banner
Breaking

ପ୍ରେମ, ପ୍ରତାରଣା ପାଇଁ ତାଲିଗଲା ଜୀବନ

0

ଭୁବନେଶ୍ୱର,୧।୨(ବ୍ୟୁରୋ): ପ୍ରେମିକାଙ୍କ ପ୍ରତାରଣା ଶେଷରେ ଜଣେ ମଡେଲଙ୍କ ପ୍ରାଣ ନେଇଗଲା। ସୋମବାର ଇନ୍‌ଫୋସିଟି ଥାନା ନନ୍ଦନବିହାର ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ମଡେଲ ହେଲେ ସୌମ୍ୟରଞ୍ଜନ ପାଣିଗ୍ରାହୀ(୩୧)। ସେ ରହୁଥିବା ଘରୁ ତାଙ୍କର ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିବା ସହ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏଥିସହ ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ. ୮/୨୨) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ନିକଟରୁ ମିଳିଥିବା ସୁଇସାଇଡାଲ ନୋଟ୍‌ରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ପ୍ରେମିକାଙ୍କ ପ୍ରତାରଣା ପାଇଁ ପୁଅର ଜୀବନ ଯାଇଥିବା ବାପା ସୁଧାକର ପାଣିଗ୍ରାହୀ କହିଛନ୍ତି। ଅପରପକ୍ଷରେ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ ସମିତା ମିଶ୍ର କହିଛନ୍ତି।
ସୂଚନା ଅନୁଯାୟୀ, ସୌମ୍ୟଙ୍କ ପରିବାର ନନ୍ଦନବିହାରରେ ଘର ଭଡ଼ା ନେଇ ରହୁଛନ୍ତି। ସୌମ୍ୟ ମୁମ୍ବାଇରେ ଦୁଇବର୍ଷ ହେବ ମଡେଲିଂ କରୁଥିଲେ। କରୋନା ପାଇଁ ସେ ଭୁବନେଶ୍ୱର ଚାଲି ଆସିଥିଲେ। ସ୍ଥାନୀୟ ଥାନା ଅନ୍ତର୍ଗତ ଇନଫୋସିସ୍‌ ନିକଟରେ ଚା’ ଖଟି ନାମରେ ଏକ କାଫେ ଖୋଲିଥିଲେ। ଦୁଇବର୍ଷର ରହଣି ଭିତରେ ତାଙ୍କର ଜଣେ ଗାୟିକାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟଙ୍କ ପରିବାର ଲୋକେ ଜାଣିବା ପରେ ସେମାନଙ୍କ ବିବାହ ପାଇଁ ଯୋଜନା କରିଥିଲେ। ହେଲେ ଯୁବତୀ ଜଣକ କିଛିଦିନ ହେବ ସୌମ୍ୟଙ୍କୁ ପ୍ରତାରଣା କରିବାରୁ ସେ ଭାଙ୍ଗି ପଡ଼ିଥିଲେ। ରବିବାର ରାତିରେ ସେ ତାଙ୍କ ରୁମ୍‌କୁ ଯାଇ ଶୋଇଥିଲେ। ସୋମବାର ସକାଳେ ବହୁ ସମୟ ପର୍ଯ୍ୟନ୍ତ କବାଟ ଖୋଲି ନ ଥିଲେ। ପରିବାର ଲୋକେ କବାଟ ଭାଙ୍ଗି ଦେଖିବାବେଳକୁ ସୌମ୍ୟ ଫ୍ୟାନରେ ଝୁଲୁଥିଲେ। ପରିବାର ଲୋକଙ୍କଠାରୁ ଖବର ପାଇ ପୋଲିସ ସାଇଣ୍ଟିଫିକ୍‌ ଟିମ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

Khansweb Solution Bhubaneswar

Leave A Reply

Your email address will not be published.