ଭୁବନେଶ୍ୱର,୧୭/୦୯: ରାଜଧାନୀରେ ପୁଣି ଏକ ଲଜ୍ଜା। ଚଳନ୍ତା ଅଟୋରେ ମହିଳାଙ୍କୁ ଅସଦାଚରଣ କରି ଯୁବତୀ ଓ ସ୍ଥାନୀୟ ଲୋକଙ୍କ ଠାରୁ ନିର୍ଧୁମ ଛେଚା ଖାଇଲେ ଯୁବକ। ଏମିତି ଘଟଣା ଦେଖିବାକୁ ମିଳିଛି ଏୟାରପୋର୍ଟ ଥାନା ଅଞ୍ଚଳରେ। ସ୍ଥାନୀୟ ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ତାଙ୍କ ନାମ ମୁକ୍ତାର ଖାନ୍ ଓରଫ୍ ରାଜୁ (୪୭)। ଘର ବାଲିପାଟଣା ଅଞ୍ଚଳରେ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ ପୋଖରୀପୁଟ ଅଞ୍ଚଳର ଜଣେ ୩୨ ବର୍ଷୀୟ ମହିଳା ସକାଳ ୧୧ଟା ବେଳେ ପୋଖରୀପୁଟ ଛକରୁ ଅଟୋରେ ଚଢ଼ିଲେ। ତାଙ୍କ ପାଖ ସିଟ୍ରେ ରାଜୁ ବସିଥିଲେ। ଅଟୋଟି ରାଜମହଲ ଛକ ଯାଏଁ ଯାଇଥିଲା। ୟା’ ଭିତରେ ରାଜୁ ସମ୍ପୃକ୍ତ ମହିଳାଙ୍କ ଆଡ଼କୁ ଜାକି ହୋଇ ବସିଥିଲେ। କରୋନା ସଂକ୍ରମଣ ଡର ଥିବା ଦର୍ଶାଇ ମହିଳାଜଣକ ତାଙ୍କ ପାଖକୁ ନ ଆସିବାକୁ ବାରଣ କରିଥିଲେ। ରାଜୁ ମଧ୍ୟ ତାଙ୍କ କଥା ମାନି ଦୂରେଇ ଯାଇଥିଲେ। ମହିଳାଜଣକ କାମ ସାରି ଘରକୁ ଫେରିବା ପାଇଁ ରାଜମହଲ ଛକରୁ ଅନ୍ୟ ଏକ ଅଟୋରେ ଚଢ଼ିଥିଲେ। ମହିଳାଙ୍କୁ ପିଛା କରୁଥିବା ରାଜୁ ମଧ୍ୟ ଉକ୍ତ ଅଟୋରେ ବସି ପଡିଥିଲା। ଏଥର ରାଜୁର ବଦମାସୀ ବଢ଼ି ଯାଇଥିଲା। ମହିଳାଙ୍କ ବିଭିନ୍ନ ଅଙ୍ଗକୁ ଛୁଇଁବାକୁ ଲାଗିଲା। ଏମିତିକି ମହିଳାଙ୍କ ବେକରେ ଥିବା ସୁନା ଚେନ୍କୁ ଛଡ଼ାଇବାକୁ ଚେଷ୍ଟା କରିଥିଲା।
ନଖରାମୀ ଅସହ୍ୟ ହେବାରୁ ପଲାସପଲ୍ଲୀ ଛକରେ ମହିଳାଜଣକ ଅଟୋରୁ ଓହ୍ଲାଇ ପଡ଼ି ରାଜୁ ଗାଲକୁ ଚାପୁଡ଼ା ମାରିବାକୁ ଲାଗିଲେ। ଅଟୋ ଡ୍ରାଇଭର ଓ ସ୍ଥାନୀୟ ଲୋକ ରାଜୁର ଅସଲ ଚେହେରା ଜାଣିବା ପରେ ତାଙ୍କୁ ନେଇ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇ ନିସ୍ତୁକ ପିଟିଥିଲେ। ଏୟାରପୋର୍ଟ ଥାନା ପୁଲିସ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ରାଜୁଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା।




