banner
Breaking

ଭୁବନେଶ୍ୱର କରୋନା ମୁକାବିଲା ପାଇଁ ନୂଆ ପଦକ୍ଷେପ।

ଘରଘର ବୁଲିବ ଟିମ୍, ଲାଗିବ ଗଞ୍ଜାମ ମଡେଲ

0

ଭୁବନେଶ୍ୱର,୧୧/୯(ଓଡ଼ିଆ ନ୍ୟୁଜ): ରାଜ୍ୟ ସରକାରଙ୍କ ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ କରୋନା ଉପରେ ନିୟନ୍ତ୍ରଣ ଆସିପାରୁ ନାହିଁ। ସଂକ୍ରମଣକୁ ରୋକିବା ଦିଗରେ ସରକାର ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ କହୁଛନ୍ତି, ନିୟମ ପାଳନ ପାଇଁ ନିବେଦନ କରୁଛନ୍ତି; କିନ୍ତୁ ସମସ୍ତଙ୍କ ଉପରେ ତାହାର ପ୍ରଭାବ ପଡ଼ୁଥିବା ଦେଖିବାକୁ ମିଳୁନାହିଁ। ଓଡ଼ିଶାରେ ସଂକ୍ରମଣ କମିବା ବଦଳରେ ବଢ଼ିବାରେ ଲାଗିଛି। ଶୁକ୍ରବାର ପୁଣି ଥରେ ରେକର୍ଡ ସଂଖ୍ୟକ ୩,୯୯୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏହା ସର୍ବାଧିକ ଦୈନିକ ସଂକ୍ରମଣର ଏକ ରେକର୍ଡ। ଆଜିର ନୂତନ ସଂକ୍ରମଣ ୧୪ ଜିଲାରେ ଶତକ କରିଛି। ଖୋର୍ଦ୍ଧା ଓ କଟକ ପରେ ପୁରୀରେ ସଂକ୍ରମିତଙ୍କ ସଂଖ୍ୟା ଏବେ ହୁ ହୁ ହୋଇ ବଢ଼ିବାରେ ଲାଗିଛି।
ଅନ୍ୟପକ୍ଷରେ କେତେକ ବୃହତ ରାଜ୍ୟରେ ଲକ୍ଷଣଯୁକ୍ତ ମାମଲା ଗୁଡିକ ରାପିଡ୍‌ ଆଣ୍ଟିଜେନ​‌‌ ଟେଷ୍ଟରେ ନେଗେଟିଭ ଆସିବା ସ​‌​‌ତ୍ତେ​‌ ତାହାର ଆରଟି-ପିସିଆର ପରୀକ୍ଷା ନହେଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନଜରକୁ ଆସିଛି। ତେଣୁ ଆଇସିଏମଆରର ନିୟମାବଳୀ ଅନୁସାରେ ଜ୍ବର, କଫ ଓ ନିଃଶ୍ବାସ-ପ୍ରଶ୍ବାସ ଜନିତ ଅସୁବିଧା ଥାଇ ରାପିଡ଼ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ବାହାରିବା ଏବଂ ରାପିଡ଼ ଆଣ୍ଟିଜେନ ପରୀକ୍ଷା ଦ୍ବାରା ଲକ୍ଷଣ ବିହୀନ ନେଗେଟିଭ ମାମଲା ଥିବା ସତ୍ବେ ଦୁଇତିନି ଦିନ ପରେ ମଧ୍ୟରେ ଲକ୍ଷଣ ପ୍ରକାଶ ପାଇ ନେଗେଟିଭ ହୋଇଥିବା ମାମଲା ଗୁଡ଼ିକର ଆରଟିପିସିଆର ପରୀକ୍ଷା କରିବାକୁ ସବୁ ରାଜ୍ୟକୁ ପରାମର୍ଶ ଦେଇଛି କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଆଇସିଏମଆର ମିଳିତ ଭାବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପତ୍ର ଲେଖି ରାପିଡ଼ ଆଣ୍ଟିଜେନ ଟେଷ୍ଟ ଦ୍ବାରା ସମସ୍ତ ଲକ୍ଷଣ ଥିବା ସତ୍ତ୍ୱେ ନେଗେଟିଭ ବାହାରିଥିବା ସମସ୍ତ ବ୍ୟକ୍ତିଙ୍କ ଆରଟିପିସିଆର ଟେଷ୍ଟ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଲକ୍ଷଣଯୁକ୍ତ ମାମଲା ଗୁଡିକ ଯେପରି ବିନା ପରୀକ୍ଷାରେ ରହି ଆଉ କାହାକୁ ସଂକ୍ରମିତ ନ କରନ୍ତି ତାହାକୁ ଦୃଷ୍ଟିରେ ରଖି ଏହା କରାଯାଇଛି। ଏହାଫଳରେ ସଅଳ ଚିହ୍ନଟ, ଏକାନ୍ତବାସ ଓ ହସ୍ପିଟାଲରେ ଭର୍ତ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ। ଯେତେବେଳେ ସଂକ୍ରମଣ ଅଧିକରୁ ଅଧିକ ହେଉଥାଏ ତାହାକୁ ଶୀଘ୍ର ଠାବ କରିବା ପାଇଁ ରାପିଡ଼ ଆଣ୍ଟିଜେନ ଟେଷ୍ଟ କରାଯାଉଥିଲେ ମଧ୍ୟ ଆରଟିପିସିଆର ସବୁବେଳେ କୋଭିଡ ପରୀକ୍ଷାର ଶ୍ରେଷ୍ଠ ଉପାୟ ବୋଲି ବିବେଚନା କରାଯାଉଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏସବୁ ମାମଲା ଗୁଡିକ ଯାଞ୍ଚ କରିବା ପାଇଁ ଉଭୟ ଜିଲ୍ଲା ଓ ରାଜ୍ୟ ସ୍ତରରେ ନିର୍ଦ୍ଦିଷ୍ଟ ଅଧିକାରୀ ବା ଏକ ଗ୍ରୁପ ଗଠନ କରିବାକୁ ପରାମର୍ଶ ଦେଇଛି। ଏହି ଟିମ୍‌ ଗୁଡିକ ପ୍ରତିଦିନ ଜିଲ୍ଲା ଓ ରାଜ୍ୟରେ ହେଉଥିବା ରାପିଡ଼ ଆଣ୍ଟିଜେନ ପରୀକ୍ଷା ଗୁଡିକର ବିଶ୍ଳେଷଣ କରି ସମସ୍ତ ଲକ୍ଷଣଯୁକ୍ତ ନେଗେଟିଭ ମାମଲାଗୁଡିକର ଆରଟିପିସିଆର ଟେଷ୍ଟ ସୁନିଶ୍ଚିତ କରିବେ। ଯେପରି କୌଣସି ପଜିଟିଭ ମାମଲା ବାଦ ନପଡେ ତାହା ଦେଖିବା ଦାୟିତ୍ବ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଉପରେ ନ୍ୟସ୍ତ ହୋଇଛି। ସେମାନଙ୍କୁ ନିୟମିତ ଭାବେ କରାଯାଉଥିବା ଆରଟିପିସିଆର ପରୀକ୍ଷାର ପଜିଟିଭ ମାମଲାଗୁଡିକୁ ବିଶ୍ଳେଷଣ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

ଭୁବନେଶ୍ୱରରେ ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ରଣନୀତି ଆପଣେଇବା ପାଇଁ ବିଏମ୍‍ସି ଯୋଜନା କରିଛି। ମହାନଗର ଅଞ୍ଚଳରେ ବ୍ୟାପକ ସ୍ୱାସ୍ଥ୍ୟ ସର୍ଭେ ନିମନ୍ତେ ୫୬୫ ରାପିଡ୍‍ ରେସ୍ପନ୍ସ ଟିମ୍‍ ଗଠନ ହୋଇଛି। ଉକ୍ତ ଟିମ୍‍ ସର୍ବାଧିକ ସଂକ୍ରମଣ କଲୋନୀ ସହ ବସ୍ତି ଅଞ୍ଚଳରେ ଘର ଘର ବୁଲି ସର୍ଭେ କରିବେ। ଏହାସହ ଯେଉଁ ମାନଙ୍କ ଲକ୍ଷଣ ଜଣାପଡ଼ିବ ସେମାନଙ୍କୁ କୋଭିଡ୍‍ ପରୀକ୍ଷା ପାଇଁ ପରାମର୍ଶ ଦେବେ। ଜ୍ୱର, ଥଣ୍ଡା, କାଶ ଆଦି ହେଉଥିଲେ ୨୪ ଘଣ୍ଟିଆ ନିଃଶୁଳ୍କ ସହାୟତା ନମ୍ବର ୧୯୨୯କୁ ଯୋଗାଯୋଗ କରିବାକୁ ସଚେତନ କରିବେ। ୨ ହଜାରରୁ ଊର୍ଦ୍ଧ୍ବ ଲକ୍ଷଣବିହୀନ ଆକ୍ରାନ୍ତ ଗୃହ ଏକାନ୍ତବାସରେ ରହି ଚିକିତ୍ସିତ ହେଉଥିବାରୁ ସେମାନଙ୍କ ବର୍ଜ୍ୟ କଲୋନୀ ବାହାରେ ପଡ଼ୁଛି। ଏଥିରେ ସଂକ୍ରମଣ ଆଶଙ୍କା ରହିଥିବାରୁ ଘର ଘର ବୁଲି କରୋନା ଆକ୍ରାନ୍ତଙ୍କ ଜୈବିକ ଭେଷଜ ବର୍ଜ୍ୟ ସଂଗ୍ରହ କରିବାକୁ ବିଏମ୍‍ସି ପଦକ୍ଷେପ ନେଇଛି। କୋଭିଡ୍‍ ଟେଷ୍ଟିଂକୁ ବୃଦ୍ଧି କରାଯାଇଛି। ୨୩ରୁ ଊର୍ଦ୍ଧ୍ବ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଅନ୍ୟାନ୍ୟ ଘରୋଇ ସରକାରୀ ହସ୍ପିଟାଲରେ ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି। ଏବେ ଦୈନିକ ଟେଷ୍ଟିଂ ୩ ହଜାରରୁ ଊର୍ଦ୍ଧ୍ବ ରହୁଥିବା ବିଏମ୍‍ସି କହିଛି।

