banner
Breaking

ବାତ୍ୟା ଅଞ୍ଚଳ ବୁଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

0

ଭଦ୍ରକ , ୩୧।୫-କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭଦ୍ରକ ଜିଲା ଗସ୍ତରେ ଆସି ବାତ୍ୟା ‘ୟାସ୍‌’ ଦ୍ୱାରା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି। ମନ୍ତ୍ରୀ ପ୍ରଧାନ ହେଲିକପ୍ଟର ଯୋଗେ ଧାମରା ବନ୍ଦରଠାରେ ଅବତରଣ କରିଥିଲେ। ଏହାପରେ ସେ ବାତ୍ୟାରେ ଅଧିକ ପ୍ରଭାବିତ ଧାମରା ଅଞ୍ଚଳର ଦୋସିଙ୍ଗା ପଞ୍ଚାୟତର ସମିପାଟିଆ, ଓରାମାଳ, ଜାଗୁଳା ପଞ୍ଚାୟତର ପାଇକସାହି ଏବଂ ଧାମରା ପଞ୍ଚାୟତର ଝାଡ଼କଟା ସମେତ ଅନ୍ୟ କିଛି ଗଁା ବୁଲି ବିପନ୍ନଙ୍କ ସହ ଆଲୋଚନା କରିଥିଲେ। ଏପରିକି ଝାଡ଼କଟାଠାରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା। ବାତ୍ୟା ଦିନର ଅନୁଭୂତି ସମ୍ପର୍କରେ ସେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ପ୍ରଶାସନିକ ଅଧିକାରୀମାନଙ୍କ କାର୍ଯ୍ୟକଳାପ ଓ ସହଯୋଗ କିଭଳି ରହିଥିଲା ସେ ସମ୍ପର୍କରେ ଗ୍ରାମବାସୀଙ୍କୁ ପଚାରି ବୁଝିଥିଲେ। ଏସବୁ ଅଞ୍ଚଳରେ ଥିବା ବାତ୍ୟା ଆଶ୍ରୟସ୍ଥଳୀର ପରିସର ବଢ଼ାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏପରିକି ଏହି ଅଞ୍ଚଳରେ ଦୀର୍ଘମିଆଦୀ ସ୍ଥାୟୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ସେ ଚେଷ୍ଟା କରିବେ ବୋଲି କହିଛନ୍ତି।
ସମୁଦ୍ର ଉପକୂଳ ହୋଇଥିବାରୁ ସାମାନ୍ୟ ପ୍ରାକୃତିକ ବିପର୍ଯ୍ୟୟରେ ବିଦ୍ୟୁତ୍‌ ସମସ୍ୟା ଦେଖାଦେଉଛି। ଏଣୁ ଏଥିପ୍ରତି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୃଷ୍ଟି ଦିଆଯିବ ବୋଲି ସେ କହିଥିଲେ। ବିପତ୍ତି ବେଳେ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ରହିଥିବା ସେ ପ୍ରକାଶ କରିଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ଗସ୍ତ ସମୟରେ ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ, ଧାମନଗର ବିଧାୟକ ବିଷ୍ଣୁ ସେଠୀ, ଚାନ୍ଦବାଲି ଓ ଧାମରା ଅଞ୍ଚଳର ଭାଜପା କର୍ମୀମାନେ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.