banner
Breaking

୩୯ତମ ବିଶ୍ୱ କବି ସମ୍ମିଳନୀ ଉଦ୍‍ଯାପିତ। ବିଶ୍ୱକୁ ପରିବର୍ତ୍ତନ କରିବାର କ୍ଷମତା କବିତାର ରହିଛି: ଉପରାଷ୍ଟ୍ରପତି

0

ଭୁବନେଶ୍ୱର, ୬ ।୧୦(ଓଡ଼ିଆ ନ୍ୟୁଜ): ବିଶ୍ୱକୁ ପରିବର୍ତ୍ତନ କରିବାର କ୍ଷମତା କବିତାର ରହିଛି ବୋଲି ଭାରତର ଉପରାଷ୍ଟ୍ରପତି ଏମ୍‍. ଭେଙ୍କେୟା ନାଇଡ଼ୁ କହିଛନ୍ତି । ରବିବାର କିଟ୍‍ ପରିସରରେ ୩୯ତମ ବିଶ୍ୱ କବି ସମ୍ମିଳନୀର ଉଦ୍‍ଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ନାଇଡୁ କହିଲେ, ଦୟା ହେଉଛି ସବୁଠାରୁ ବଡ଼ ବିଚାର । ଯେତେବେଳେ ଦୟା ସବୁଠାରୁ ଶକ୍ତିଶାଳୀ ମାଧ୍ୟମ କବିତା ମାଧ୍ୟମରେ ପ୍ରସାରିତ ହୋଇଥାଏ, ସେତେବେଳେ କବିତା ବିଶ୍ୱରେ ପରିବର୍ତ୍ତନ ଆଣିପାରିଥାଏ । ସେ କହିଲେ, ଚଳିତବର୍ଷ ଭାରତର ସୁନ୍ଦର ରାଜ୍ୟ ଓଡ଼ିଶାରେ ବିଶ୍ୱ କବି ସମ୍ମିଳନୀ ଅନୁଷ୍ଠିତ ହେବା ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ ।

କବିତା ମାଧ୍ୟମରେ ଭ୍ରାତୃତ୍ୱ ଭାବ ଓ ଶାନ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ୩୯ତମ କବି ସମ୍ମିଳନୀ ସଭାପତି ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ବେଶ ପ୍ରଶଂସନୀୟ । ତାଙ୍କର ଏହି ଦୂରଦୃଷ୍ଟି ଯୋଗୁଁ ଏଠାରେ ବିଭିନ୍ନ ଦେଶର କବିମାନଙ୍କର ବିଚାରଧାରା, ଭାଷା, ଶବ୍ଦ, ତାଳ ଓ ଲୟର ସମନ୍ୱୟ ଦେଖାଦେଇଛି । ଦୟା ଆମ ସମସ୍ତଙ୍କ ମଧ୍ୟରେ ରହିଛି । କିନ୍ତୁ ଆମେ ଏହାକୁ ଅନୁଭବ କରି ଅଭ୍ୟାସରେ ପରିଣତ କରିବା ଉଚିତ ବୋଲି ସେ କହିଥିଲେ । ଆମର ସମସ୍ତ ପ୍ରକାର କ୍ରିୟା ଅବଚେତନ ଅବସ୍ଥାରେ ଦୟା, କରୁଣା ଏବଂ ସକରାତ୍ମକ ମନୋଭାବ ପ୍ରଦର୍ଶନ କରିଥାଏ । ଦୟା ହେଉଛି କବିତାର ମୂଳମନ୍ତ୍ର । ଆମର ଆଦି କାବ୍ୟ ରାମାୟଣର ପ୍ରଥମ ଶବ୍ଦ ‘ମା ନିଶାଦ’ରୁ ଆରମ୍ଭ ହୋଇଛି । ଏଥିରେ ମହର୍ଷି ବାଲ୍ମୀକି ବ୍ୟାଧ୍ ପକ୍ଷୀଟିକୁ ନମାରିବା ପାଇଁ ଅନୁରୋଧ କରିଛନ୍ତି । ଏହା ହେଉଛି ଦୟା ଭାବ । ଏହା ହେଉଛି ମହର୍ଷି ବାଲ୍ମୀକିଙ୍କ ଗୋଟିଏ ଅମୂଲ୍ୟ ଜୀବନ ନଷ୍ଟ ହୋଇଯିବାର ଶୋକ, ଯାହା କି ଶ୍ଳୋକ ବା କବିତାରେ ସେ ପରିପ୍ରକାଶ କରିଛନ୍ତି । କବିତା ଗଭୀର ଭାବନାକୁ ପରିପ୍ରକାଶ କରିବା ସହ ଆଶ୍ଚର୍ଯ୍ୟଜନକ ପ୍ରତିଛବି ସୃଷ୍ଟି କରିଥାଏ । ଜୀବବିଜ୍ଞାନୀଙ୍କ ମତରେ ମାନବ ବିବର୍ତ୍ତନରେ ସୃଜନଶୀଳତାର ବିକାଶ ସବୁଠାରୁ ବଡ଼ ପଦକ୍ଷେପ ଥିଲା । ସୃଜନଶୀଳ ବ୍ୟକ୍ତିଙ୍କ ବ୍ୟତୀରେକ ସମାଜ ଆଗକୁ ବଢ଼ିପାରେ ନାହିଁ ବୋଲି ଶ୍ରୀ ନାଇଡୁ କହିଥିଲେ ।