ବିଏମ୍‍ସି ଅତିରିକ୍ତ କମିସନର ପାରୁଲ୍‍ ପଟୱାରୀ କହିଛନ୍ତି, ଭୁବନେଶ୍ୱରରେ ସଂକ୍ରମଣ ରୋକିବା ପାଇଁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରସ୍ତୁତ ହୋଇଥିବା ଷ୍ଟ୍ରାଟେଜି ତୃଣମୂଳ ସ୍ତରରେ କିପରି ଲାଗୁ ହୋଇପାରିବ ସେଥିପାଇଁ ବିଶେଷ ଧ୍ୟାନ ଦିଆଯାଇଛି। ଏହାଦ୍ୱାରା ସଂକ୍ରମଣ ହ୍ରାସ କରାଯାଇପାରିବ ବୋଲି ଶ୍ରୀମତୀ ପଟୱାରୀ କହିଛନ୍ତି। ବିଏମ୍‍ସି ଅଞ୍ଚଳରେ ୯ଜଣ ଓଏଏସ୍‍ ଅଧିକାରୀ, ୫୦ରୁ ଊର୍ଦ୍ଧ୍ବ ଏଏସ୍‍ଓ, ଡାଟା ଏଣ୍ଟ୍ରି ଅପରେଟର୍‍ ଏବଂ ବରିଷ୍ଠ ଆଇଏଏସ୍‍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ବ୍ରହ୍ମପୁର ମହାନଗର ନିଗମରେ ଆପଣାଯାଇଥିବା ଷ୍ଟ୍ରାଟେଜିରେ ସଫଳତା ମିଳିଥିବାରୁ ଭୁବନେଶ୍ୱରରେ ଏହି ବ୍ୟବସ୍ଥା କରାଯିବ ବୋଲି ବିଏମ୍‍ସି ପକ୍ଷରୁ ଜଣାପଡ଼ିଛି। ରାଜଧାନୀରେ ଅଗଷ୍ଟରେ ସଂକ୍ରମଣ ସ୍ତର ଶୀର୍ଷରେ ରହିଥିବାବେଳେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଅଧିକ ବୃଦ୍ଧି ପାଇଥିଲା। ପ୍ରତିଦିନ ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଏବେବି ପାଖାପାଖି ୫୦୦ ସଂକ୍ରମିତ ହେଉଛନ୍ତି। ଆଜିସୁଦ୍ଧା ପ୍ରାୟ ୧୪,୫୦୦ ଆକ୍ରାନ୍ତ ଚିହ୍ନଟ ହେବା ସହ କେବଳ ଭୁବନେଶ୍ବରରେ ୫୪ ଜଣଙ୍କ ମୁଣ୍ଡ ନେଲାଣି କରୋନା। ତେବେ ବ୍ରହ୍ମପୁର ଫର୍ମୁଲା ଲାଗୁ ପରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ବିଶେଷଜ୍ଞ ମହଲରେ ଆଶା କରାଯାଉଛି।

