banner
Breaking

ଫେବୃଆରୀ ୬ରୁ ସର୍ବକ୍ଷମାରେ ଅର୍ନ୍ତଭୁକ୍ତ ହୋଇନଥିବା ଘର ଭଙ୍ଗା ହେବ। ବିଡିଏ

0

ଭୁବନେଶ୍ୱର, ୨୩ା୧(ବ୍ୟୁରୋ): ୨୦୧୮ରୁ କାର୍ଯ୍ୟକାରୀ ହୋଇଛି ‘ସର୍ବକ୍ଷମା’ ଯୋଜନା। ଏହା ମାଧ୍ୟମରେ ବେଆଇନ ନିର୍ମାଣକୁ ନିୟମିତ ତଥା ସ୍ବୀକୃତ କରିବାକୁ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର। ଇତିମଧ୍ୟରେ ଏହା ୨ଥର ସଂଶୋଧନ କରାଯାଇ ଲୋକଙ୍କୁ ୬ ମାସ ଲେଖାଏ ମହଲତ ଦିଆଯାଇଛି। ଏହାସତ୍ତ୍ୱେ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ବେଆଇନ ଘର ବା ନିର୍ମାଣର ପ୍ଲାନ୍‌ ଆପ୍ରୁଭାଲ୍‌ ପାଇଁ ଅନେକେ ଆବେଦନ କରିନାହାନ୍ତି। ଆସନ୍ତା ମାସ ୫ ତାରିଖରେ ମହଲତ ଅବଧି ସରୁଛି। ଏହାପରଠାରୁ ଅର୍ଥାତ୍‌ ଫେବୃୟାରୀ ୬ରୁ ପ୍ଲାନ୍‌ ଆପ୍ରୁଭାଲ ନ ଥିବା ବେଆଇନ ଘର ବା ନିର୍ମାଣ ଭଙ୍ଗା ଆରମ୍ଭ ହେବ। ଏଥିପାଇଁ ନଗର ଉନ୍ନୟନ ବିଭାଗ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ), କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ), ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ), ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ, ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ, କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷ ଓ ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।
ବିଡିଏ ଏକ ପ୍ରେସ୍‌ ବିବୃତିରେ ପ୍ରକାଶ କରିଛି ଯେ, ସୁଯୋଗ ଦିଆଯିବା ସତ୍ତ୍ବେ ଜନସାଧାରଣ ବିନା ପ୍ଲାନ୍‌ ଆପ୍ରୁଭାଲରେ ବେଆଇନ ନିର୍ମାଣ ଜାରି ରଖିଛନ୍ତି। ଆଉ ଏହାର ଅବଧି ବଢାଯିବ ନାହିଁ କି ସୁଯୋଗ ବି ଦିଆଯିବନି। ଫେବୃୟାରୀ ୬ରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ବେଆଇନ ନିର୍ମାଣକୁ ଉଚ୍ଛେଦ କରାଯିବ। ବିଡିଏ ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟାଁ କହିଛନ୍ତି, ଓଡ଼ିଶା ଡେଭ୍‌ଲପ୍‌ମେଣ୍ଟ ଆକ୍ଟ-୧୯୮୨ ଅନୁସାରେ ବିଲ୍ଡିଂଗୁଡ଼ିକୁ ଯାଞ୍ଚ କରାଯିବ। ଯେକେହି ବି ପ୍ଲାନ୍‌ ଆପ୍ରୁଭାଲ ନ କରି ବେଆଇନ ଭାବେ ନିର୍ମାଣ କରିଥିବ, ତାଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ ସୁଦ୍ଧା ୩୯୦୦ ଆବେଦନପତ୍ର ବିଡିଏର ହସ୍ତଗତ ହୋଇଥିବାବେଳେ ଆଉମାତ୍ର ୨ ସପ୍ତାହର ସମୟ ରହିଲା। ଏବେ ବାକିଥିବା ଲୋକେ ଆବେଦନ କରିବା ଜରୁରୀ ବୋଲି ସେ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ପ୍ରଥମେ ବେଆଇନ ନିର୍ମାଣକୁ ନିୟମିତ କରିବା ଯୋଜନା (ସର୍ବକ୍ଷମା) -୨୦୧୮’ ପ୍ରଣୟନ କରାଯାଇଥିଲା। ଜରିମାନା ପରିମାଣ ଅତ୍ୟଧିକ ହେବାରୁ ଲୋକେ ଏହି ଯୋଜନାରେ ଆବେଦନ କରିବାକୁ ପଛଘୁଞ୍ଚା ଦେଲେ। ଏହାକୁ ଅନୁଭବ କରିବା ପରେ ନଗର ଉନ୍ନୟନ ବିଭାଗ ଜରିମାନା ପରିମାଣକୁ ଅଧା ହ୍ରାସ କଲେ। ଏଥିତ୍ପାଇଁ ପୂର୍ବ ନିୟମରେ କେତେକ ସଂଶୋଧନ ଆଣି ୨୦୧୯ ଅଗଷ୍ଟ ୫ରେ ନୂଆ ବିଜ୍ଞପ୍ତି ପ୍ରକାଶ କଲେ। ଅଧିକରୁ ଅଧିକ ଲୋକ ଯେପରି ସର୍ବକ୍ଷମା ଯୋଜନାରେ ସାମିଲ୍‌ ହେବେ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବାସଗୃହ, ବ୍ୟବସାୟିକ ଘରର ସେଟ୍‌ବ୍ୟାକ୍‌, ପାର୍କିଂ, କମ୍ପାଉଣ୍ଡିଂ ଚାର୍ଜ ଆଦିରେ କୋହଳ କରାଯାଇଥିଲା। ଏହାସତ୍ତ୍ୱେ ବି ଭୁବନେଶ୍ୱରରେ ମାତ୍ର ୩୯୦୦ ଆବେଦନ ଆସିଥିବା ଓ ଅନ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ଖୁବ୍‌ କମ୍‌ ଆବେଦନ ହୋଇଥିବାରୁ ସରକାର ଆଉ ସମୟ ଓ ସୁଯୋଗ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡିଛି।

Khansweb Solution Bhubaneswar

Leave A Reply

Your email address will not be published.