banner
Breaking

ମୃତ ଛାତ୍ରଙ୍କ ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇଲା ଭାଜପା।

0

ଭୁବନେଶ୍ୱର, ୨୧।୯ (ବ୍ୟୁରୋ):ସ୍ମାର୍ଟସିଟିର ମୁକୁଳା ଡ୍ରେନ୍‌ରେ ଭାସିଯାଇ ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତ୍ୟୁ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)କୁ ଦାୟୀ କରିଛି ଭାଜପା। ରବିବାର ବିଏମ୍‌ସି କମିଶନରଙ୍କ ନାଁରେ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଥିବାବେଳେ ସୋମବାର ତାଙ୍କ ଗିରଫ ସହ ମୃତ ଛାତ୍ରଙ୍କୁ ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଛି ଭୁବନେଶ୍ୱର ସାଙ୍ଗଠନିକ ଜିଲା ଭାଜପା ଓ ମହିଳା ମୋର୍ଚ୍ଚା। ଜିଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ବିଏମ୍‌ସି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଥିଲା। ବିଏମ୍‌ସି ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମବେଳେ ପୋଲିସ ସହ ଭାଜପା ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଧସ୍ତାଧସ୍ତି ହୋଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ କେତେଜଣଙ୍କୁ ଗିରଫ କରିଥିଲା।
ଜିଲା ସଭାପତି ସିଂ କହିଛନ୍ତି, ବିଏମ୍‌ସିର ଅବହେଳା ପାଇଁ ଜଣେ ନାବାଳକର ଜୀବନ ଯାଇଥିବାରୁ ନରହନ୍ତା ଅଧିକାରୀଙ୍କୁ ତୁରନ୍ତ ଗିରଫ ସହ ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉ। କୌଣସି ପରିସ୍ଥିତିରେ ଡ୍ରେନ୍‌ ମୁକୁଳା ରହିପାରିବ ନାହିଁ ଓ ସମସ୍ତ ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରାଜଧାନୀରେ ବିଏମ୍‌ସି ଏହି ଗାଇଡ୍‌ଲାଇନକୁ ଖୋଲାଖୋଲି ଉଲ୍ଲଂଘନ କରିଚାଲିଛି। ଅପରପକ୍ଷେ ଏଭଳି ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରି ଦେଇଥିବାବେଳେ ଦୀର୍ଘ ୧୦ବର୍ଷ କାଳ ଭୁବନେଶ୍ୱର ମେୟର ହୋଇଥିବା ବିଧାୟକ ଅନନ୍ତ ନାରାୟଣ ଜେନା ଏହାକୁ ଦୈବି ଦୁର୍ବିପାକ କହିବା ନିହାତି ପକ୍ଷେ ହାସ୍ୟାସ୍ପଦ ବୋଲି ସେ କହିଛନ୍ତି। ବିକ୍ଷୋଭରେ ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାପତି କସ୍ତୁରୀ ମିଶ୍ର, ରାଜ୍ୟ ମହିଳା ମୋର୍ଚ୍ଚାର ଇରାନୀ ରାୟ ପ୍ରମୁଖ ସାମିଲ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.