banner
Breaking

ଭୁବନେଶ୍ୱର ସ୍ଥିତି ଅତି ଗମ୍ଭୀର। ମାଳମାଳ ଲକ୍ଷଣଯୁକ୍ତ

0

ଭୁବନେଶ୍ୱରରେ ଏବେ ଦିନକୁ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କିନ୍ତୁ, ପ୍ରକୃତ ଚିତ୍ର ସମ୍ଭବତଃ ସେଇଆ ନୁହେଁ । କାରଣ ଆକ୍ରାନ୍ତ ଯେତିକି, ସନ୍ଦିଗ୍ଧଙ୍କ ସଂଖ୍ୟା ତା’ଠାରୁ ଢେର ଅଧିକ । ପ୍ରାୟତଃ ଘରେ ଘରେ ଏବେ ଜ୍ୱର, କାଶ ରୋଗୀ । ମାଳମାଳ ଲୋକଙ୍କଠାରେ କରୋନା ଲକ୍ଷଣ ବାହାରୁଛି । ସମସ୍ତେ ମାନସିକ ଚାପ ଓ ଡରରେ । କରୋନା ହୋଇନି ତ! ଡର ଏମିତି ଘାରିଛି ଯେ ଟେଷ୍ଟିଂ ପାଇଁ ଜୁ ପାଉନି । ମେଡିକାଲ ନ ଯାଇ ସାଙ୍ଗସାଥୀ, ଔଷଧ ଦୋକାନୀ ଓ କରୋନାରୁ ସୁସ୍ଥ ହୋଇଥିବା ପରିଚିତ ଲୋକଙ୍କଠୁ ବୁଝି ଔଷଧ ଖାଉଛନ୍ତି ଅନେକ ।

ଜ୍ୱର, କାଶ ଏବେ ହୁ ହୁ ହୋଇ ମାଡ଼ି ଚାଲିଛି ରାଜଧାନୀରେ । କରୋନା ରୋଗର ପ୍ରମୁଖ ଲକ୍ଷଣ ହେଉଛି ଜ୍ୱର, କାଶ । ହେଲେ ଅଧିକାଂଶ ଟେଷ୍ଟ୍‌ କରୁନାହାନ୍ତି । ପଚାରିଲେ, ଓଲଟି କହୁଛନ୍ତି- “କାହିଁକି ଟେଷ୍ଟିଂ କରିବୁ? ଔଷଧ ତ ଖାଉଛୁ । ଆଜିଥ୍ରଲ୍‌, ପାରାସିଟାମଲ୍‌, ଭିଟାମିନ୍‌ ସି… ସବୁ ଖାଉଛୁ । ଉଷୁମ ପାଣି ବି ପିଉଛୁ । ଯାହା ଥିବ, ଭଲ ହୋଇଯିବ ।”

ଜଣେ ଅଧେ ନୁହେଁ, ଅଧିକାଂଶ ଲୋକଙ୍କ ଧାରଣା ଏଇଆ । ସବୁ ଲକ୍ଷଣ ଥିଲେ ବି ଅନେକ ଟେଷ୍ଟିଂ କରୁନାହାନ୍ତି । ରାଜଧାନୀରେ ଜ୍ୱର ପ୍ରାୟ ସବୁ ଘରେ । କେତେକ ପରିବାରରେ ସମସ୍ତେ ଜ୍ୱରରେ ପୀଡ଼ିତ । ତଥାପି ଡାକ୍ତର ପରାମର୍ଶ ନେଉନାହାନ୍ତି । ନା ୧୦୪କୁ ଫୋନ୍‌ କରି ଜଣାଉଛନ୍ତି ନା କରୋନା ପରୀକ୍ଷା କରାଉଛନ୍ତି । କାଳେ କରୋନା ପଜିଟିଭ୍‌ ଜଣାପଡ଼ିବେ, ସେଇ ଡରରେ ପରୀକ୍ଷା କରିବାକୁ ଯାଉନାହାନ୍ତି ।

ରାଜଧାନୀର ସବୁ ଔଷଧ ଦୋକାନରେ ଏବେ ଦିନରାତି ଭିଡ଼ ଜମୁଛି । ଅଧିକାଂଶ  କହୁଛନ୍ତି, ପାରାସିଟାମଲ୍‌, ଆଜିଥ୍ରଲ୍‌, ଭିଟାମିନ୍‌ ସି… ଦିଅ । ହେଲେ କାହାରି ହାତରେ ଡାକ୍ତର ଲେଖିଥିବା ପ୍ରେସକ୍ରିପସନ୍‌ ନାହିଁ । କିଏ ହ୍ୱାଟସଆପ୍‌ ଦେଖି ଔଷଧ ମାଗୁଛି ତ କିଏ ସାଙ୍ଗକୁ ଫୋନ୍‌ କରି ଔଷଧ ନାଁ ଲେଖୁଛି । ଆଉ ଯିଏ ଏତିକି କରିପାରୁନାହାନ୍ତି, ସେମାନଙ୍କୁ ଔଷଧ ଦୋକାନୀ ହିଁ ଭରସା । ଅନେକ ଔଷଧ ଦୋକାନୀ ଗ୍ରାହକଙ୍କ ଜ୍ୱର, କାଶ ଲକ୍ଷଣ ଶୁଣି ଔଷଧ ଧରାଇ ଦେଉଛନ୍ତି ।

ଯଦି ଲକ୍ଷଣ ଥିବା ପ୍ରତ୍ୟେକ ବ୍ୟକ୍ତି ନିଜର ପରୀକ୍ଷା କରାଇବେ, ତେବେ ରାଜଧାନୀର ପ୍ରକୃତ ସ୍ଥିତି ବିଚଳିତ କରିଦେବା ଆଶଙ୍କା ରହିଛି ।

ସବୁଠୁ ଚିନ୍ତାର ବିଷୟ ହେଲା, ଲକ୍ଷଣ ଥାଇ ବି ଯେଉଁମାନେ ନିଜର ପରୀକ୍ଷା କରାଉନାହାନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଖୋଲାମେଲାରେ ବୁଲୁଛନ୍ତି । ସେମାନେ ନିଜ ପରିବାର ଓ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ଆଶଙ୍କା ରହିଛି ।

କରୋନା ସଂକ୍ରମଣ ରୋକିବାର ଏକ ମାତ୍ର ଉପାୟ-ସଚେତନତା ଓ ସତର୍କତା । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ହେବ । ଲକ୍ଷଣ ଥିଲେ ତୁରନ୍ତ ନିଜର ଟେଷ୍ଟ କରାଇବାକୁ ପଡ଼ିବ । ନଚେତ୍‌… ସ୍ଥିତି ଆହୁରି ବିଗିଡ଼ିପାରେ ।

Khansweb Solution Bhubaneswar

Leave A Reply

Your email address will not be published.