banner
Breaking

ପୁଣି ମୈଦାନକୁ ଫେରିଲେ ବିଜୟ ମହାପାତ୍ର। ସରକାରଙ୍କୁ କଲେ ସମାଲୋଚନା। ଅବମାନନାର ଧମକ ଦେଲା ବିଜେଡି

0

ଭୁବନେଶ୍ୱର ,୪/୯(ବ୍ୟୁରୋ) ଓଡ଼ିଶାର ଐତିହ୍ୟ ମଠ ମନ୍ଦିରକୁ ସୁରକ୍ଷା ଦେବା ପରିବର୍ତ୍ତେ ଭଙ୍ଗା ଚାଲିଛି। ଓଡ଼ିଶାର ଲୋକଙ୍କ ମୁହଁ ସାଜି ସମାଲୋଚନା କରୁଥିବା ବିଜୟ ମହାପାତ୍ର ପୁଣି ଫେରିଛନ୍ତି ମୈଦାନକୁ।ପୁରୀରେ ଚାଲିଥିବା ଉଚ୍ଛେଦ କାର୍ଯ୍ୟକ୍ରମକୁ ନେଇ ବିଜୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସରକାର ଶ୍ରୀକ୍ଷତ୍ରେକୁ କରୁକ୍ଷତ୍ରେରେ ପରିଣତ କରିଥିବା ନେଇ ଅକ୍ଷେପ କରିଛନ୍ତି ।
ପୂର୍ବରୁ ଯେପରି ସେ ସରକାରଙ୍କୁ ପ୍ରତିକଥାରେ ଶାଣିତ ଆକ୍ରମଣ କରୁଥିଲେ ଠିକ ସେହି ଆଭିମୁଖ୍ୟ ଏବେ ଗ୍ରହଣ କରିଛନ୍ତି । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାକୁ ସେ କଡା ସମାଲୋଚନା କରିଛନ୍ତି ।

