banner
Breaking

ଗାଡି କାଗଜପତ୍ର ପାଇଁ ପୁଣି ତିନିମାସ ବୃଦ୍ଧିକଲେ ମୁଖ୍ୟମନ୍ତ୍ରୀ।

0

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ଲୋକଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ପୁଣି ଦେଲେ ତିନିମାସ ସମୟ। ସମଗ୍ର ଦେଶରେ ସଂଶୋଧିତ ମୋଟର ଯାନ ଆଇନ ୨୦୧୯ ଲାଗୁ ହୋଇଛି। ସେପ୍ଟେମ୍ବର ପହିଲାରୁ ଏହି ଆଇନ ରାଜ୍ୟରେ ଲାଗୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରାଯାଇନାହିଁ। ଡ୍ରାଇଭିଂ ଲାଇସେନ୍ସ , ପଲ୍ୟୁଶନ ଅଣ୍ଡର କଣ୍ଟ୍ରୋଲ(ପିୟୁସି) ଏବଂ ଅନ୍ୟାନ୍ୟ କାଗଜପତ୍ର ନ ଥିବାରୁ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ବଡ଼ ଧରଣର ଜରିମାନାକୁ ବିରୋଧ କରି ପ୍ରବଳ ଜନଅସନ୍ତୋଷ ଦେଖା ଦେବାରୁ ମୁଖ୍ୟମନ୍ତ୍ରୀ ସମସ୍ତ କାଗଜପତ୍ର ଯୋଗାଡ଼ କରିବା ପାଇଁ ତିନିମାସ ସମୟ ଦେଇଥିଲେ। ଆସନ୍ତା ଡିସେମ୍ବର ପହିଲାରୁ ଏହି ଅବଧି ଶେଷ ହେଉଛି। ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯିବ ଆଉ କୌଣସି ପ୍ରକାର କୋହଳ କରାଯିବ ନାହିଁ ବୋଲି ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅବଧି ପୂରିବାକୁ ଆଉ ମାତ୍ର ଦୁଇଦିନ ବାକିଥିବା ବେଳେ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ଆର୍‌ଟିଓ କାର୍ଯ୍ୟାଳୟରେ ଲୋକମାନଙ୍କ ଲମ୍ବା ଲାଇନ ଲାଗିଛି। ଏହାକୁ ନେଇ ଗୁରୁବାର ବିଧାନସଭାରେ ବିରୋଧୀ ଦଳ ନେତା ଉଦ୍‌ବେଗ ପ୍ରକାଶ କରିଥିଲେ। ସେହିପରି ଶାସକ ଦଳର ସଦସ୍ୟ ଦେବୀ ପ୍ରସାଦ ମିଶ୍ର ଏବଂ ପ୍ରଦୀପ ମହାରାଥୀ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେମାନେ କହିଥିଲେ, ଆରଟିଓରେ ଆବଶ୍ୟକ କର୍ମଚାରୀ ନ ଥିବାରୁ ଲୋକେ ସୁବିଧା ପାଇପାରୁ ନାହାନ୍ତି । ଭୁବନେଶ୍ଵରକୁ ଛାଡ଼ି ଅନ୍ୟ ସମସ୍ତ ଆରଟିଓ ସନ୍ଧ୍ୟା ହେଲେ ବନ୍ଦ ହୋଇଯାଉଛି । ସରକାର ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବା ଦରକାର ବୋଲି ଦେବୀ ପ୍ରସାଦ ମିଶ୍ର କହିଥିଲେ। ରାଜ୍ୟରେ ଏବେ ଜିଜିଆ କର ଲାଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ମହାରାଥୀ କହିଥିଲେ।
ବାଚସ୍ପତିଙ୍କ ରୁଲିଂ ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଡେଡ୍‌ଲାଇନ ଘୁଞ୍ଚିବା ନେଇ ବିଚାର ବିମର୍ଶ କରାଯାଉଛି ବୋଲି କହିଥିଲେ। ତେବେ ଅପରାହ୍ନ ଅଧିବେଶନ ପରେ ଏ ସଂପର୍କରେ ସୂଚନା ଦେଇ ଶ୍ରୀ ବେହେରା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ଟ୍ରାଫିକ ନିୟମ କୋହଳ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ତେଣୁ ଏହି ତିନିମାସ ମଧ୍ୟରେ ଲୋକେ ନିଜର ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତ କରି ନେବେ ବୋଲି ମନ୍ତ୍ରୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.