banner
Breaking

କଡାକଡି ହେଲା ମଟର ଯାନ ନିଯମ। ଉଲ୍ଲଙ୍ଘନ ପାଇଁ କେତେ ଫାଇନ୍ ଜାଣନ୍ତୁ।

0

ଭୁବନେଶ୍ବର, (ଓଡ଼ିଆ ନ୍ୟୁଜ) : ଛଅ ମାସର କୋହଳ ସମୟ ଶେଷ ହେବା ପରେ ଆଜି(ରବିବାର)ଠାରୁ ସଂଶୋଧିତ ମୋଟରଯାନ ଆଇନ ଅନୁସାରେ ଯାଞ୍ଚ କଡ଼ାକଡ଼ି ହୋଇଛି। ଆଉ କୋହଳ କରାଯିବ ନାହିଁ ବୋଲି ପରିବହନ ବିଭାଗ ସ୍ପଷ୍ଟ କରି ଦେଇଛି। ତେବେ ଏଥର ଡ୍ରାଇଭିଂ ଲାଇସେନ୍ସ ଆଉ ଗାଡ଼ିର କାଗଜପତ୍ର ଯାଞ୍ଚକୁ ଅଧିକ ଗୁରୁତ୍ବ ଦିଆଯିବ ନାହିଁ; ବରଂ ବେପରୁଆ ଗାଡ଼ି ଚାଳକଙ୍କୁ ଧରିବା ପାଇଁ କୁହାଯାଇଛି। ମଦ୍ୟପ ଗାଡ଼ି ଚାଳକ ହୁଅନ୍ତୁ ଅବା ବିପଦପୂର୍ଣ୍ଣ ଗାଡ଼ି ଚାଳନା କରୁଥିବା ଲୋକଙ୍କୁ ଧରି ମୋଟା ଅଙ୍କର ଜୋରିମାନା ଆଦାୟ କରିବେ ଉଭୟ ଆର୍‌ଟିଓ ଏବଂ ପୁଲିସ। ପରିବହନ କମିସନର ଆଜି ସମସ୍ତ ଜିଲାପାଳ ଓ ଏସ୍‌ପିଙ୍କୁ ପତ୍ର ଲେଖି ଆଜି ଠାରୁ ଯାଞ୍ଚ କଡ଼ାକଡ଼ି କରିବା ପାଇଁ କହିଛନ୍ତି।
ପରିବହନ କମିସନର ସଞ୍ଜୀବ ପଣ୍ଡା ଜିଲା ପ୍ରଶାସନକୁ କହିଛନ୍ତି ଯେ ଗାଡ଼ିର କାଗଜପତ୍ର କରାଇ ନେବା ପାଇଁ ସରକାର ଲୋକଙ୍କୁ ୬ ମାସ ମହଲତ ଦେଇଥିଲେ ଯାହା ଶନିବାର ଦିନ ଶେଷ ହୋଇଛି। ଏପରିସ୍ଥଳେ ମାର୍ଚ୍ଚ ୧ ତାରିଖରୁ ସଂଶୋଧିତ ମୋଟରଯାନ ଆଇନ୍-୧୯୮୮ ଅନୁସାରେ ଯାଞ୍ଚ କଡ଼ାକଡ଼ି କରିବା ପାଇଁ ଜିଲାପାଳ ଓ ଏସ୍‌ପି ପଦକ୍ଷେପ ନେବେ। ତେବେ ଯାଞ୍ଚ ସମୟରେ ମୁଖ୍ୟତଃ ମଦ୍ୟପାନ କରି ଗାଡ଼ି ଚାଳନା, ଦ୍ରୁତଗତିରେ ଗାଡ଼ି ଚାଳନା, ଲାଲ୍ ସଙ୍କେତ ଅତିକ୍ରମ କରିବା, ବିପରୀତ ଦିଗରେ ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌ ବ୍ୟବହାର କରିବା, ବିପଜ୍ଜନକ ଭାବେ ଗାଡ଼ି ଚଳାଇବା, ଦୁଇ ଚକିଆ ଯାନରେ ତିନିଜଣ ଯିବା, ସିଟ୍‌ ବେଲ୍ଟ ଓ ହେଲମେଟ୍ ବ୍ୟବହାର କରୁନଥିବା ଚାଳକଙ୍କ ଉପରେ ପୁଲିସ ଓ ପରିବହନ ବିଭାଗ ନଜର ରଖିବା ପାଇଁ କୁହାଯାଇଛି।
ପରିବହନ ବିଭାଗ ସୂତ୍ରରୁ ହସ୍ତଗତ ସୂଚନା ଅନୁଯାୟୀ ଗତବର୍ଷ ସେପ୍ଟେମ୍ବର ମାସରୁ ଡିସେମ୍ବର ମଧ୍ୟରେ ୧୦ ହଜାରରୁ ଅଧିକ ମଦୁଆ ଗାଡ଼ି ଚାଳକଙ୍କୁ ଗିରଫ କରାଯାଇଛି। ଏହି ସମୟରେ ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୧୭ ପ୍ରତିଶତ ହ୍ରାସ ପାଇଛି। ତେଣୁ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଲୋକଙ୍କୁ ଧରିବା ପାଇଁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏଥିସହ କମ୍ ବୟସର ପିଲା ଗାଡ଼ି ଚଳାଉଥିଲେ ନିସ୍ତାର ମିଳିବ ନାହିଁ। ପିଲାମାନଙ୍କ ଗାଡ଼ି ଚଳାଇବା ଉପରେ ବିଶେଷ ନଜର ରହିବ। ସେହିପରି ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଗାଡ଼ିରେ ଯେପରି କ୍ଷମତା ଠାରୁ ଅଧିକ ପିଲା ପରିବହନ କରିନଯା’ନ୍ତି, ତାହା ଉପରେ ମଧ୍ୟ ନଜର ରଖିବା ପାଇଁ କୁହାଯାଇଛି। ଯାନବାହନର କାଗଜପତ୍ର ଯାଞ୍ଚ ସମୟରେ ସାଧାରଣ ଲୋକଙ୍କ ସୁବିଧା ଅସୁବିଧା ପ୍ରତି ଦୃଷ୍ଟି ଦେବାକୁ ପରିବହନ କମିଶନର ନିର୍ଦେଶ ଦେଇଛନ୍ତି। ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଗତ ୬ ମାସ ମଧ୍ୟରେ ବହୁ ସଂଖ୍ୟାରେ ଲୋକ ନିଜର ଲାଇସେନ୍ସ କରାଇ ନେଇଛନ୍ତି। ତେଣୁ ଆସନ୍ତାକାଲି ଠାରୁ ଯାଞ୍ଚ ଆରମ୍ଭ ହେଲେ ଦୁର୍ଘଟଣା ଆଶଙ୍କା ସୃଷ୍ଟି କରୁଥିବା ଗାଡ଼ି ଚାଳକଙ୍କୁ ଧରିବା ଉପରେ ଜୋର ଦିଆଯାଉଛି। କେଉଁ ନିୟମ ଉଲ୍ଲଂଘନ ପାଇଁ କେତେ ଟଙ୍କା ଫାଇନ୍?
ନିୟମ ଜରିମାନା (ଟଙ୍କାରେ)
ଗାଡ଼ି ଚଳା ନିୟମ ଖିଲାପ ୫୦୦
ଗାଡ଼ିର ଇନସ୍ୟୁରାନ୍ସ ନ ଥିଲେ ୨୦୦୦
ନାବାଳକ ଗାଡ଼ି ଚଳାଇଲେ ୨୫୦୦୦
ଚାଳକଙ୍କ ଲାଇସେନ୍ସ ନ ଥିଲେ ୫୦୦୦
ବାଇକ୍‌ରେ ୨ରୁ ଅଧିକ ବସିଲେ ୧୦୦୦
ହେଲ୍‌ମେଟ୍‌ ନ ପିନ୍ଧିଲେ ୧୦୦୦
ଡିଏଲ୍‌ ବାତିଲ ବେଳେ ଗାଡ଼ି ଚଳାଇଲେ ୧୦୦୦୦
ଦ୍ରୁତ ଗତିରେ ବାଇକ୍‌ ଚଳାଇଲେ ୨୦୦୦
ଦ୍ରୁତ ଗତିରେ ଚାରିଚକିଆ ଚଳାଇଲେ ୪୦୦୦
ବେପରୁଆ ଗାଡ଼ି ଚଳାଇଲେ ୫୦୦୦
ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର ୫୦୦୦
ଟ୍ରାଫିକ ରେଡ ଲାଇଟ୍‌ ଡେଇଁଲେ ୫୦୦୦
ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଳାଇଲେ ୫୦୦୦
ଦୁର୍ଘଟଣା ଘଟାଇଲେ ୫୦୦୦
ପ୍ରଦୂଷଣ ସାର୍ଟିଫିକେଟ୍ ନ ଥିଲେ ୧୦୦୦୦
ଡ୍ରାଇଭର ସିଟ୍‌ ବେଲ୍ଟ ନ ବାନ୍ଧିଲେ ୧୦୦୦
ମଦ ପିଇ ଗାଡ଼ି ଚଳାଇଲେ ୧୦୦୦୦, ଗିରଫ
ରେଜିଷ୍ଟ୍ରେସନ ନଥାଇ ଗାଡ଼ି ଚଳାଇଲେ ୫୦୦୦
ବେଆଇନ୍‌ ଭାବେ ଓଭରଟେକିଂ କଲେ ୫୦୦୦
ମାଲ୍‌ ଗାଡ଼ିରେ ଯାତ୍ରୀ ପରିବହନ ୫୦୦୦
ପରମିଟ୍‌ ନଥାଇ ଗାଡ଼ି ଚଳାଇଲେ ୧୦୦୦୦

Khansweb Solution Bhubaneswar

Leave A Reply

Your email address will not be published.