ତେବେ ଆଜି ରାଜ୍ୟ ସରକାରଙ୍କୁ ଆକ୍ଷେପ କରି ବିଜୟ କହିଛନ୍ତି, ‘ଶ୍ରୀକ୍ଷେତ୍ର ଏବେ କୁରୁକ୍ଷେତ୍ର ପାଲଟି ଯାଇଛି । ୭ ଦିନ ହେଲା ଶ୍ରୀକ୍ଷେତ୍ରକୁ ଡୋଜର ଲଗାଇ ଓ ବ୍ୟାପକ ଫୋର୍ସ ଜଗାଇ ରଣକ୍ଷେତ୍ର ଭଳି କରି ଦିଆଯାଇଛି। ଶ୍ରୀକ୍ଷେତ୍ରକୁ କୁରୁକ୍ଷେତ୍ର କରିବା ସରକାରଙ୍କ ସାମ୍ବିଧାନିକ ଓ ମୌଳିକ ଅଧିକାର ନାହିଁ। ସରକାର ଏହି କଥା ବୁଝିବା ଦରକାର।’
ସେ ଆହୁରି କହିଛନ୍ତି, ‘୫୦ ପ୍ଲାଟୁନ ଫୋର୍ସ ଓ ୨୨ଟି ବୁଲଡୋଜର ଲଗାଇ ସରକାର ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କଳା ଭଳି ମଠମନ୍ଦିର ଉପରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କରି ସରକାର କ’ଣ କରିବେ ସ୍ପଷ୍ଟ କରୁ ନାହାନ୍ତି।’
ବିଜୟ କହିଛନ୍ତି,‘ବି.ପି. ଦାସ କମିଶନ ଶ୍ରୀମନ୍ଦିର ସଂସ୍କାର ନେଇ ଅନ୍ତରୀଣ ରିପୋର୍ଟ ଦେଇଛନ୍ତି। ସେ ଚୂଡ଼ାନ୍ତ ରିପୋର୍ଟ ଦେଇ ନାହାନ୍ତି। ଚୂଡ଼ାନ୍ତ ଦେବା ପୂର୍ବରୁ ତାଙ୍କ କାର୍ଯ୍ୟକାଳ ଶେଷ କରି ଦିଆଗଲା। ବି.ପି ଦାସ କମିଶନ କ’ଣ ରିପୋର୍ଟ ଦେଲେ କେହି ଜାଣି ପାରିଲେ ନାହିଁ। କମିଶନଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇ ନାହିଁ। ବି.ପି. ଦାସ କମିଶନଙ୍କ ସୁପାରିଶରେ ଯଦି ରାଜ୍ୟ ସରକାର ଏହା କରୁଥିବେ, ତେବେ ତାହା ବେଆଇନ। ସରକାର ଦୟାକରି ଏଥିରୁ ନିବୃତ୍ତ ରୁହନ୍ତୁ। ବିପି ଦାସ କମିଶନଙ୍କ ରିପୋର୍ଟକୁ ସର୍ବ ସମ୍ମୁଖରେ ପ୍ରକାଶିତ କରନ୍ତୁ।”
‘ନବକଳେବର ବେଳେ ୫୦୦ କୋଟି ଖର୍ଚ୍ଚ କରିଥିଲେ ବୋଲି ସରକାର କହିଥିଲେ। ସେହି ଖର୍ଚ୍ଚର ହିସାବ ସରକାର ଏପର୍ଯ୍ୟନ୍ତ ଦେଇନାହାନ୍ତି। ପ୍ରକୃତରେ ୫୦୦ କୋଟି ଖର୍ଚ୍ଚ ହୋଇଥିଲେ, ବଡ଼ଦାଣ୍ଡ ଆଜି ଭାସୁନଥାନ୍ତା। ଯେଉଁଠି ମୋଟା ଅନୁଦାନ ଥାଏ, ସେଇଠି ଲୁଟ୍ ପାଇଁ ବାଟ କରାଯାଏ। ଲୋକଙ୍କୁ ତ୍ୟାଗ କରିବାକୁ କହି ସବୁ ଲୁଟିବେ, ଏସବୁ ଚଳିବ ନାହିଁ।’
ଶ୍ରୀମନ୍ଦିର କଡ଼ରୁ ଉଚ୍ଛେଦ ଘଟଣା ଏବେ ବିବାଦୀୟ ମୋଡ଼ ନେଇଛି। ଏହାକୁନେଇ ବିଜେଡି ପ୍ରତିକ୍ରିୟା ପ୍ରକାଶ କରି ବିଜୟଙ୍କୁ କୋର୍ଟ ଅବମାନନାର ଧମକ ଦେଇଛନ୍ତି |
ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି ଶ୍ରୀମନ୍ଦିରର ସୁରକ୍ଷା ନେଇ ଉଚ୍ଛେଦ କାର୍ଯ୍ୟ ଚାଲିଛି | ଏହି ଉଚ୍ଛେଦ ସପକ୍ଷରେ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ନିର୍ଦେଶ ରହିଛି | ଏହି ଉଛେଦକୁ ବିରୋଧ କରି ଯେଉଁମାନେ ସୁପ୍ରିମକୋର୍ଟ ଯାଇଥିଲେ ତାଙ୍କ ଆବେଦନ ଗ୍ରହଣୀୟ ହେଲାନାହିଁ | ପୁରୀ ଓ ଶ୍ରୀମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟ ରକ୍ଷା ପାଇଁ ସରକାର ଯୋଜନାବଦ୍ଧ ଭାବେ କାମ କରୁଛନ୍ତି | ପୁରୀରେ ଚାଲିଥିବା ଉଚ୍ଛେଦ ଉପରେ ଟିପଣି ଦେବା ‘ଅଦାଲତ ଅବମାନନା’ ବୋଲି ଶ୍ରୀ ପଟ୍ଟନାୟକ ଚେତାଇ ଦେଇଛନ୍ତି |

Khansweb Solution Bhubaneswar

Leave A Reply

Your email address will not be published.