ଭୁବନେଶ୍ୱର, ୧୫।୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ସେଥିରୁ କେବଳ ଭୁବନେଶ୍ୱରରେ ୪୬ଜଣ ଅଛନ୍ତି। ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଅପେକ୍ଷା ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାର ଏକ ନୂଆ ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ୱର ମହାନଗର ନିଗମକୁ ୩ଟି ଜୋନ୍ରେ ବିଭକ୍ତ କରାଯାଇଛି। ଏହାକୁ ୬ଜଣ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ବରିଷ୍ଠ ଅଧିକାରୀମାନେ ବିଏମ୍ସି ଅଞ୍ଚଳରେ ସଂକ୍ରମଣ ରୋକିବା ପାଇଁ କାର୍ଯ୍ୟ କରିବେ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଭୁବନେଶ୍ୱର ଉତ୍ତର ଜୋନ୍ର ଦାୟିତ୍ୱରେ ଏସ୍ସି/ଏସ୍ଟି ଉନ୍ନୟନ ସଚିବ ରଞ୍ଜନା ଚୋପ୍ରା ଓ ଶକ୍ତି ସଚିବ ବିଷ୍ଣୁପଦ ସେଠୀ ଥିବା ବେଳେ ଦକ୍ଷିଣ-ପୂର୍ବ ଜୋନ୍ ଦାୟିତ୍ୱ ଅବକାରୀ ସଚିବ ସୁଶୀଲ ଲୋହାନୀ ଓ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ରଙ୍କୁ ଦିଆଯାଇଛି। ସେହିଭଳି ଦକ୍ଷିଣ-ପଶ୍ଚିମ ଜୋନ୍ର ଦାୟିତ୍ୱ ଭାସ୍କର ଜ୍ୟୋତି ଶର୍ମା ଓ ଅର୍ଥ ସଚିବ ଅଶୋକ ମୀନାଙ୍କୁ ଦିଆଯାଇଛି।
ଉପରୋକ୍ତ ଅଧିକାରୀମାନେ କଣ୍ଟେନମେଣ୍ଟ ଦାୟିତ୍ୱରେ ରହିବେ। ଭୁବନେଶ୍ୱରରେ ଯେପରି କରୋନା ନ ବ୍ୟାପିବ ସେଥିପ୍ରତି ଦୃଷ୍ଟି ଦେବେ। ଯେଉଁ ଅଞ୍ଚଳରେ କରୋନା ପଜିଟିଭ ମିଳିବ ସେଠାରେ କଣ୍ଟାକ୍ଟ ଟ୍ରେସିଂ ଓ ଘରକୁ ଘର ସର୍ଭେ କାର୍ଯ୍ୟରେ ତଦାରଖ କରିବେ। ସେହିଭଳି କଣ୍ଟେନମେଣ୍ଟ ଅଞ୍ଚଳରେ ଜରୁରୀ ସାମଗ୍ରୀ ଯୋଗାଇବା କଥା ମଧ୍ୟ ବୁଝିବେ।




