banner
Breaking

ଓଡ଼ିଶାର ଶୌର୍ଯ୍ୟ ତଥା ପରାକ୍ରମର ଗାଥା ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିବ ଭେଟେରାନ୍ସ କ୍ଲବ। ଦ୍ବିତୀୟ ବାର୍ଷିକ ସାଧାରଣ ବୈଠକ।

0

ଭୁବନେଶ୍ୱର, ୨୨/୧୦ : ଭୁବନେଶ୍ୱର ଶହୀଦନଗର ସ୍ଥିତ ଏମ୍ପାୟାର୍ସ ହୋଟେଲ ପରିସରରେ ଭେଟେରାନ୍ସ କ୍ଲବ ଓଡ଼ିଶାର ଦ୍ୱିତୀୟ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭେଟେରାନ୍ ନିତାଇଗୌର ଧଳଙ୍କ ପୌରୋହିତ୍ୟ ତଥା କ୍ଲବ ସଭାପତି ଭେଟେରାନ୍ ବିଦ୍ୟାଧର ନାୟକଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମଟି ଆୟୋଜନ କରାଯାଇଥିଲା । ଜାତୀୟ ସଙ୍ଗୀତ ଗାନପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଭେଟେରାନ୍ ନିତାଇଗୌର ଧଳ ଭେଟେରାନ୍ସ କ୍ଲବର ଆଗାମୀ ଭବିଷ୍ୟତ କାର୍ଯ୍ୟପନ୍ଥା ସହ ଭୂମି ଅଧିଗ୍ରହଣ ଏବଂ ପ୍ରସ୍ତାବିତ ‘ୱାର ମେମୋରିଆଲ୍’ (ଯୁଦ୍ଧ ସ୍ମାରକୀ)ର ନୀଳ ନକ୍ସା ସହିତ ଭେଟେରାନ୍ସଙ୍କ ପାଇଁ ତାଲିମ କେନ୍ଦ୍ର, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର, ସନ୍ତରଣ ସ୍ଥଳ ଆଦିର ବିଶଦ ଯୋଜନା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ସଭାପତି ତଥା ଭେଟେରାନ୍ସ କ୍ଲବର ଆବାହକ ଭେଟେରାନ୍ ବିଦ୍ୟାଧର ନାୟକ ଏହି କ୍ଲବ ପ୍ରତିଷ୍ଠାର ଉଦ୍ଦେଶ୍ୟ ଏବଂ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । କୌଣସି ପ୍ରକାର ଜାତୀୟ କିମ୍ବା ପ୍ରାଦେଶିକ ସମସ୍ୟାର ସମାଧାନ ନିମନ୍ତେ ଭେଟେରାନ୍ସ କ୍ଲବ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ସହ ଶତ ପ୍ରତିଶତ ସହଯୋଗ କରିବ ବୋଲି ସେ ସମସ୍ତଙ୍କୁ ସ୍ପଷ୍ଟ ଭାବରେ କହିଥିଲେ ।
ଲୋକଙ୍କ ମଧ୍ୟରେ ଜାତୀୟତା ଭାବ ସୃଷ୍ଟି ସହ ସୀମାରେ କାର୍ଯ୍ୟରତ ସୈନିକମାନଙ୍କ ପ୍ରତି ସମ୍ମାନ ତଥା ଅବସରପ୍ରାପ୍ତ ସୈନିକମାନଙ୍କ ସମ୍ମାନପୂର୍ବକ ସହାବସ୍ଥାନ ପାଇଁ ଭେଟେରାନ୍ସ କ୍ଲବ ଉତ୍ସର୍ଗୀକୃତ ଭାବରେ କାମ କରିବ ବୋଲି ସେ କହିଥିଲେ । ବିଶେଷ କରି ଓଡ଼ିଶାରେ ଭେଟେରାନ୍ସ କ୍ଲବ ପକ୍ଷରୁ ପ୍ରସ୍ତାବିତ ଯୁଦ୍ଧ ସ୍ମାରକୀ ସ୍ଥଳରେ ପ୍ରଥମ ବିଶ୍ୱଯୁଦ୍ଧରୁ ଆରମ୍ଭ କରି ଏଯାବତ୍ ଶହୀଦ ବୀର ଓଡ଼ିଆ ସୈନିକମାନଙ୍କ ନାମର ମୁଦ୍ରିତ ଫଳକ ରହିବ। ଯାହା ଓଡ଼ିଶାର