ଭୁବନେଶ୍ୱର,୧୧/୧୨(ଓଡ଼ିଆ ନ୍ୟୁଜ): ଆସନ୍ତା ଜାନୁଆରୀ ୨ ତାରିଖରେ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ଓ ସହୀଦ ସ୍ମୃତିସ୍ତମ୍ଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ଓଡିଶା ତଥା
ବାହାର ରାଜ୍ୟର ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଏବଂ ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ ଆସିଥିବା ସହୀଦ ପୀଠ ମାଟିର ପରିବାର ଓ କର୍ମକର୍ତ୍ତାମାନେ ଯୋଗଦେବେ । ରାମ ଧ୍ୱନିରୁ କାର୍ଯ୍ୟକ୍ରମ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ
ଦ୍ୱାରା ସ୍ମୃତିସ୍ତମ୍ଭ ଉଦଘାଟନ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ମହାମହିମ ରାଜ୍ୟପାଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଏ ସମସ୍ତ କାର୍ଯ୍ୟକ୍ରମ ପାଇଁ ପ୍ରତିଥର ପରି ଏଥର ମଧ୍ୟ ଅଭ୍ୟର୍ଥନା କମିଟି ଗଠନ କରାଯିବ । ଯାହାର ଅଧକ୍ଷ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମନ୍ତ୍ରୀ ରଘୁନନ୍ଦନ ଦାସ ରହିବେ ବୋଲି
ଓଡିଶା ରାଜ୍ୟ ସ୍ୱାଧୀନତା ସଂଗ୍ରାମ ସମିତି ପକ୍ଷରୁ
ଆୟୋଜିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି
ନିଆଯାଇଛି ।
ଆଜି ସ୍ୱାଧୀନତା ସଂଗ୍ରାମୀ ଭବନ ଠାରେ ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ
ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସାସଂଦ ଭର୍ତ୍ତୁହରି ମହତାବ,ବାଙ୍କିର ପୁର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ଉପେନ୍ଦ୍ର ପାଢୀ, ବିରୂପାକ୍ଷ ତ୍ରିପାଠୀ,ଦୁଃଶାସନ ସ୍ୱାଇଁ,ପ୍ରଶାନ୍ତ ଦାସ, ଅଭୟ ବଡଜେନା,ମାଲା ସିଂ, ବ୍ରଜବନ୍ଧୁ ପରିଡା, ସନ୍ତୋଷ ପତି, ଗିରିଜା ଶଙ୍କର
ମୋହାପାତ୍ରଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ସବରମତୀ ଆଶ୍ରମର ସୁରକ୍ଷା ଓ ୧୮୧୭ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ପ୍ରସ୍ତାବ ଉଠିଥିଲା ।




