banner
Breaking

ଆସୁଛି ମୌସୁମୀ ବିଏମସିର ଦେଖା ନାହିଁ

0

ଭୁବନେଶ୍ୱର, ୧୫।୫ (ବ୍ୟୁରୋ): ରାଜଧାନୀବାସୀଙ୍କ ପାଇଁ ଜଳବନ୍ଦୀ ସମସ୍ୟା ନୂଆ ନୁହେଁ। ଅସରାଏ ବର୍ଷା ହେଲେ ସ୍ମାର୍ଟ ସିଟି ଭୁବନେଶ୍ୱରର ରୂପ ପୁରାପୁରି ବଦଳିଯାଏ। କେଉଁଠି ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରୁହେ ତ ଆଉ କେଉଁଠି ରାସ୍ତାରେ ଜମିଥିବା ପାଣିରେ ଗାଡ଼ି ଫସିଯାଏ। ଚଳିତ ବର୍ଷ ଏପର ପରିସ୍ଥିତି ସୃଷ୍ଟି ହେବନାହିଁ ବୋଲି ବିଏମ୍‌ସି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଜୁନ୍‌ ମାସରେ ମୌସୁମୀ ଆସିବ ବୋଲି ପାଣିପାଗ ବିଭାଗ ଆକଳନ କରିସାରି ଥିବାବେଳେ ଏ ପର୍ଯ୍ୟନ୍ତ ବିଏମ୍‌ସି ପକ୍ଷରୁ ସେପରି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ବିଏମ୍‌ସି ପକ୍ଷରୁ ସହରର ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ଚଳିତ ବଜେଟ୍‌ରେ ସ୍ବତନ୍ତ୍ର ବ୍ୟୟ ବରାଦ ହୋଇଛି। ସହରର ୧୩ଟି ମୁଖ୍ୟ ଡ୍ରେନ୍‌ର ପୁନରୁଦ୍ଧାର, ସମ୍ପ୍ରସାରଣ ଓ ମରାମତି ପାଇଁ ଜମିଅଧିଗ୍ରହଣ କରାଯିବ। ଡ୍ରେନ୍‌ ପାଇଁ ଜମି ଅଧିଗ୍ରହଣରେ ୪୦ କୋଟି ୨୩ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ନାଚୁରାଲ୍‌ ଡ୍ରେନ୍‌ ଓ ଓପନ୍‌ଡ୍ରେନ୍‌ ପାଇଁ ୪୫ କୋଟିର ବ୍ୟୟବରାଦ ହୋଇଛି। କିନ୍ତୁ ଜମି ଅଧିଗ୍ରହଣ ଦୂରର କଥା ଡ୍ରେନ୍‌ ସଫେଇ ମଧ୍ୟ ସରିନାହିଁ। ଜଳବନ୍ଦୀ ମୁକାବିଲା ପାଇଁ ମୌସୁମୀର ଅବ୍ୟବହିତ ପୂର୍ବରୁ ଏପ୍ରିଲରେ ପ୍ରାକ୍‌ ମୌସୁମୀ ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ମେ’ ଶେଷ ସୁଦ୍ଧା ସହରର ସମସ୍ତ ଡ୍ରେନ୍‌ ସଫା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଆଉ ୧୫ଦିନ ରହିଥିବା ବେଳେ ଏପର୍ଯ୍ୟନ୍ତ ସହରର ବହୁ ଡ୍ରେନ ସଫା ହୋଇ ପାରିନାହିଁ। ତେଣୁ ଏଥର ମଧ୍ୟ ବର୍ଷା ପାଣିରେ ରାଜଧାନୀବାସୀ ଅସ୍ତବ୍ୟସ୍ତ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି।

ସମସ୍ୟା ପାଇଁ ଅନେକ ସମୟରେ ବିଏମ୍‌ସିକୁ ସମାଲୋଚନାର ଶିକାର ହେବାକୁ ପଡିଛି। ବିଶେଷକରି ୨୦୨୧ରେ ବରମୁଣ୍ଡା ଅଞ୍ଚଳର ଜଣେ ଛାତ୍ର ସୌଭାଗ୍ୟ ନଗର ନିକଟରେ ଥିବା ଡ୍ରେନ୍‌ରେ ଭାସିଯାଇଥିଲେ। ପରଦିନ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହାପରେ ବିଏମସି ପକ୍ଷରୁ ସହରରେ ଥିବା ୭୫ଟି ସମ୍ବେଦନଶୀଳ ସ୍ଥାନକୁ ଚିହ୍ନଟ କରାଯାଇଥିଲା। ଏହି ସବୁ ସ୍ଥାନରେ ଜମି ଅଧିଗ୍ରହଣ ହେବା ଲାଗି ମୋଟ ୧୪ ଏକର ଜାଗା ଚିହ୍ନଟ କରାଯାଇଥିଲା। ଏହା ଦ୍ୱାରା ଭୁବନେଶ୍ୱରର ୧୦ ଟି ପ୍ରମୁଖ ଏବଂ ୨ଟି ଶାଖା ଡ୍ରେନରେ ଜଳ ନିଷ୍କାସନ ପାଇଁ ବାଟ ଫିଟିଥାନ୍ତା। ମାତ୍ର ୧ବର୍ଷ ବିତି ଯାଇଥିଲେ ବି ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ। ଏହା କେବଳ ଗୋଟିଏ ଘଟଣା ନୁହେଁ। ସହରର ମୁକୁଳା ଡ୍ରେନ୍‌ରେ ପଡି ଅନେକ ସମୟରେ ଲୋକମାନେ ଆହତ ହେବା ସହ ଏକାଧିକ ଜୀବନ ଯାଇଛି। ତଥାପି ଚେତୁନି ବିଏମ୍‌ସି। ଏ ସମ୍ପର୍କରେ ବିଏମ୍‌ସିର ଡ୍ରେନେଜ ବିଭାଗ ଅଧିକାରୀ କହିଛନ୍ତି, ଏଥର ବର୍ଷାରେ ପୁନରାବୃତ୍ତି ହେବ ନାହିଁ। ଡ୍ରେନ୍‌ ସଫେଇ କାମ ଚାଲିଛି। ମେ’ ଶେଷ ସୁଦ୍ଧା ଗୋଟେ ରାଉଣ୍ଡ ସରିଯିବ। ଡ୍ରେନ ସଫା ପରେ ଅଳିଆଗୁଡିକୁ ଦିନେ ଦୁଇଦିନ ମଧ୍ୟରେ ସ୍ଥାନାନ୍ତର କରାଯାଉଛି। ସପ୍ଟେମ୍ବର ସୁଦ୍ଧା ସମସ୍ତ କାମ ସରିବ ବୋଲି ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.