banner
Breaking

ଉଚ୍ଚ ନ୍ୟାୟାଳୟ ସ୍ଥାନାନ୍ତର ଓ ଭୁବନେଶ୍ୱରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି

0

ଭୁବନେଶ୍ୱର : କଟକରେ ଥିବା ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ରାଜଧାନୀକୁ ସ୍ଥାନାନ୍ତର ଓ ଭୁବନେଶ୍ୱରକୁ ସ୍ବତନ୍ତ୍ର ଜିଲା ମାନ୍ୟତା ଦାବି ପୁଣି ଥରେ ଜୋର ଧରିଛି। ଏ ନେଇ ଭୁବନେଶ୍ୱର ଓକିଲ ସଂଘର ଶତାଧିକ ଆଇନଜୀବୀ ଶୁକ୍ରବାର ଜିଲାଜଜ୍‌ଙ୍କୁ ଘେରିବା ସହ କୋର୍ଟ ଫାଟକରେ ତାଲା ପକାଇ ଦୀର୍ଘ ସମୟ ଧାରଣାରେ ବସିଥିଲେ। ସକାଳ ୯ଟାରୁ ସା ୫ଟା ପର୍ଯ୍ୟନ୍ତ ଆଇନଜୀବୀମାନେ ଧାରଣାରେ ବସି ରହିଥିଲେ। ଅପରପକ୍ଷରେ କୋର୍ଟ ଖୋଲା ରହିଥିଲେ ମଧ୍ୟ ଫାଟକରେ ତାଲା ପଡ଼ିଥିବାରୁ ବିଚାରପତିମାନେ ଭିତରକୁ ଯାଇ ନ ପାରି ଆନ୍ଦୋଳନସ୍ଥଳରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ଫଳରେ କୋର୍ଟ କାର୍ଯ୍ୟ ବ୍ୟାଘାତ ହେବା ସହ ବହୁ ମାମଲାର ଶୁଣାଣି ହୋଇପାରି ନ ଥିଲା । ଲୋକମାନେ ବହୁ ସମୟ ଅପେକ୍ଷା କରି ଘରକୁ ଫେରିଥିଲେ। ଅନ୍ୟପଟେ ଭୁବନେଶ୍ୱର ରାଜ୍ୟର ରାଜଧାନୀ ତଥା ୧ନଂ ସ୍ମାର୍ଟସିଟି ହୋଇ ମଧ୍ୟ ସବ୍‌ଡିଭିଜନ ହୋଇରହିଛି । ତେଣୁ ସରକାର ତୁରନ୍ତ ଭୁବନେଶ୍ୱରକୁ ଏକ ସ୍ବତନ୍ତ୍ର ଜିଲା ଘୋଷଣା କରନ୍ତୁ। ନହେଲେ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ପ୍ରକାଶଯୋଗ୍ୟ, ୧୯୯୧ରୁ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ରାଜଧାନୀକୁ ଉଚ୍ଚ ନ୍ୟାୟାଳୟ ସ୍ଥାନାନ୍ତର ଏବଂ ୧୯୯୬ରୁ ଭୁବନେଶ୍ୱରକୁ ଏକ ସ୍ବତନ୍ତ୍ର ଜିଲା ଦାବି କରାଯାଇ ଆସୁଅଛି । ଏନେଇ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଅତୀତରେ ରାଷ୍ଟ୍ରପତି ସ୍ବର୍ଗତ ଅବଦୁଲ କଲାମ, ଲୋକସଭା ବାଚସ୍ପତି ସୋମନାଥ ଚାଟ୍ଟାର୍ଜୀ, ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ବର୍ତ୍ତମାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଦାବିପତ୍ର ଦିଆଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଜଧାନୀରେ ହାଇକୋର୍ଟ ପ୍ରତିଷ୍ଠା ନିମନ୍ତେ ଚନ୍ଦ୍ରଶେଖରପୁରରେ ୧୫୦ଏକର ଜମି ଚିହ୍ନଟ କରିଥିଲେ। କିନ୍ତୁ ପରବର୍ତ୍ତୀ ସରକାର ଏବଂ ବର୍ତ୍ତମାନର ସରକାର ଏହାକୁ ଭୁଲି ଯାଇଛନ୍ତି। ବାରମ୍ବାର ଗୁହାରି କଲେ ମଧ୍ୟ କୌଣସି ସୁଫଳ ଏଯାବତ ମିଳିପାରିନାହିଁ। ତେଣୁ ଏହାର ପ୍ରତିବାଦରେ ଓକିଲ ସଂଘ ପକ୍ଷରୁ ପ୍ରତ୍ୟେକ ଶୁକ୍ରବାର ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଉଛି। ଏହି ଧାରଣାରେ ଓକିଲ ସଂଘ ପରିଚାଳନା କମିଟିର ମୁଖ୍ୟ ଶିବାନନ୍ଦ ରାୟ, ପୂର୍ବତନ ସଭାପତି, ସମ୍ପାଦକ ରାଜକିଶୋର ଦାସ, ସଭାପତି ରବି ନାରାୟଣ ସାମନ୍ତରାୟ, ମଧୁମାଧବ ଜେନା, ଆତ୍ମପ୍ରକାଶ ମହାନ୍ତି, ଜ୍ଞାନରଞ୍ଜନ ମହାନ୍ତି, ଅଶୋକ କୁମାର ପାତ୍ର, ବନବିହାରୀ ମହାନ୍ତି, ନିର୍ମଳ କିଶୋର ରଥ, ଚିତ୍ତରଞ୍ଜନ ଦାଶ, ସୀତାଂଶୁ ମୋହନ ଦ୍ୱିବେଦୀ, ଏସ.କେ ସୁବୁଦ୍ଧି ଓ ସୁରେଶ ବାରିକ ପ୍ରମୁଖ ଯୋଗଦେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.