banner
Breaking

ଚନ୍ଦ୍ରଭାଗା ଓ ତଳସାରୀ ବେଳାଭୂମି ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳୀ।

0

ଭୁବନେଶ୍ୱର,୧୨/୧(ଓଡ଼ିଆ ନ୍ୟୁଜ): ପୁରୀ-କୋଣାର୍କ ମେରାଇନ ଡ୍ରାଇଭର ଚନ୍ଦ୍ରଭାଗା ଏବଂ ବାଲେଶ୍ୱରର ତଳସାରୀ -ଉଦୟପୁର ବେଳାଭୂମିର ଭିତ୍ତିଭୂମିର ବିକାଶ କରିବା ସହ ଏଗୁଡ଼ିକୁ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ରଭାବେ ବିକଶିତ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି । ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇଟି ଯୋଜନାର ରୂପରେଖ ନେଇ ଆଲୋଚନା କରିଛନ୍ତି ।
ଏହି ଯୋଜନାରେ ପୁରୀ-କୋଣାର୍କ ବେଳାଭୂମିର ଚନ୍ଦ୍ରଭାଗା ଠାରେ ୧ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳର ବିକାଶ କରାଯିବ । ଏଥିପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନରେ ଜଳକ୍ରୀଡ଼ା, ଆମୋଦପ୍ରମୋଦ, ସୁଦୃଶ୍ୟ ଚଲାପଥ, ସାଇକେଲ୍ ଟ୍ରାକ୍, ସମୁଦ୍ର ତୀରରେ କାଠ ଚଲାପଥ, ମୁକ୍ତ ରଙ୍ଗମଞ୍ଚ, ପିଲା ଖେଳିବା ପାଇଁ ସ୍ଥାନ, ସୂର୍ଯ୍ୟୋଦୟ ଦେଖିବା ପାଇଁ ମଞ୍ଚ, ଦୁଃସାହସିକ କ୍ରୀଡ଼ା ଆଦି ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ଏହା ବ୍ୟତୀତ ଆଧୁନିକ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା, ବାଲି ସୁରକ୍ଷା ବ୍ୟବସ୍ଥା, ସୌର ଆଲୋକ ସୁବିଧା ସହ ସ୍ଥାନୀୟ ଲୋକଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରାଯିବ । ଏହି କାର୍ଯ୍ୟ ୧ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।ସେହିପରି ବାଲେଶ୍ୱର ତାଳସାରୀରେ ବେଳାଭୂମିରେ ପର୍ଯ୍ୟଟକମାନେ ଏକାଧିକ ଦିନ ରହଣୀ କରି ଯେଭଳି ବେଳାଭୂମିର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ, ସେଥିପାଇଁ ସେଠାପରେ ୨.୪ କିଲୋମିଟର ଅଞ୍ଚଳକୁ ବିକଶିତ କରାଯିବ । ଏଥିପାଇଁ ସେଠାରେ ତାରକା ହୋଟେଲ ଏବଂ ବଜେଟ୍ ହୋଟେଲ ନିର୍ମାଣ ପାଇଁ ମଧ୍ୟ ଉତ୍ସାହିତ କରାଯିବ । ଏଥିସହିତ ସେଠାରେ ବର୍ଷା ଆଶ୍ରୟସ୍ଥଳ ସହ ପର୍ଯ୍ୟଟକଙ୍କ ପାଇଁ ଆନୁଷଙ୍ଗିକ ବିକାଶ ହେବ । 

ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଉଭୟ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା  ଏବଂ ଲାଇଫ୍ ଗାର୍ଡ ମଧ୍ୟ ମୁତୟନ କରାଯିବ । ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ନିର୍ଦ୍ଦାରିତ ସମୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ, ଏଜେନ୍ସି ଓ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ ବେଳାଭୂମିକୁ ବ୍ଲୁ ପ୍ଲାଗ୍ ଷ୍ଟାଣ୍ଡାର୍ଡ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ୨ ବର୍ଷ ମଧ୍ୟରେ ପୁରୀ ଜିଲ୍ଲାର ପୀର ଜାହାନିଆ, ନିଳାଦ୍ରୀ, ମୁହାଣ ଆଦି ବେଳାଭୂମି ଏବଂ ଗଞ୍ଜାମ ଜିଲ୍ଲାର ହରିପୁର ଓ ପତିସୋନପୁର ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବେଳାଭୂମିରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.