banner
Breaking

ଭାଗବତ ପ୍ରସାଦ ନନ୍ଦଙ୍କ ଅମ୍ଳାନ ସ୍ମୃତିରେ।

0

ଭୁବନେଶ୍ୱର, ୨୫.୯ : ଶ୍ରୀ ଭାଗବତ ପ୍ରସାଦ ନନ୍ଦ (ସମ୍ବଲପୁର) ୮୩ ବର୍ଷ ବୟସରେ ଗତ ୨୪ ତାରିଖରେ ଚାଲିଗଲେ । ସମ୍ବଲପୁର ଅଞ୍ଚଳର ସମସ୍ତ ସାଧାରଣ ଜନତାଙ୍କ ସ୍ୱାର୍ଥ ସମ୍ବଳିତ ସଂଗ୍ରାମରେ ସେ ଆଗରେ ରହୁଥିଲେ ଓ ସାଇକେଲ୍ ଚଢି ପହଞ୍ଚି ଯାଉଥିଲେ । ଗର୍ବ, ଈର୍ଷା, ପରଶ୍ରୀକାତରତା ଠାରୁ ସେ ଥିଲେ ବହୁ ଦୂରରେ । ତାଙ୍କର ସବୁବେଳେ ହସ ହସ ମୁହଁ ମନେ ପଡୁଛି । ସେହି ମୁହଁରୁ ଜଣା ପଡ଼ୁଥିଲା ଯେ ସେ କାହାରି ଶତୃ ନଥିଲେ କି ତାଙ୍କର ବି କେହି ଶତୃ ନଥିଲେ ।
ତାଙ୍କ ଶାଳକ ଶ୍ରୀ ବ୍ରଜବାହୁ ଶତପଥୀ ମୋ ସାଙ୍ଗ । ସେ ଆଗରୁ ଯାଇଥିଲେ । ତାଙ୍କ ଭିଣୋଇ ହିସାବରେ ଭାଗବତ ବାବୁଙ୍କୁ ମୁଁ ସମ୍ବଲପୁରରେ ରହଣି କାଳରେ ଭିଣୋଇ ଡ଼ାକୁଥିଲି ଓ ସେ ସମ୍ପର୍କ ଏବେଯାଏ ରହିଥିଲା । ସ୍ୱାଧୀନତା ସଂଗ୍ରାମୀ ଶଶୁର ଦୟାନନ୍ଦ ଶତପଥୀଙ୍କ ଆଦର୍ଶରେ ଅନୁପ୍ରାଣିତ ଥାଇ ଜନସେବାକୁ ସେ ଜୀବନର ବ୍ରତ କରିଥିଲେ । ୨୦୦୯ ମସିହାରେ ସମ୍ବଲପୁର ଓ ଭୁବନେଶ୍ୱର ଭିତରେ ଇଣ୍ଟରସିଟି ଏକ୍ସପ୍ରେସ୍ ରେଳଗାଡ଼ି ସକାଳେ ଦୁଇପଟରୁ ଚାଲିବାର ଆଇନ୍‌ତଃ ବ୍ୟବସ୍ଥା ହୋଇଥିଲେ ମଧ୍ୟ କେବଳ ସମ୍ବଲପୁର ପଟୁ ଆସୁଥିଲା ଓ ଭୁବନେଶ୍ୱର ପଟୁ ଚାଲୁନଥିଲା । ଆମେ ଅନେକ ଲୋକ ପ୍ରତି ଶନିବାର ସନ୍ଧ୍ୟାରେ ଭୁବନେଶ୍ୱର ଆସିବାକୁ ଓ ସୋମବାର ସକାଳେ ସମ୍ବଲପୁର ଯିବାକୁ ଅସୁବିଧା ଭୋଗୁଥିଲୁ । କେତେକ ସହକର୍ମୀଙ୍କ ପରାମର୍ଶ କ୍ରମେ ମୁଁ ତାଙ୍କୁ ଭେଟି ଭୁବନେଶ୍ୱର ପଟୁ ସେହି ରେଳ ଚଳାଚଳ ପାଇଁ ବ୍ୟବସ୍ଥା କରିବାକୁ କହିଥିଲି । ସେ ମୋତେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠିଟିଏ ପ୍ରସ୍ତୁତ କରିବାକୁ କହିଥିଲେ । ମୁଁ ତାହା କରି ତାଙ୍କୁ ଦେଇଥିଲି । ସେ ସେଥିରେ ନିଜର ଓ ଅନ୍ୟ କିଛି ଜଣାଶୁଣା ବ୍ୟକ୍ତିଙ୍କ ଦସ୍ତଖତ କରାଇ ସମ୍ବଲପୁର ରେଳ ର୍କୃପକ୍ଷଙ୍କ ଜରିଆରେ ରେଳମନ୍ତ୍ରୀଙ୍କ ପାଖକୁ ପଠେଇ ସେହି ରେଳ ଚଳାଚଳ ବ୍ୟବସ୍ଥା କରେଇଥିଲେ । ଯିଏ ଆଜି ସାରା ଜୀବନ କିଛି ପାଇବାର ଉଦ୍ଦେଶ୍ୟ ନ ରଖି ନିରୋଳା ଜନସେବାରେ ବିତେଇଥିଲେ, ସେ ମୃତ୍ୟୁ ପରେ ବି ସେଇ ଶରୀର ମେଡ଼ିକାଲ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ନିରୀକ୍ଷା ପାଇଁ ଜୀବିତାବସ୍ଥାରେ ଶରୀର ଦାନ କରିଥିଲେ । ଏହାଠାରୁ ଆଉ ସାର୍ଥକ ଜୀବନ କଣ ହୋଇପାରେ । ଗୋଟିଏ ଯୁଗର ଅବସାନ ହେଲା । ତାଙ୍କ ଉଦ୍ଦେଶ୍ୟରେ ଶତକୋଟି ପ୍ରଣାମ ଅର୍ପଣ କରୁଛି ।
ତୁଷାର କାନ୍ତ ଶତପଥୀ

Khansweb Solution Bhubaneswar

Leave A Reply

Your email address will not be published.