ଅନ୍ୟପକ୍ଷରେ ଗୁରୁବାର ଖୋର୍ଦ୍ଧାରୁ ସର୍ବାଧିକ ୬୮୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୯୨, ପୁରୀରୁ ୩୩୨ ଆକ୍ରାନ୍ତ ବାହାରିଛନ୍ତି। ସେହିପରି ବଲାଙ୍ଗୀରରୁ ୧୮୦, ବରଗଡ଼ରୁ ୧୬୯, ମୟୂରଭଞ୍ଜରୁ ୧୬୦, ଯାଜପୁରରୁ ୧୪୮, କେନ୍ଦ୍ରାପଡ଼ାରୁ ୧୪୭, କୋରାପୁଟରୁ ୧୨୭, ନବରଙ୍ଗପୁରରୁ ୧୨୫, ଅନୁଗୋଳରୁ ୧୧୪, ଜଗତସିଂହପୁରରୁ ୧୦୯, ସମ୍ବଲପୁରରୁ ୧୦୪, ଢ଼େଙ୍କାନାଳରୁ ୧୦୧, ସୁନ୍ଦରଗଡ଼ରୁ ୯୮, ନୂଆପଡ଼ାରୁ ୯୬, ଗଞ୍ଜାମରୁ ୯୫, ଭଦ୍ରକରୁ ୮୨, କେନ୍ଦୁଝରରୁ ୮୧, ସୋନପୁର, ବାଲେଶ୍ୱର ଓ କଳାହାଣ୍ଡିରୁ ୭୪ ଲେଖାଏଁ, ରାୟଗଡ଼ାରୁ ୫୮, କନ୍ଧମାଳରୁ ୫୭, ଝାରସୁଗୁଡ଼ାରୁ ୪୯, ନୟାଗଡ଼ରୁ ୪୮, ବୌଦ୍ଧରୁ ୪୧, ମାଲକାନଗିରିରୁ ୧୯, ଦେବଗଡ଼ ଓ ଗଜପତିରୁ ୧୮ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ୧,୩୯,୧୨୧ରେ ପହଞ୍ଚିଛି। ଆଜି ପୁରୀ, ଭୁବନେଶ୍ୱର ଓ କଟକରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଥିବା ବେଳେ ଭଦ୍ରକ, ଗଞ୍ଜାମ, କୋରାପୁଟ, ନୟାଗଡ଼ ଓ ରାୟଗଡ଼ାରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଆଖି ବୁଜିଛନ୍ତି। ୧୦୧ରୁ କମ୍‍ ସକ୍ରିୟ ସଂକ୍ରମିତ ସହିତ ଗ୍ରୀନ୍‍ ଜୋନ୍‍ରେ ଥିବା ଦେବଗଡ଼ ଜିଲା ଆଜି ୧୨୨ ସଂକ୍ରମିତଙ୍କ ସହ ୟେଲୋଜୋନ୍‍ରେ ପ୍ରବେଶ କରିଛି। ବାକି ୨୯ ଜିଲା ଏବେ ରେଡ୍‍ ଜୋନ୍‍ରେ ଅଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.