ଶୌର୍ଯ୍ୟ ତଥା ପରାକ୍ରମର ଗାଥା ଜାତୀୟ ସ୍ତରରେ ପ୍ରତିଷ୍ଠିତ କରାଇବା ସହ ଦେଶର ଆଗାମୀ ପୀଢ଼ିକୁ ପ୍ରେରିତ କରିବ । ଏଥିପାଇଁ ସେ ରାଜ୍ୟ ସରକାରଙ୍କ ସହଯୋଗ କାମନା କରିଥିଲେ । କ୍ଲବର ସାଧାରଣ ସମ୍ପାଦକ ଭେଟେରାନ୍ ବିଭୁପ୍ରସାଦ ସ୍ବାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ । ଓଡ଼ିଶାର ପ୍ରଭୂତ କ୍ଷତି ଘଟାଇଥିବା ଫନି ବାତ୍ୟା ପରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ କ୍ଲବ ପକ୍ଷରୁ ଏକ ଲକ୍ଷ ଟଙ୍କାର ସହଯୋଗ ରାଶି ସହ ଦିବଂଗତ ଦୁଇ ମେରାଇନ ପୋଲିସ ଅଧିକାରୀଙ୍କ ଅକାଳ ବିୟୋଗରେ ସେମାନଙ୍କ ପ୍ରତି ପରିବାରଙ୍କୁ ୧ଲକ୍ଷ ୫୩ହଜାର ଟଙ୍କା ଲେଖାଏଁ ସହାୟତା ରାଶି ସଂଗ୍ରହ କରି ପ୍ରଦାନ କରାଯିବା ବିଷୟ ବର୍ଣ୍ଣନା କରିଥିଲେ । ଭେଟେରାନ୍ସ କ୍ଲବର ଏଭଳି ମହାନ କାର୍ଯ୍ୟ ପାଇଁ ଉପସ୍ଥିତ ସମସ୍ତ ସଭ୍ୟ କରତାଳି ସହ ଭୂୟସୀ ପ୍ରଶଂସା କରିଥିଲେ । ବାର୍ଷିକ ସାଧାରଣ ବୈଠକ ଅବସରରେ ୨୧ ଜଣ ନୂତନ ଭେଟେରାନ୍ ସଦସ୍ୟତା ଗ୍ରହଣ କରିଥିଲେ ଏବଂ ତନ୍ମଧ୍ୟରୁ ଦୁଇଜଣ ବରିଷ୍ଠ ନୌସୈନିକ ଜାନକୀ ପ୍ରସାଦ ପଟ୍ଟନାୟକ ଓ ଜଗତ ପଟ୍ଟନାୟକ ପୃଷ୍ଠପୋଷକ ସଭ୍ୟରୂପେ ଅଂଶଦାନ କରିଥିଲେ। ଭେଟେରାନ୍ ନିତାଇଗୌର ଧଳ ସମସ୍ତ ନୂତନ ସଦସ୍ୟମାନଙ୍କୁ ପୁଷ୍ପଗୁଚ୍ଛ ସହ ସ୍ୱାଗତ କରିଥିଲେ ତଥା ପୁରାତନ ସଭ୍ୟମାନଙ୍କ ସହ ପରିଚିତ କରାଇଥିଲେ। ସମସ୍ତଙ୍କ ସହଯୋଗ ଏବଂ ଶୁଭକାମନା ସହ ଅତ୍ୟନ୍ତ ଉତ୍ସାହପୂର୍ଣ୍ଣ ବାତାବରଣ ମଧ୍ୟରେ ଭେଟେରାନ୍ ସରୋଜ କୁମାର ରଥ ନୂତନ ସାଧାରଣ ସମ୍ପାଦକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଭେଟେରାନ୍ ସମରେନ୍ଦ୍ର ପରିଜା ବୈଠକର ସଫଳ ଆୟୋଜନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମ ସମାପନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭେଟେରାନ୍ ବିମଳ ପ୍ରସାଦ ବାରିକ, ଅଜୟ କୁମାର ନାୟକ, ହରପ୍ରସାଦ ଦୋରା, ବିଷ୍ଣୁପ୍ରସାଦ ଦାଶ, ଅନ୍ତର୍ଯ୍ୟାମୀ ଦାଶ, ଦୀନବନ୍ଧୁ ଷଡ଼ଙ୍ଗୀ, କ୍ୟାପଟେନ ରବୀନ୍ଦ୍ର କୁମାର ପଟ୍ଟନାୟକ, ସେନା ମେଡାଲ ରବୀନ୍ଦ୍ର କୁମାର ସାହୁ, ଜଗତ ପଟ୍ଟନାୟକ, ଗୋପୀନାଥ ମିଶ୍ର, ମନୋଜ କୁମାର ସେନାପତି, ମୃତ୍ୟଞ୍ଜୟ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.