banner
Breaking

ଭୁବନେଶ୍ବରରୁ଼ ଜବତ ହେଲା ହାତୀ ଦାନ୍ତ

0

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଭୁବନେଶ୍ୱରରେ ହାତୀଦାନ୍ତ ର଼୍ୟାକେଟ ଧରାପଡିଛି। ସୈନିକ ସ୍କୁଲ ଛକ ନିକଟରେ ଡିଲ୍‌ବେଳେ ମୈତ୍ରୀବିହାର ଥାନା ପୋଲିସ ରବିବାର ସାରେ ଚଢ଼ାଉ କରି ୨ ବନ୍ୟଜନ୍ତୁ ଚାଲାଣକାରୀଙ୍କୁ ଧରିଛି। ସେମାନଙ୍କଠୁ ପ୍ରାୟ ୩ କେଜି ଓଜନର ଏକ ହାତୀ ଦାନ୍ତ ଜବତ କରାଯାଇଛି। ଚାଲାଣକାରୀଦ୍ୱୟ ହେଲେ କନ୍ଧମାଳ ଜିଲାର ଗିରିଶ କୁମାର ନାୟକ ଓ ଦୀପକ ସାହୁ। ପୋଲିସ ଉଭୟଙ୍କୁ ଚନ୍ଦକା ଡିଭିଜନ ଅନ୍ତର୍ଗତ ଭୁବନେଶ୍ୱର ଓ୍ବାଇଲ୍ଡ ଲାଇଫ୍‌ ରେଞ୍ଜକୁ ହସ୍ତାନ୍ତର କରିଥିଲା। ବନବିଭାଗ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରାଯାଇ ଚାଲାଣକାରୀଦ୍ୱୟଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କଠାରୁ ମଧ୍ୟ ଏକ ସ୍କୁଟି, ୩ଟି ମୋବାଇଲ ଓ ୧୬୦ ଟଙ୍କା ଜବତ ହୋଇଛି। ଅଭିଯୁକ୍ତଦ୍ୱୟଙ୍କୁ ହାତୀଦାନ୍ତ କାରବାର ସଂକ୍ରାନ୍ତରେ ବନବିଭାଗ ଟିମ୍‌ ପକ୍ଷରୁ ଅଧିକ ପଚରାଉଚରା କରାଯାଉଛି। ସୋମବାର ଉଭୟଙ୍କୁ କୋର୍ଟଚାଲାଣ କରାଯିବ ବୋଲି ରେଞ୍ଜ ଅଫିସର ବି.ବି. ମହାପାତ୍ର କହିଛନ୍ତି।
ପାଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତଦ୍ୱୟ ଉକ୍ତ ହାତୀ ଦାନ୍ତକୁ ଧରି ସ୍କୁଟିରେ ବାଣୀବିହାର ପଟୁ ସାଲିଆ ସାହିକୁ ଯାଉଥିଲେ। ଲକ୍ଷାଧିକ ଟଙ୍କାରେ ଉକ୍ତ ହାତୀଦାନ୍ତକୁ ବିକ୍ରି କରିଥାନ୍ତେ। ଏନେଇ ଖବର ମିଳିବା ପରେ ପୋଲିସ ସୈନିକ ସ୍କୁଲ ଛକ ନିକଟରେ ଛକି ରହିଥିଲା। ଅଭିଯୁକ୍ତଦ୍ୱୟ ଉକ୍ତ ସ୍ଥାନ ଦେଇ ଯିବାବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା। ତଦନ୍ତରୁ ଜଣାପଡ଼ିଛି, ଗିରଫ ଅଭିଯୁକ୍ତଦ୍ୱୟଙ୍କ ସମେତ ୬ ଜଣ କନ୍ଧମାଳରୁ ଏକାଧିକ ହାତୀଦାନ୍ତ ଧରି ଆସିଛନ୍ତି। ସେମାନେ ଗ୍ରୁପ ହୋଇ ହାତୀ ଦାନ୍ତ ଡିଲ୍‌ କରିବାକୁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଗ୍ରାହକ ଖୋଜୁଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୨ଜଣ ପୋଲିସ ହାତରେ ଧରାପଡ଼ିଯିବା ପରେ ବାକି ଅନ୍ୟ ୪ଜଣ ସତର୍କ ହୋଇଯାଇଥିବା ସୂଚନା ମିଳିଛି।

Khansweb Solution Bhubaneswar

Leave A Reply

Your email address will not be published.