାହିଁ। ଶିକ୍ଷା, ପାନୀୟଜଳ , ଗମନାଗମନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଦ୍ୟାଳୟକୁ ଯୋଗାଇ ଦିଆଯାଇଥିବା କଂପ୍ୟୁଟର ଅଚଳ ହେଲାଣି, ହେଲେ ଶିକ୍ଷକ ନିଯୁକ୍ତି ହେଉନାହିଁ। ସରକାର ଖାଲି ମୂଲଚାଲ ରାଜନୀତିରେ ବ୍ୟସ୍ତ ଅଛନ୍ତି। ସପ୍ତମ ​‌ବେତନ କମିଶନ ସବୁ ଚାକିରିଆ ପାଉନାହାନ୍ତି। ଶିକ୍ଷକ ୨୧ ମାସର ଦରମା ପାଇନାହାନ୍ତି। ଏସବୁ ପ୍ରସଙ୍ଗରେ ଆମେ ସରକାରଙ୍କଠାରୁ ଜବାବ ମାଗିବୁ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ ସୂଚନା ଅଧିକାର କର୍ମୀଙ୍କ ହତ୍ୟା, ନାରୀ ନିର୍ଯାତନା, ବିଦ୍ୟୁତ୍ ଦୁର୍ଘଟଣା, ବିଜେଡ଼ି-ବିଜେପି ମିଶି ରାଜ୍ୟକୁ ଧୋକା ଦେବା , ଅଭାବୀ ଧାନ ବିକ୍ରି ନେଇ ଦେଖାଦେଇଥିବା ସମସ୍ୟା ସହିତ ରାଜ୍ୟର ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠିବ।
ଅନ୍ୟ ପକ୍ଷରେ ବିରୋଧୀଙ୍କ ଜବାବ ଦେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି। ତେବେ ବିରୋଧୀ ସେମାନଙ୍କ ଦାବି ନେଇ ସରକାରଙ୍କୁ ଘେରିବା ପାଇଁ ଉଦ୍ୟମ ଚଳାଇ ଥିବାବେଳେ ଶାସକ ଦଳ ପକ୍ଷରୁ କେନ୍ଦ୍ରୀୟ ଅନୁଦାନ ହ୍ରାସ, ରେଳ ବଜେଟରେ ଅବହେଳା, କୋଇଲା ରୟାଲଟି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଗୃହରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

Khansweb Solution Bhubaneswar

Leave A Reply

Your email address will not be published.