banner
Breaking

ପରଲୋକରେ ସାହିତ୍ୟିକ ଘନଶ୍ୟାମ ଧଳ

0

ଭୁବନେଶ୍ୱର, ୧୭/୦୫- ପ୍ରଖ୍ୟାତ ସାହିତ୍ୟିକ ଘନଶ୍ୟାମ ଧଳଙ୍କର ରବିବାର ସକାଳେ ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ବର୍ଷ ହୋଇଥିଲା। ଦୀର୍ଘ ଦୁଇ ମାସ ଧରି ସେ ଅସୁସ୍ଥ ରହିଥିଲେ।
ସ୍ବର୍ଗତ ଘନଶ୍ୟାମ ଧଳ ୧୯୩୨ମସିହା ମେ’ ମାସ ୩୧ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜକନିକା ନିକଟବର୍ତ୍ତୀ ଆୟତନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ୧୯୫୩ ମସିହାରେ ସ୍ବର୍ଗତ ଧଳ ବାଲେଶ୍ୱର ଫକୀରମୋହନ କଲେଜରୁ ସ୍ନାତକ ଶିକ୍ଷାଲାଭ ପରେ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରି ଜିଲ୍ଲା ପଞ୍ଚାୟତ ଅଧିକାରୀ ଭାବେ ଅବସର ଗ୍ରହଣ କରିଥିଲେ।

ଚାନ୍ଦବାଲି ଠାରେ ଅବସ୍ଥାନ କରୁଥିବା ସମୟରେ ଚାନ୍ଦବାଲି ସାହିତ୍ୟ ସଂସଦ ନାମରେ ସାହିତ୍ୟ ସଂଗଠନ କରି ସାରସ୍ୱତ ସାଧନାରେ ବ୍ରତୀ ରହୁଥିଲେ ସ୍ବର୍ଗତ ଧଳ। ଛାତ୍ରବସ୍ଥାରୁ ସାହିତ୍ୟ ସଂକୃତି ଓ ସମାଜ ସହ ଜଡିତ ଶ୍ରୀ ଧଳ ସାହିତ୍ୟର ବିଭିନ୍ନ ବିଭାଗରେ କଲମ ଚାଳନା କରିଛନ୍ତି। ତାଙ୍କର ଅନବଦ୍ୟ ସାହିତ୍ୟ କୃତି ମଧ୍ୟରେ ହେମବତୀ ବିଳାସ, ସନ୍ଧ୍ୟାବାଳୀ, ପାଷାଣ ତୁ କହ କଥା, କୋଣାର୍କ କନ୍ୟା, କାବ୍ୟ ଗ୍ରନ୍ଥ ନାମରେ ପ୍ରକାଶିତ ହୋଇଛି। ଗଳ୍ପ ସଙ୍କଳନ ପୁରାଣ କଥା ଓ କାହାଣୀ ବରଞ୍ଚ ଅନ୍ଧାର ଏବଂ ପ୍ରବନ୍ଧ ଓଡ଼ିଆ ସାହିତ୍ୟ ସଂସ୍କୃତି ଓ ସମାଜ ରାମାୟଣ କଥା ପ୍ରକାଶିତ। ସେହିପରି ଇଂରାଜୀ ଭାଷାରେ ଫୋକ ଡ଼୍ୟାନ୍ସ ଅଫ ଓଡିଶା ଏବଂ ଟ୍ରୁ ଥ୍ରୀଲିଙ୍ଗ ଷ୍ଟୋରିଜ ଇତ୍ୟାଦି ପ୍ରକାଶିତ। ତାଙ୍କ ପ୍ରକାଶିତ ସମସ୍ତ ୧୮ଟି ପୁସ୍ତକକୁ ନେଇ ଘନଶ୍ୟାମ-ଗ୍ରନ୍ଥାବଳୀ ପ୍ରକାଶିତ ହୋଇଛି।

ସେ ଜୀବନସାରା ସାମଗ୍ରିକ ସାହିତ୍ୟ ସାଧନା ପାଇଁ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ଏତଦ ବ୍ୟତୀତ ଉତ୍କଳ ସାହିତ୍ୟ କଳାପରିଷଦ, ଓଡିଶା ସାହିତ୍ୟ ପୂଜା ସଂସଦ, କଳିଙ୍ଗ ସାହିତ୍ୟ ସଂସ୍କୃତି ପରିଷଦ, ଭାଗ୍ୟଲିପି ଏବଂ ଅନେକ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇଛନ୍ତି।

ସ୍ବର୍ଗତ ଧଳ ଅନ୍ତିମ ଶଯ୍ୟା ନିକଟରେ ସମସ୍ତ ପୁତ୍ର, କନ୍ୟା, ପୁତ୍ର ବଧୁ, ଜ୍ୱାଇଁ ଓ ନାତିନାତୁଣୀ ଉପସ୍ଥିତ ଥିଲେ। ଭୁବନେଶ୍ୱର ସ୍ଥିତ ସତ୍ୟନଗର ଶ୍ମଶାନରେ ତାଙ୍କ ପାର୍ଥିବ ଶରୀରର ଅନ୍ତିମ ସଂସ୍କାର କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.