banner
Breaking

ସମତା ଆନ୍ଦୋଳନ ସମିତିର ଓଡ଼ିଶା ଶାଖା ଗଠିତ ।

0

ଭୁବନେଶ୍ୱର , ୨୩/୯(ବ୍ୟୁରୋ) : ଦେଶରେ ସାମାଜିକ, ଆର୍ଥିକ ତଥା ରାଜନୈତିକ ବିଷମତା ଦୂର କରି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ରାଷ୍ଟ୍ର ଗଠନ ପାଇଁ ଉତ୍ସର୍ଗୀକୃତ ସାମାଜିକ ସଂଗଠନ “ସମତା ଆନ୍ଦୋଳନ ସମିତି”ର ଓଡ଼ିଶା ଶାଖା ଗଠନ ହୋଇଛି । ଗତ ସନ୍ଧ୍ୟାରେ ସ୍ଥାନୀୟ ଅଗ୍ରୱାଲ ଧର୍ମଶାଳାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଯୋଗ ଦେଇ ସମତା ଆନ୍ଦୋଳନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ପରାଶର ନାରାୟଣ ଶର୍ମା ଏହାର ବିଧିବଦ୍ଧ ଘୋଷଣା କରିବା ସହ ଅବସରପ୍ରାପ୍ତ ନୌସୈନିକ ଦୀନବନ୍ଧୁ ଷଡ଼ଙ୍ଗୀଙ୍କୁ ସମିତିର ରାଜ୍ୟ ସଭାପତି ରୂପେ ଚୟନ କରିଛନ୍ତି । ଦେଶରେ ଜାତିବାଦର ଜହର, ସାମ୍ବିଧାନିକ ବିଷମତା ଏବଂ ରାଜନୈତିକ ଦୂଷିତ ବାତାବରଣ ଯୋଗୁଁ ରାଷ୍ଟ୍ରର ସାମାଜିକ ସୌହାର୍ଦ୍ଦ୍ୟ ବିଗିଡ଼ିବା ସହ ଦେଶର ପ୍ରଗତି ବାଧାପ୍ରାପ୍ତ ହେଉଛି ବୋଲି କହିବା ସହ ଏହାର ନିରାକରଣ ପାଇଁ ସମତା ଆନ୍ଦୋଳନ ସମିତି ଅନବରତ କାମ କରି ଚାଲିଛି ବୋଲି ସେ କହିଛନ୍ତି । ଜଗନ୍ନାଥ ସଂସ୍କୃତିର ରାଜ୍ୟ ଓଡ଼ିଶାରୁ ସାମାଜିକ ସୌହାର୍ଦ୍ଦ୍ୟର ବାର୍ତ୍ତା ଅଧିକ ପ୍ରଭାବଶାଳୀ ଢ଼ଙ୍ଗରେ ସମାଜର ବିଭିନ୍ନ ସ୍ତରକୁ ପ୍ରଭାବିତ କରିପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଆୟୋଜିତ ବୌଦ୍ଧିକ ଆଲୋଚନାଚକ୍ରର ପ୍ରସଙ୍ଗ “ରାଷ୍ଟ୍ରୀୟ ଏକତା ଓ ଜାତିଭିତ୍ତିକ ସଂରକ୍ଷଣ” ଉପରେ ନିଜର ବିଚାର ରଖି ସେ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା ପାଇଁ ଜାତିଭିତ୍ତିକ ସଂରକ୍ଷଣ ଆଇନ ଉପରେ ନିଶ୍ଚୟ ତର୍ଜମା ହେବାର ଆବଶ୍ୟକତା ରହିଛି ବୋଲି କହିଲେ । ସମତା ଆନ୍ଦୋଳନ ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତ ପ୍ରକାର ବିଷମତା ଓ ବିଭେଦତା ବିରୁଦ୍ଧରେ ଆବଶ୍ୟକ ଲଢ଼େଇ ଜାରି ରଖିବା ସହ ଭାରତକୁ ଏକ ବିଶ୍ୱଶକ୍ତି ରୂପେ ପ୍ରତିଷ୍ଠିତ କରିବା ପାଇଁ ସରକାରଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ଲାଗି ପ୍ରତିଶ୍ରୁତିବଦ୍ଧ । “ରାଷ୍ଟ୍ର ସର୍ବୋପରି” ବିଚାର ରଖି ସମସ୍ତେ ଏକ ବିକଶିତ ଭାରତ ପାଇଁ ସମତା ଆନ୍ଦୋଳନ ସହ କାନ୍ଧ ମିଳାଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ । ବୁଦ୍ଧିଜୀବୀ ସମ୍ମେଳନର ବିଷୟବସ୍ତୁ ଉପରେ ନିଜର ବକ୍ତବ୍ୟ ରଖି ନବନିଯୁକ୍ତ ରାଜ୍ୟ ସଭାପତି ଦୀନବନ୍ଧୁ ଷଡ଼ଙ୍ଗୀ କହିଲେ ଯେ ଶିକ୍ଷା, ନିଯୁକ୍ତି ପରେ ପୁଣି ପଦୋନ୍ନତି ପାଇଁ ଜାତିକୁ ଆଧାର କରିବା ଦେଶ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ବିକାଶର ପରିପନ୍ଥୀ । ଏହି ଭୁଲ ପ୍ରକ୍ରିୟା ହିଁ ଦେଶରେ ଜାତିବାଦର ଜହରକୁ ଅଧିକ ସଂଚରିତ କରୁଛି । ଆର୍ଥିକ ସ୍ଥିତିକୁ ଦେଖି ସମସ୍ତ ସହାୟତା ଯୋଗାଇଦେବା ପରେ କାର୍ଯ୍ୟ କ୍ଷେତ୍ରରେ କୌଣସି ପ୍ରକାର ସଂରକ୍ଷଣର ଆବଶ୍ୟକତା ନାହିଁ ବୋଲି ସେ କହିଥିଲେ । ରାଷ୍ଟ୍ରର ବିକାଶ ପାଇଁ ସମସ୍ତେ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ଓଡ଼ିଶାରେ ସମତା ଆନ୍ଦୋଳନର ବ୍ୟାପକତା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମ ସଫଳ ଆୟୋଜନ ପାଇଁ ସେ ସମସ୍ତଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମିତିର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସୁବୁଦ୍ଧି, ଏସ୍. ନାଗେଶ୍ୱର ରାଓ , ଭି. ହରିପ୍ରସାଦ ତଥା ମହିଳା ସାମାଜିକ କର୍ମୀ ବନଜାବାସିନୀ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.