banner
Breaking

ଓଡ଼ିଆ ନ୍ୟୁଜର ପୂର୍ବାନୁମାନ ସତହେଲା, ରେକର୍ଡ ଭାଙ୍ଗିଲେ ରୀତା।

0

ଭୁବନେଶ୍ୱର(ଓଡିଆ ନ୍ୟୁଜ)୨୫।୧୦:ଓଡ଼ିଆ ନ୍ୟୁଜର ପୂର୍ବାନୁମାନ ସତ ହୋଇଛି। ସମସ୍ତଙ୍କ ରେକର୍ଡ ଭାଙ୍ଗିଛନ୍ତି ରୀତା ସାହୁ। ବିଜେପୁର ଉପନିର୍ବାଚନର ଭୋଟଗଣତି ଗୁରୁବାର ସରିବା ପରେ ଫଳାଫଳ ଘୋଷିତ ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜୟୀ ହେବା ସହିତ ଦଳ ପାଇଁ ହାଟ୍ରିକ ବିଜୟ ଆଣିଛନ୍ତି। କେବଳ ସେତିକି ନୁହେଁ, ବିଧାନସଭା ନିର୍ବାଚନରେ ଏକ ବଡ଼ ବ୍ୟବଧାନ (୯୭ ହଜାର ୯୯୦ ଭୋଟ୍‌)ରେ ବିଜୟୀ ହୋଇ ରାଜ୍ୟରେ ରେକର୍ଡ଼ ସୃଷ୍ଟି କରିଛନ୍ତି। ଗତ ସାଧାରଣ ନିର୍ବାଚନରେ ଏଠାରୁ ଦଳୀୟ ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ମଧ୍ୟ ସେ ଢ଼େର ଅଧିକ ଭୋଟ୍‌ ପାଇଛନ୍ତି। ଅନ୍ୟପଟେ କଂଗ୍ରେସକୁ ଅମାନତ ହରାଇବାକୁ ପଡିଥିବାବେଳେ ଭାଜପାର ଭୋଟ କମିଛି।
ରୀତାଙ୍କ ସପକ୍ଷରେ ୧ଲକ୍ଷ ୩୫ହଜାର ୯୫୭ ଖଣ୍ଡ ଭୋଟ ମିଳିଥିବା ଜଣାପଡ଼ିଥିଲା। ସେଥିମଧ୍ୟରେ ଇଭିଏମ୍‌ ଭୋଟ୍‌ ୧ଲକ୍ଷ ୩୫ହଜାର ୯୪୯, ପୋଷ୍ଟାଲ ଭୋଟ ଗୋଟିଏ ଏବଂ ଇଟିପିବିଏସ୍‌ ଭୋଟ୍‌ ୭ଟି ରହିଥିଲା। ତେବେ ତାଙ୍କ ସପକ୍ଷରେ ଯାଇଥିବା ଭୋଟ୍‌ ସମୁଦାୟ ମତଦାନର ୭୩.୮୭ ପ୍ରତିଶତ ହୋଇଥିବାବେଳେ ବିଜେଡି ପୂର୍ବରୁ ୨ଟି ନିର୍ବାଚନରେ ଜିତିଥିଲେ ମଧ୍ୟ ଏତେସଂଖ୍ୟକ ଭୋଟ୍‌ ହାତେଇବାରେ ସକ୍ଷମ ହୋଇ ନ ଥିଲା। ୨୦୧୮ ଉପନିର୍ବାଚନରେ ବିଜେଡିକୁ ୧ଲକ୍ଷ ୨ହଜାର ୮୭୧(୫୬.୬୧ ପ୍ରତିଶତ) ଏବଂ ଗତ ସାଧାରଣ ନିର୍ବାଚନରେ ୧ଲକ୍ଷ ୧୦ହଜାର ୬୦୪(୫୯.୭୮ ପ୍ରତିଶତ)ଭୋଟ୍‌ ମିଳିଥିଲା। ଅନ୍ୟପଟେ ଭାଜପାର ସନତ୍‌
କୁମାର ଗଡ଼ତିଆଙ୍କୁ କେବଳ ଯେ ପୁଣିଥରେ ନିରାଶ ହେବାକୁ ପଡ଼ିଛି ତାହା ନୁହେଁ, ଦଳର ଭୋଟ୍‌ ହାର ଯେଭଳି ହ୍ରାସ ପାଇଛି।
ଭାଜପା ପ୍ରତି ବିଜେପୁରବାସୀ ମୁହଁ ଫେରାଇଥିବା ଆଲୋଚନା ହେଉଛି। ୨୦୧୮ ଉପନିର୍ବାଚନରେ ଭାଜପା ଏଠାରୁ ୬୦ହଜାର ୯୩୮ (୩୩.୫୩ ପ୍ରତିଶତ), ଗତ ସାଧାରଣ ନିର୍ବାଚନରେ ୫୩ହଜାର ୪୮୨(୨୮.୯ ପ୍ରତିଶତ) ଭୋଟ ପାଇଥିବାବେଳେ ଏଥର ଦଳକୁ ମାତ୍ର ୩୭ ହଜାର ୯୬୭(୨୦.୬୩ ପ୍ରତିଶତ) ଭୋଟ୍‌ ମିଳିଛି। ସେହିପରି କଂଗ୍ରେସର ସ୍ଥିତି ଆହୁରି ନୈରାଶ୍ୟଜନକ ହୋଇ ପଡ଼ିଛି। ଦଳୀୟ ପ୍ରାର୍ଥୀ ଦିଲୀପ କୁମାର ପଣ୍ଡାଙ୍କ ଭୋଟ୍‌ ୫୮୭୩ ମଧ୍ୟରେ ସୀମିତ ରହିଛି। ଯାହାକି ସମୁଦାୟ ମତଦାନର ମାତ୍ର ୩.୧୯ ପ୍ରତିଶତ। ଅପରପକ୍ଷେ ଗତ ସାଧାରଣ ନିର୍ବାଚନରେ ଏଠାରୁ କଂଗ୍ରେସକୁ ୧୪ହଜାର ୩୪୪ ଖଣ୍ଡ ଭୋଟ (୭.୭୫ ପ୍ରତିଶତ) ଏବଂ ୨୦୧୮ ଉପନିର୍ବାଚନରେ ୧୦ହଜାର ୨୭୪ ଖଣ୍ଡ ଭୋଟ୍‌ ମିଳିଥିଲା। ସେହିପରି ହିନ୍ଦୁ ମହାସଭା ପ୍ରାର୍ଥୀ ଅଶୋକ କୁମାର ମିତ୍ତଲଙ୍କୁ ୧୨୧୯ ଏବଂ ସ୍ବାଧୀନ ପ୍ରାର୍ଥୀ ବୃନ୍ଦାବନ ପୁରୋହିତଙ୍କୁ ୧୦୫୩ ଖଣ୍ଡ ଭୋଟ ମିଳିଛି। ନୋଟାରେ ୧୯୮୨ ଖଣ୍ଡ ଭୋଟ୍‌ ପଡ଼ିଥିବା ଜଣାପଡିଛି।

Khansweb Solution Bhubaneswar

Leave A Reply

Your email address will not be published.