ଅନ୍ୟତମ ଅତିଥି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ କହିଲେ, ଓଡ଼ିଶା ହେଉଛି ସ୍ୱର୍ଗୀୟ ଭୂମି । ବିଶ୍ୱର ଆଧ୍ୟାତ୍ମିକ ଗୁରୁ ଏବଂ ଆଧ୍ୟାତ୍ମିକ ଦାର୍ଶନିକଙ୍କ ମତରେ ଏହି ଭୂମିର ମୁକ୍ତି ଦେବାର କ୍ଷମତା ରହିଛି । ଓଡ଼ିଶା ଏଭଳି ଏକ ପୁଣ୍ୟ ଭୂମି ଯେଉଁଠି ପ୍ରତ୍ୟେକ ଜଣେଜଣେ ଜଗନ୍ନାଥଙ୍କ ପ୍ରତିନିଧି । ପ୍ରଭୁ ଜଗନ୍ନାଥ କହୁଛନ୍ତି ତୁମମାନଙ୍କୁ ମୁକ୍ତି ଦେବା ପାଇଁ ମୁଁ ଏଠାରେ ଅଛି । ଉକ୍ରଳ ଭୂମିର ସବୁଠାରୁ ଅନନ୍ୟ ଦିଗ ହେଉଛି ଏଠାରେ ଜାତି, ଧର୍ମ, ବର୍ଣ୍ଣ ମଧ୍ୟରେ ବିଭେଦ ନାହିଁ । ଏହା ଛଡ଼ା ଓଡ଼ିଶା ଲୋକମାନଙ୍କ ଭଲ ପାଇବା, ଦାୟା ଭାବ ଓ ସରଳ ସ୍ୱଭାବ ଏହାକୁ ଆହୁରି ଋଦ୍ଧିମନ୍ତ କରିଛି । ଶ୍ରୀ ଜଗନ୍ନାଥ ସ୍ୱୟଂ ହେଉଛନ୍ତି ଜଣେ କବି । କେନ୍ଦ୍ର ମତ୍ସ୍ୟ, ପଶୁସମ୍ପଦ, ଗୋପାଳନ ତଥା ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଲେ, ମୁଁ ଏହି କବି ସମ୍ମିଳନୀରେ ଯୋଗ ଦେଇଥିବା କବିମାନଙ୍କ ଦ୍ୱାରା ପ୍ରଭାବିତ ହୋଇଛି । ସେମାନଙ୍କୁ ମୁଁ ମୋର ସମ୍ମାନ ଜଣାଉଛି । କବିତା ହେଉଛି ଦୟା । ବାଲ୍ମୀକି ହେଉଛନ୍ତି ସର୍ବପୁରାତନ କବି । ଯେତେବେଳେ ସେ ବିଶ୍ୱର ବ୍ୟଥା ଦେଖିଛନ୍ତି, ସେତେବେଳେ ତାଙ୍କ ମାଧ୍ୟମରେ କବିତା ସୃଷ୍ଟି ହୋଇଛି । ଆମ ଭିତରେ ଦୟାରୁ କବିତା ସୃଷ୍ଟି ହୋଇଥାଏ । କବିତା ପ୍ରତ୍ୟେକ ମଣିଷର ହୃଦୟକୁ ଛୁଇଁଥାଏ । କବି ହେଉଛି ହୃଦୟର ମଣିଷ ଓ ହୃଦୟବାନ ମଣିଷ । ବିଶ୍ୱ କବି ସମ୍ମିଳନୀର ସଭାପତି ଡ. ମାଉରସ ୟଙ୍ଗ କହିଲେ, ସମୟର ଗତି ଖୁବ୍‍ କ୍ଷୀପ୍ର । ଆଜି ଭାରତର ଓଡ଼ିଶା ରାଜ୍ୟରେ ଚାଲିଥିବା ୩୯ତମ ବିଶ୍ୱ କବି ସମ୍ମିଳନୀ ଶେଷ ହୋଇଛି । ଏହି ୫ଦିନ ମଧ୍ୟରେ ଓଡ଼ିଶାର ସଂସ୍କୃତି, ପରମ୍ପରା ଦ୍ୱାରା ବେଶ ପ୍ରଭାବିତ ହୋଇଛୁ । ଓଡ଼ିଶା ହେଉଛି କବିତାର ଭୂମି । ଏଠାରେ ବହୁ ପ୍ରତିଭାବାନ୍‍ ଯୁବକ ଥିବା ମୁଁ ଦେଖିବାକୁ ପାଇଲି । ୩୯ତମ ବିଶ୍ୱ କବି ସମ୍ମିଳନୀ ହେଉଛି ସବୁଠାରୁ ସଫଳ ଓ ସୁନ୍ଦର ସମ୍ମିଳନୀ । ଏହା ବିଶ୍ୱ କବି ସମ୍ମିଳନୀର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଏଥିପାଇଁ ବିଶ୍ୱ କବି ସମ୍ମିଳନୀ ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଉଛି । କାର୍ଯ୍ୟକ୍ରମରେ ୩୯ତମ କବି ସମ୍ମିଳନୀର ସଭାପତି ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ୱାର୍ଲଡ ଏକାଡେମୀ ଅଫ୍‍ ଆର୍ଟ ଆଣ୍ଡ କଲଚର୍‍ର ପ୍ରଥମ ଉପସଭାପତି ପ୍ରଫେସର ଅର୍ନେଷ୍ଟୋ କାହାନ, ସାଧାରଣ ସଂପାଦିକ ଡ. ମାରିଆ ୟୁଜେନିଆ ସୋବେରାନିସ, ଓଡ଼ିଶା ପର୍ଯ୍ୟଟନ, ସଂସ୍କୃତି, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ରାଷ୍ଟମନ୍ତ୍ରୀ (ସ୍ୱା) ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅଚ୍ୟୁତ ସାମନ୍ତଙ୍କୁ ବିଶ୍ୱ କବି ସମ୍ମିଳନୀର ସର୍ବୋଚ୍ଚ ସମ୍ମାନ ‘ଗୋଲ୍‍ଡେନ୍‍ ଗ୍ୟାବେଲ୍‍’ ପ୍ରଦାନ କରାଯାଇଥିବା ବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବିଶିଷ୍ଟି ସାନ୍ତନୁ ଆଚାର୍ଯ୍ୟ, କବି ଓ ଲେଖକ ଡ. ପ୍ରସନ୍ନ ପାଟ୍ଟଶାଣୀଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍ ଅଫ୍‍ ଲିଟରେଚର ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ଯୁବ ଲେଖିକା ଅନାନ୍ତିନୀ ମିଶ୍ରଙ୍କୁ ତାଙ୍କ ପୁସ୍ତକ ‘ଟ୍ରେଜର୍‍ ଅଫ୍‍ ସର୍ଟ ଷ୍ଟୋରିଜ୍‍’ ଏବଂ ଆତ୍ମିକା ପଟ୍ଟନାୟକଙ୍କ ତାଙ୍କ ପୁସ୍ତକ ‘ଜର୍ଣ୍ଣି ଅଫ୍‍ ଥାଉଜେଣ୍ଡ ମାଇଲ୍‍ସ’ ପାଇଁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.