banner
Breaking

ଆଗାମୀ ଦିନରେ ପରୀକ୍ଷାର୍ଥୀ ହେବେ ହଇରାଣ।

0

ଭୁବନେଶ୍ୱର, ୧୬ା୧୦(ବ୍ୟୁରୋ):  ଆଗାମୀ ଦିନରେ ଭୁବନେଶ୍ୱର ଭିତରେ ହୋଇ ନ ପାରେ ଆର୍ମି ପରୀକ୍ଷା। ୧୨୦ ବାଟାଲିୟନରେ ଚାଲିଥିବା ଟେରିଟୋରିଆଲ ଆର୍ମି ପରୀକ୍ଷାକୁ ଆସୁଥିବା ପରୀକ୍ଷାର୍ଥୀମାନେ ପାର୍କ, ଟ୍ରେନ୍‌ ଓ ଷ୍ଟେଶନରେ ଆତଙ୍କ ସୃଷ୍ଟି କରିବା ପରେ ଏଭଳି ନିଷ୍ପତ୍ତି ନେଇଛି କମିଶନରେଟ ପୋଲିସ। ଏ ସଂକ୍ରାନ୍ତରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ବୁଧବାର ବାଟାଲିୟନ କର୍ତ୍ତପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ଚିଠି ଲେଖି କେତେକ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାରଙ୍କୁ ମଧ୍ୟ ଏନେଇ ଅବଗତ କରାଯାଇଛି।
କମିଶନର ଷଡ଼ଙ୍ଗୀ କହିଛନ୍ତି, ସୈନ୍ୟ ବାହିନୀରେ ନିଯୁକ୍ତି ପାଇବାକୁ ୮ ବର୍ଗର ମୋଟ ୮୩ ପଦବୀ ପାଇଁ ପ୍ରାୟ ୪୦ ହଜାର ପରୀକ୍ଷାର୍ଥୀ ରାଜ୍ୟ ତଥା ବାହାରୁ ଭୁବନେଶ୍ୱରକୁ ଆସିଛନ୍ତି। ପରୀକ୍ଷାରେ ଫେଲ୍‌ ହେବା ପରେ ସେମାନେ ଏଭଳି ନାନା ଭାବେ ଗଣ୍ଡଗୋଳ କରୁଛନ୍ତି। ମଙ୍ଗଳବାର ସେମାନେ ଭୁବନେଶ୍ୱର ଷ୍ଟେଶନରେ ପୁରୁଷୋତ୍ତମ ଏକ୍ସପ୍ରେସରେ ଜବରଦସ୍ତ ପ୍ରବେଶ କରି ଯାତ୍ରୀମାନଙ୍କୁ ହଇରାଣ କରିଥିଲେ। ଲଗେଜ ଭଙ୍ଗାରୁଜା କରିବା ସହ ଆତଙ୍କ ସୃଷ୍ଟି କରିଥିଲେ। ସେହିଭଳି ଆଇଜି ପାର୍କରେ ଯୁବତୀଙ୍କୁ କମେଣ୍ଟମାରିବା ସହ ଅନ୍ୟ କେତେଜଣଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ପରୀକ୍ଷା ଆରମ୍ଭ ହେବାଠାରୁ ଏମାନେ ବିଶୃଙ୍ଖଳା ସୃଷ୍ଟି କରିଚାଲିଛନ୍ତି। ତେଣୁ ଆଗକୁ ଏଭଳି ପରୀକ୍ଷା ରାଜଧାନୀରେ ନ କରିବା ପାଇଁ ସ୍ଥିର କରାଯାଇଛି। ରାଜଧାନୀ ଉପକଣ୍ଠ, ଗ୍ରାମାଞ୍ଚଳ କିମ୍ବା ଅନ୍ୟ କୌଣସି ସ୍ଥାନରେ ଆର୍ମି ପରୀକ୍ଷା ଆୟୋଜନ କରାଯାଉ ବୋଲି କମିଶନର ଷଡ଼ଙ୍ଗୀ ପରାମର୍ଶ ଦେଇଛନ୍ତି।
ସୂଚନାନୁସାରେ, ମଙ୍ଗଳବାର ପରୀକ୍ଷା ସରିବା ପରେ ଉତ୍ତରପ୍ରଦେଶର ପରୀକ୍ଷାର୍ଥୀମାନେ ରାତିରେ ଭୁବନେଶ୍ୱର ରେଳ ଷ୍ଟେଶନରେ ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌ର ସଂରକ୍ଷିତ ବଗିରେ ଜବରଦସ୍ତ ପଶିଥିଲେ। ଯାତ୍ରୀମାନଙ୍କୁ ହଇରାଣ କରିବା ସହ ଗଣ୍ଡଗୋଳ କରିଥିଲେ। ଏପରି କି ସେମାନେ ୫ଥର ଚେନ୍‌ ପୁଲ୍‌ କରିବାରୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଶେଷରେ ଆର୍‌ପିଏଫ୍‌ ବାଧ୍ୟହୋଇ ଲାଠି ଚାଳନା କରିଥିଲା। ଏହାପରେ ଷ୍ଟେଶନରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବା ସହ ସୁରକ୍ଷାକୁ ବଢାଇ ଦିଆଯାଇଛି। ସେହିଭଳି ପରୀକ୍ଷା ସରିବା ପର୍ଯ୍ୟନ୍ତ ଷ୍ଟେଶନରେ ଦୁଇ ପ୍ଲାଟୁନ ଆର୍‌ପିଏଫ୍‌ ଓ ଜିଆର୍‌ପି ମୁତୟନ ରହିବେ। ଯାତ୍ରୀମାନଙ୍କର ଟିକେଟ ଯାଞ୍ଚ କରି ଟ୍ରେନ୍‌ ଭିତରକୁ ଛାଡ଼ିବେ।

Khansweb Solution Bhubaneswar

Leave A Reply

Your email address will not be published.