banner
Breaking

କାଲି ଚାଲିବ ନାହିଁ ବସ କି ଆଟୋ।

0

ଭୁବନେଶ୍ୱର,୨୪/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆସନ୍ତାକାଲିଠାରୁ ବସ୍ ଚଳାଚଳ କରିବ ବୋଲି ସରକାର ଘୋଷଣା କରିଛନ୍ତି । ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା ଓ ସାମ୍ବାଦିକ ସମ୍ମିଳନୀରେ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ହେଲେ କେଇଘଣ୍ଟା ପରେ କାଲିଠାରୁ ବସ୍ ଚାଲିବ ନାହିଁ ବୋଲି କହିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ ।ସେ କହିଛନ୍ତି ଯେ ବସ୍ ଚଳାଚଳ ନେଇ ସରକାର ଆମ ସହ କୌଣସି ବିଧିବଦ୍ଧ ଆଲୋଚନା କରିନାହାନ୍ତି । ଆମେ ଗଣମାଧ୍ୟମରୁ ଏ କଥା ଶୁଣୁଛୁ । ଆମେ ମଧ୍ୟ ଆଞ୍ଚଳିକ ସଂଘଗୁଡ଼ିକ ସହ ଏଥିନେଇ କୌଣସି କଥାବାର୍ତା କରିନାହୁଁ । ଏବେ ଲକ୍ଡ଼ାଉନ ଯୋଗୁଁ ବସ୍ ଡ଼୍ରାଇଭର, ହେଲପର ସବୁ ନିଜନିଜ ଗାଁକୁ ଯାଇଛନ୍ତି ।  ଅନ୍ୟପକ୍ଷରେ କାଲିଠାରୁ ବସ ଚଳାଚଳ କଲେ ପୁରା ମାସର ଟିକସ ବସ୍ ମାଲିକ ସରକାରଙ୍କୁ ଦେବାକୁ ବାଧ୍ୟ । ଏହାଦ୍ବାରା ବସ୍ ମାଲିକଙ୍କର କ୍ଷତି ହେବ । ତେଣୁ ଆସନ୍ତାକାଲି ବସ୍ ଚଳାଚଳ ସମ୍ଭବ ହେବ ନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି ।

ସେହିପରି ନିଖିଳ ଓଡିଶା ଆଟୋ ମହାସଂଘ ପକ୍ଷରୁ ଅଟୋ ଚାଲିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଏନେଇ ମହାସଂଘର ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ କହିଛନ୍ତି ଯେ ସରକାରଙ୍କ ତରଫରୁ ମହାସଂଘ ସହିତ କୈଣସି ଆଲୋଚନା ହୋଇନାହିଁ। ସରକାରଙ୍କ ନିୟମ ଅନୁସାରେ ଅଟୋ ଚଳାଇବା ଅସମ୍ଭବ। କାରଣ ତେଲ ରେଟ ବଢିଛି ଦୁଇଜଣ ଯାତ୍ରୀ ବସାଇ ଗାଡି ଚଳାଇଲେ ଖାଲି ତେଲ କମ୍ପାନୀକୁ ପୋଷିବା ସାରହେବ। ଦୀର୍ଘ ଦୁଇମାସ ହେଲା ଆଟୋ ବନ୍ଦ ହୋଇ ପଡିରହିବାରୁ ଅଟୋ ଚାଳକଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି। ଘରେ ଖାଇବାକୁ ନଥିଲା ବେଳେ ମୁଣ୍ଡ ଉପରେ ଦୁଇମାସର ବ୍ୟାଙ୍କ କିସ୍ତି ଖଣ୍ଡାହୋଇ ଝୁଲୁଛି। ଅଧିକାଂଶ ଗାଡିର ବ୍ୟାଟେରୀ ଅଚଳ ହୋଇଯାଇଛି। ଏହାକୁ ସଜାଡିବା ପାଇଁ ଚାଳକଙ୍କ ପାଖରେ ଫୁଟି କଉଡିଟିଏ ନାହିଁ। ମହାସଂଘ ପକ୍ଷରୁ ସରକାରଙ୍କ ପାଖରେ ଆର୍ଥିକ ସହାୟତା ପାଇଁ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଅନ୍ୟପକ୍ଷରେ ଦିଲ୍ଲୀ ସରକାର ଅଟୋ ଚାଳକଙ୍କୁ ମାସିକ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଥିଲାବେଳେ ଓଡିଶା ସରକାର ଏପର୍ଯ୍ୟନ୍ତ ଟଙ୍କାଟିଏ ବି ଦେଇନାହାନ୍ତି। ତାପରେ କରୋନା ସ°କ୍ରମଣ ବର୍ତ୍ତମାନ ଦ୍ରୁତଗତିରେ ବଢିବଡ଼ି ଚାଲିଛି।ବିଶେଷକରି ଫେରୁଥିବା ପ୍ରବାସୀ ମାନଙ୍କ ପାଖରେ କରୋନା ଲକ୍ଷଣ ଦେଖାଯାଉଛି। ଏହି ସମୟରେ ଷ୍ଟେସନ ଓ ଏୟାରପୋର୍ଟରୁ ଯାତ୍ରୀ ବୋହି ଯଦି ଚାଲକମାନେ ସ°କ୍ରମିତ ହୁଅନ୍ତି ସେମାନଙ୍କ ପରିବାର ପାଇଁ ଉତ୍ତରଦାୟୀ କିଏ ରହିବ ବୋଲି ଶ୍ରୀଯୁକ୍ତ ସାମଲ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଆଟୋ କେବଳ ହସ୍ପିଟାଲ ଭଳି ଜରୁରୀ ସେବା ପାଇଁ ଚାଲିବ। ସରକାର ମାସିକ ୫ ହଜାର କରି ଦୁଇମାସର ୧୦.୦୦୦ ଏବଂ ଚାଳକ ମାନଙ୍କ ପାଇଁ ବୀମା ରାଶି ଯୋଗାଇଦେଲେ ପୂର୍ଣ୍ଣ ମାତ୍ରାରେ ଆଟୋ ଚାଲିବ।

Khansweb Solution Bhubaneswar

Leave A Reply

Your email address will not be published.