banner
Breaking

ଖୋଲିଲା ବିଡିଏ ସିଟି ସେଣ୍ଟର(ନିକୋ ପାର୍କ)

0

ଭୁବନେଶ୍ୱର,୧୫ା୧୧(ଓଡ଼ିଆ ନ୍ୟୁଜ) : ଭୁବନେଶ୍ୱରର ଏକମାତ୍ର ବିଡିଏ ସିଟି ସେଣ୍ଟର (ନିକୋ ପାର୍କ)କୁ ନେଇ ବହୁତ୍‌ କିଛି ଯୋଜନା କରାଯାଇଛି। ପାଖାପାଖି ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ପାର୍କକୁ ରାଜ୍ୟର ଏକ ଅନନ୍ୟ ଥିମ୍‌ ପାର୍କ କରିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଯୋଜନା ରଖିଛି। ଏହାର ପୁନରୁଦ୍ଧାର ପ୍ରକ୍ରିୟା ପିପିପି ମୋଡରେ କରିବାକୁ ରାଜ୍ୟ ସରକାରଙ୍କୁ ବିଡିଏ ପ୍ରସ୍ତାବ ଦେଇଛି। ଖୁବ୍‌ଶୀଘ୍ର ଏହାର ପୁନରୁଦ୍ଧାର ଆରମ୍ଭ ହେବ ବୋଲି ବିଡିଏ ସଚିବ ରବୀନ୍ଦ୍ର ନାଥ ମିଶ୍ର କହିଛନ୍ତି।
ବିଡିଏ ସିଟି ସେଣ୍ଟରକୁ ଗୁରୁବାର ପୁଣି ଉଦ୍‌ଘାଟନ କରିବା ଅବସରରେ ସଚିବ ମିଶ୍ର କହିଥିଲେ, ଏହି ପାର୍କ ପାଇଁ ବିଡିଏ ବହୁତ୍‌ କିଛି ଯୋଜନା ରଖିଛି। କିପରି ଲୋକମାନେ ପାର୍କକୁ ଅଧିକରୁ ଅଧିକ ଆସିବେ ସେଥିପ୍ରତି ବିଡିଏ ଧ୍ୟାନ ଦେବ। ‘ଫନୀ’ରେ ପାର୍କର ବ୍ୟାପକ କ୍ଷତି ହୋଇଥିଲା। ଦୀର୍ଘ ୬ ମାସ ବନ୍ଦ ରହିବା ପରେ ପାର୍କର ଏବେ ଅଳ୍ପ କିଛି ଅଂଶ ପୁନରୁଦ୍ଧାର କରାଯାଇ ଖୋଲିଛି। ଆଗକୁ ଏଥିରେ ନୂଆ ନୂଆ ‘ଥିମ୍‌’ ଆରମ୍ଭ କରିବାକୁ ବିଡିଏ ଯୋଜନା ରଖିଛି। ବିଡିଏ ଉଦ୍ୟାନବିତ୍‌ ଅଶୋକାନନ୍ଦ ଧର କହିଛନ୍ତି, ପାର୍କର ଉନ୍ନତୀକରଣ ପାଇଁ ବିଡିଏ ଯୋଜନା କରିସାରିଛି। ଯେଉଁଥିରେ କି ଖାଲି ଛୋଟ ପିଲା ନୁହେଁ ଯୁବବର୍ଗ ଓ ବୃଦ୍ଧମାନଙ୍କୁ ବି ପାର୍କରେ ସମୟ କାଟିବାକୁ ଭଲ ଲାଗିବ। ଉଲ୍ଲେଖଯୋଗ୍ୟ, ରାଜ୍ୟର ଏହା ଏକମାତ୍ର ଥିମ୍‌ ପାର୍କ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୁନରୁଦ୍ଧାରରେ ଦେଢ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପୁନରୁଦ୍ଧାର ପରେ ୧୧ଟି ଖେଳକୁ ଠିକ୍‌ କରାଯାଇଛି। ବାକି ଗୋଟିଏର ପୁନରୁଦ୍ଧାର କରିବାକୁ ଆଉ କିଛି ସମୟ ଲାଗିବ ବୋଲି ବିଡିଏ ପକ୍ଷରୁ ଜଣାପଡ଼ିଛି। ଗୁରୁବାର ଏହାର ପୁନଃ ଉଦ୍‌ଘାଟନ ସକାଶେ ପାର୍କରେ ପ୍ରବେଶ ଶୁଳ୍କକୁ ଲୋକମାନଙ୍କ ପାଇଁ ମୁକ୍ତ କରାଯାଇଥିଲା। ଶୁକ୍ରବାରଠାରୁ ପାର୍କର ଖେଳର ମଜାନେବାକୁ ଲୋକଙ୍କୁ ଶହେ ଟଙ୍କା ଦେଇ ଟିକେଟ କାଟିବାକୁ ପଡ଼ିବ। ଯେଉଁଥିରେ କି ସେମାନେ ୫ଟି ଖେଳର ମଜା ନେଇପାରିବେ। ଏହା ବ୍ୟତୀତ ସେମାନେ ଯେଉଁ ଖେଳ ଖେଳିବାକୁ ଚାହିଁବେ ସେଥିପାଇଁ ତାଙ୍କୁ ଅଧିକ ଦେୟ ଦେବାକୁ ପଡିବ। ବିଡିଏ ନିଜେ ଏହି ପାର୍କ ଚଲାଇବାକୁ ଥିବାରୁ ଲୋକଙ୍କୁ ଟିକେଟ୍‌ ଦାମ୍‌ କମ୍‌ ପଡୁଛି। ପୂର୍ବରୁ ପାର୍କକୁ ପ୍ରବେଶ ଟିକେଟ୍‌ ଦାମ୍‌ ୧୫୦ ଟଙ୍କା ରଖା ଯାଇଥିବା ବେଳେ ଏକ ଘରୋଇ ସଂସ୍ଥା ଏହାର ରକ୍ଷଣାବେକ୍ଷଣ କରୁଥିଲା। ଫନୀରେ ପାର୍କ କ୍ଷତିଗ୍ରସ୍ତ ହେବା ପରେ ସମ୍ପୃକ୍ତ ସଂସ୍ଥା ଏହାର ରକ୍ଷଣାବେକ୍ଷଣ କରିବାକୁ ଅକ୍ଷମ ଥିବା ଦର୍ଶାଇ ଦାୟିତ୍ୱ ବିଡିଏକୁ ହସ୍ତାନ୍ତର କରିଥିଲା।

Khansweb Solution Bhubaneswar

Leave A Reply

Your email address will not be published.