banner
Breaking

ଶାଶୁ ଘରକୁ ପ୍ରବେଶ କଲେ ତପସ୍ବିନୀ

0

ବ୍ରହ୍ମପୁର ,୬ା୧: ସୁମିତ ସାହୁ-ତପସ୍ବିନୀ ଦାଶଙ୍କ ପାରିବାରିକ ବିବାଦର ଅନ୍ତ ଘଟିଛି। ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ତପସ୍ବିନୀ ଗୁରୁବାର ରାତିରେ ଶାଶୁଘରେ ପ୍ରବେଶ କରିଛନ୍ତି । ତପସ୍ବିନୀ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶାଶୁଘରେ ରହିବେ ଓ ଡା. ସୁମିତ ତାଙ୍କ ଭରଣପୋଷଣ ବାବଦକୁ ୧୭ ହଜାର ଟଙ୍କା ଲେଖାଏ ପ୍ରତି ମାସରେ ଦେବେ ବୋଲି ଗତ ୪ ତାରିଖରେ ଜିଲା ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ତପସ୍ବିନୀ ଘରର ଉପର ମହଲାରେ ରହିବେ ବୋଲି ତାଙ୍କ ଶ୍ବଶୁର ପ୍ରମୋଦ ସାହୁ କହିଥିଲେ।

ଏଥିରେ ତପସ୍ବିନୀ ପ୍ରଥମେ ରାଜି ନ ହୋଇ ପୂର୍ବଭଳି ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହ ଘର ବାରଣ୍ଡାରେ ବସି ରହିଥିଲେ। ସେପଟେ ଶ୍ୱଶୁର ଗୁରୁବାର ଲୋକ ଲଗାଇ ଉପର ମହଲା ସଫାସୁତରା କରାଇଥିଲେ। ହେଲେ ସନ୍ଧ୍ୟାରେ ଉପର ମହଲାକୁ ଜଣେ ଯୁବକ ଆସି ଫାଟକରେ ତାଲା ପକାଇବା ସହ ପ୍ରମୋଦ ସାହୁ ତାଙ୍କୁ ସେହି ଘର ଭଡାରେ ଦେଇଛନ୍ତି ବୋଲି କହିଥିଲେ। ଏହାକୁ ନେଇ ତପସ୍ବିନୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ତାଙ୍କୁ କାହିଁକି ହଇରାଣ କରାଯାଉଛି ବୋଲି ପ୍ରଶ୍ନ କରିିଥିଲେ । ପରେ ତପସ୍ବିନୀଙ୍କ ଓକିଲ ଦୀପକ ପଟ୍ଟନାୟକ, ପ୍ରଦୀପ ବେହେରା ଓ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଓକିଲ ମାନସ ଚାନ୍ଦ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଓ ପ୍ରଶାସନ ସହ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା ଅଦାଲତଙ୍କ ରାୟରେ ସୁମିତଙ୍କ ଘରେ ତପସ୍ବିନୀ ରହିବେ ବୋଲି ଉଲ୍ଲେଖ ନ ଥିବା କହିବାରୁ ଘଟଣାରେ ନୂଆ ମୋଡ ସୃଷ୍ଟି ହୋଇଥିଲା। ଏହାକୁ ନେଇ ଉତ୍ତେଜନାପୂର୍ଣ୍ଣ ସ୍ଥିତି ହେବାପରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅସୀମ ପଣ୍ଡା, ଜିଲା ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର, ତହସିଲଦାର ରିବନାରାୟଣ ମିଶ୍ର, ବୈଦ୍ୟନାଥପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରାୟ ୩ ଘଣ୍ଟା ଆଲୋଚନା ପରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ତପସ୍ବିନୀଙ୍କୁ ନେଇ ତାଙ୍କ ଶାଶୁ ଘର ଉପର ମହଲାରେ ଛାଡ଼ିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.