banner
Breaking

ଦିନକୁ ୨୫ ହଜାର ଟେଷ୍ଟ ହେବ।

0

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଚିନ୍ତା ବଢ଼ାଇଲାଣି କରୋନାର ଦ୍ୱିତୀୟ ଲହର। ଭାରତରେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର କରିଥିବା ବେଳେ ଓଡ଼ିଶାରେ ଏହା ପାଖାପାଖି ୯ ହଜାରରେ ପହଞ୍ଚିଲାଣି। ଏଭଳି ସ୍ଥିତି ଜାରି ରହିଲେ ଆଗାମୀ ଦିନରେ ପରିସ୍ଥିତି ନିୟନ୍ତ୍ରଣ କରାଯାଇ ନ ପାରେ। ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ବିଫଳ ହେଲେ ଅନ୍ୟ ପ୍ରଭାବିତ ରାଜ୍ୟଗୁଡ଼ିକ ଭଳି ପରିସ୍ଥିତି ଉପୁଜିପାରେ। ଏଭଳି ସ୍ଥିତିରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଶନିବାର ସାମ୍ବାଦିକ ସମ୍ମିଳନୀରେ କୋଭିଡ ନିୟମ ପାଳନ କରିବାକୁ ନିବେଦନ କରିଛନ୍ତି।

ସେ କହିଛନ୍ତି, ଦ୍ୱିତୀୟ ଲହର ଏତେ ଭୟଙ୍କର ହେବ ବୋଲି ଆଶା କରି ନ ଥିଲୁ। ଏବେ ଦେଶର ୮୦ ପ୍ରତିଶତ କେସ୍‌ ୮ କିମ୍ବା ୯ ରାଜ୍ୟରୁ ଆସୁଛି। ହେଲେ ସଂକ୍ରମଣରେ ଜାତୀୟ ହାରରେ ଓଡ଼ିଶାର ଭାଗ ପ୍ରାୟ ୧.୮% ରହିଛି। ଶୁକ୍ରବାର ରାଜ୍ୟରେ ସଂକ୍ରମଣରେ ସର୍ବକାଳୀନ ରେକର୍ଡ ୮୬୮୧ ହୋଇଛି। ତେବେ କୋଭିଡ୍‌ ନିୟମ ପାଳନ କଲେ ଏହାକୁ ନିୟନ୍ତ୍ରଣ କରିହେବ। ଏଥିପାଇଁ ମାସ୍କ ପିନ୍ଧନ୍ତୁ, ବଜାର ଗଲେ ସଚେତନ ରୁହନ୍ତୁ ବୋଲି ସେ କହିଛନ୍ତି।

ଏହାଛଡ଼ା ରାଜ୍ୟରେ ଟେଷ୍ଟିଂକୁ ବୃଦ୍ଧି କରାଯାଇଛି ବୋଲି ସେ କହିବା ସହ ଆଗାମୀ ଦିନରେ ୨୫ହଜାର ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ ଲକ୍ଷ୍ୟ ରହିଥିବା କହିଛନ୍ତି। ପଶ୍ଚିମବଙ୍ଗ, ଛତିଶଗଡ଼ ସୀମା ସିଲ କରି ସଂକ୍ରମଣ ନିୟନ୍ତ୍ରଣ ଲାଗି ଚେଷ୍ଟା କରିଛୁ। ଦେଶର ସ୍ଥିତି କେଉଁ ଆଡକୁ ଯିବ, କେହି ଆକଳନ କରିପାରୁନାହାନ୍ତି। ଯେତେ ପଦକ୍ଷେପ ନେଲେ ବି କୋଭିଡ ଲହର ଏପର୍ଯ୍ୟନ୍ତ କମିନାହିଁ। ହସ୍ପିଟାଲ ବ୍ୟବସ୍ଥା ଅନୁଯାୟୀ ଏବେ ଠିକ୍‌ ଅବସ୍ଥାରେ ରହିଛୁ। ଆଗକୁ ସ୍ଥିତି କଣ ହେବ ତାହା ଆକଳନ କରିହେଉନାହିଁ। ଏବେ ୩୩% ସାଧାରଣ ବେଡ୍‌, ୬୯% ଆଇସିୟୁ, ୩୫% ଭେଣ୍ଟିଲେଟର ବ୍ୟବହୃତ ହେଉଛି। ରାଜ୍ୟରେ ଅକ୍ସିଜେନର କୌଣସି ଅଭାବ ନାହିଁ। କୌଣସି ହସ୍ପିଟାଲରେ ଯେପରି ସିଲିଣ୍ଡର ଖାଲି ରହିବ ନାହିଁ ସେଥିପାଇଁ ନିର୍ଦ୍ଦେଶ ହୋଇଥିବା ସଚିବ ମଧ୍ୟ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.