ମା”କୁ ଶାବଳରେ ପିଟି ମାରିଦେଲେ ଦୁଇ ନାବାଳକ ପୁଅ।

ଭୁବନେଶ୍ୱର,୧୭ା୯(ଓଡ଼ିଆ ନ୍ୟୁଜ): ମା”ର ମମତା ପାଇଁ ଡହଳ ବିକଳ ହୁଅନ୍ତି ପିଲା। କିନ୍ତୁ ସେହି ମା” ସ୍ନେହ ବଦଳରେ ଦେଉଥିଲେ ନିର୍ଯାତନା। ମଦ ଓ ନିଶାରେ ବୁଡ଼ି ରହୁଥିବା ମା’ର ଅତ୍ୟାଚାର ଅସହ୍ୟ ହେବାରୁ ଦୁଇ ନାବାଳକ ପୁଅ ନିଷ୍ଠୁର ହୋଇପଡ଼ିଥିଲେ। ଶେଷରେ ଘର ଭିତରେ ଶାବଳରେ ପିଟି ମା’ଙ୍କୁ ମାରିଦେଲେ। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସୁନ୍ଦରପଦାସ୍ଥିତ ଅର୍ଚିଡ୍‌ ରେସିଡେନ୍ସ ଆପାର୍ଟମେଣ୍ଟରେ ବୁଧବାର ରାତିରେ ଘଟିଛି ଏଭଳି ଏକ ଲୋମଟାଙ୍କୁରା ଘଟଣା। ମୃତା ମହିଳା ଜଣକ ହେଲେ ପୁରୀର ବିନୋଦିନୀ ମିଶ୍ର (୪୦)। ପୋଲିସ ବାଥ୍‌ରୁମ୍‌ରୁ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜୋନ୍‌ ଏସିପି ବିଷ୍ଣୁ ପାତ୍ର, ଥାନାଧିକାରୀ ଦୀପକ ମିଶ୍ର ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଉକ୍ତ ଘରୁ ସିଗାରେଟ, ମଦ ବୋତଲ ଓ ହତ୍ୟାରେ ବ୍ୟବହୃତ ଶାବଳ ଜବତ ହୋଇଛି। ସାଇଣ୍ଟିଫିକ୍‌ ଟିମ୍‌ ଏକାଧିକ ନମୁନା ସଂଗ୍ରହ କରି ନେଇଛି। ଅନ୍ୟପକ୍ଷରେ ପୋଲିସ ଏନେଇ ଥାନାରେ ଆଇପିସି ଦଫା ୩୦୨ରେ ମାମଲା (ନଂ.୧୮୨/୨୦) ରୁଜୁ କରି ଅଭିଯୁକ୍ତ ଦୁଇ ନାବାଳକ ପୁଅଙ୍କୁ ଧରି ଥାନାରେ ରଖିଛି। ବଡ଼ପୁଅ ଦଶମରେ ପଢ଼ୁଥିବାବେଳେ ସାନ ଅଷ୍ଟମ ଶ୍ରେଣୀର ଛାତ୍ର। ସେମାନଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯିବା ପରେ ବ୍ରହ୍ମପୁରସ୍ଥିତ ବାଳ ସୁଧାରଗୃହକୁ ଶୁକ୍ରବାର ପଠାଯିବ। ଏହାସହ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଏସିପି ପାତ୍ର କହିଛନ୍ତି।