banner
Breaking

ଭୂତାଣୁ ମୁକ୍ତ ପାଇଁ ସମାଜସେବୀ ନିବେଦିତାଙ୍କ ୧୨୫ ଦିନଧରି ଯଜ୍ଞ।

0

ଭୁବନେଶ୍ୱର,୩/୮(ଓଡ଼ିଆ ନ୍ୟୁଜ):କୋରୋନା ମହାମାରୀର ଭୟାବହତା ସମଗ୍ର ବିଶ୍ୱକୁ ଏ ପର୍ଯ୍ୟନ୍ତ ତାର ଶକ୍ତ ପଞ୍ଝାରେ ବାନ୍ଧିରଖିଛି l କୋଭିଡ – ୧୯ ନାମକ ଏହି ମାରାତ୍ମକ ଭୁତାଣୁ କେଜାଣି ଆଉ କେତେଜଣଙ୍କ ପ୍ରାଣ ନେବ ! ସଂକ୍ରମଣ ଭୟରେ ଲୋକ ଘରୁ ବାହାରିବାକୁ ଡରୁଛନ୍ତି l ପରିସ୍ଥିତି ଅନୁଯାୟୀ ବିଭିନ୍ନ ସ୍ଥାନରେ ଲକଡାଉନ ଏବଂ ସଟଡାଉନ ଦ୍ଵାରା ଏହାର ମୁକାବିଲା କରିବାକୁ ଚେଷ୍ଟା ଚାଲିଛି l ଏ ପର୍ଯ୍ୟନ୍ତ କୌଣସି ଔଷଧ କିମ୍ବା ଭ୍ୟାକସିନ ଦ୍ଵାରା ଏହାର ନିରାକରଣର ବାଟ ଖୋଜା ଯାଇପାରିନାହିଁ l ଡାକ୍ତର ଓ ବୈଜ୍ଞାନିକ ମାନେ ନିରନ୍ତର ଉଦ୍ୟମ ଜାରିରଖିଛନ୍ତି ଏହି ଭୁତାଣୁର ପ୍ରଭାବକୁ ଶକ୍ତିହୀନ କରିବା ପାଇଁ l କିନ୍ତୁ ଆମେ ଯାହା କରିପାରିବା, ତାହା ହେଉଛି କେବଳ ସଚେତନତା ଏବଂ ସାମାଜିକ ଦୂରତା l ବର୍ତ୍ତମାନ ଏହାହିଁ ଏକମାତ୍ର ଉପାୟ କରୋନା ବୃଦ୍ଧି କୁ ରୋକିବା ପାଇଁ l

ଏଭଳି ସମୟରେ ଘରେ ରହି, ପବିତ୍ର ହୋମ ଯଜ୍ଞର ଆୟୋଜନ କରି ଦୀର୍ଘ ୧୨୫ ଦିନ ହେଲା ପରିବେଶ କୁ ପବିତ୍ର ଓ ଭୁତାଣୁମୁକ୍ତ କରିବାର ନିଆରା ପ୍ରୟାସ କରିଆସୁଛନ୍ତି ଭୁବନେଶ୍ୱର ଲୁମ୍ବିନିଵିହାର ସ୍ଥିତ ସମାଜସେବୀ ଶ୍ରୀମତୀ ନିବେଦିତା ଲେଙ୍କା l ବିଜ୍ଞାନ, ଟେକ୍ନୋଲୋଜି ଦ୍ଵାରା ଯାହା ସମ୍ଭବ ହୋଇନି, ତାକୁ ଗଭୀର ଭଗବତବିଶ୍ୱାସ ବଳରେ ସାର୍ଥକ କରିବାର ଚେଷ୍ଟା ତାଙ୍କ ଦୃଢ଼ ଆତ୍ମବିଶ୍ୱାସ କୁ ସୂଚେଇଦେଉଛି l ବିଶ୍ୱବାସୀଙ୍କ ରକ୍ଷା ପାଇଁ ଧୈର୍ଯ୍ୟ ନ ହରାଇ ଭଗବାନଙ୍କ ଉପରେ ଅଖଣ୍ତ ବିଶ୍ୱାସ ରଖି ଲକଡ଼ାଉନ ଆରମ୍ଭ ଠାରୁ ୧୨୫ ଦିନବ୍ୟାପୀ ତାଙ୍କର ପୂଜାଅର୍ଚ୍ଚନା ଜାରି ରହିଛି। ହୋମର ପବିତ୍ର ଧୂଆଁରେ ଭଗବାନଙ୍କ ନିକଟରେ ପ୍ରାର୍ଥନା ଦ୍ଵାରା ଏ ଭୟଙ୍କର ବ୍ୟାଧି ହାର ମାନିବ ବୋଲି ରହିଛି ତାଙ୍କର ବିଶ୍ୱାସ l

ଲକଡାଉନ ଆରମ୍ଭ ଦିନଠାରୁ ସପରିବାର ପ୍ରତ୍ୟହ ସକାଳ ୮ ଟା ରୁ ୧୦ ଟା ଯାଏ, ସେ ଏ ହୋମଯଜ୍ଞ କରୁଛନ୍ତି l ଏହା ସହିତ ସେ ଜରୁରୀକାଳୀନ ସେବାରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀ, ପୋଲିସବାହିନୀ, ଗଣମାଧ୍ୟମ ପ୍ରତିନିଧି ଏବଂ ସଫେଇ କର୍ମୀଙ୍କ ସୁରକ୍ଷା ଓ ସୁସ୍ଥତା କାମନା କରୁଛନ୍ତି ବୋଲି ଜଣାଇଛନ୍ତି l ତାଙ୍କର ଧୈର୍ଯ୍ୟ, ନିଃସ୍ୱାର୍ଥପର ଜନସେବା ଓ ଭଗବତ ବିଶ୍ୱାସର ସୁଫଳ ନିଶ୍ଚୟ ମିଳିବ ବୋଲି ତାଙ୍କର ଆଶା l ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଇ ସେ କହିଛନ୍ତି ଯେ, ‘ ପ୍ରତ୍ୟେକ ବ୍ୟକ୍ତି ସର୍ବପ୍ରଥମେ ନିଜ ଘର ଏବଂ ଆଖପାଖର ପରିବେଶକୁ ସଂକ୍ରମିତ ହେବାରୁ ଯଦି ରକ୍ଷା କରିପାରିବ, ତେବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଏକ ଛୋଟ ଚେଷ୍ଟା ଦ୍ଵାରା ସମଗ୍ର ଗାଁ, ସହର, ରାଜ୍ୟ ଏବଂ ଦେଶକୁ କରୋନା ଦାଉରୁ ରକ୍ଷା ପରିପାରିବ’l ଶ୍ରୀମତୀ ନିବେଦିତାଙ୍କର ଏହି ନିଆରା ପ୍ରୟାସ ପାଇଁ ତାଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ l

Khansweb Solution Bhubaneswar

Leave A Reply

Your email address will not be published.