banner
Breaking

ଏକ ନମ୍ବର ମାର୍କେଟ ସମ୍ମୁଖରେ ବାଇକ ପାର୍କିଂ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ।

0

ଭୁବନେଶ୍ୱର,୨୧।୧(ବ୍ୟୁରୋ): ରାଜଧାନୀର ଏକ ନମ୍ବର ହାଟ ବାହାରେ ଏକାଧିକ ଗାଡି ପାର୍କିଂ କରାଯାଉଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏବଂ ଟ୍ରାଫିକ ପୋଲିସର ମିଳିତ ଉଦ୍ୟମରେ ଏହି ସମସ୍ୟାର ସମାଧାନ ବାଟ ବାହାର କରାଯାଇଛି। ଏକ ନମ୍ବର ହାଟ ବାହାରେ ଆଉ ବାଇକ୍‌ ପାର୍କିଂ କରାଯାଇପାରିବ ନାହିଁ। ଯଦି କେହି ବାଇକ ପାର୍କିଂ କରିବେ, ତେବେ ସେମାନେ ଅଡୁଆରେ ପଡ଼ିବେ। ସେମାନଙ୍କ ବାଇକ ଜବତ କରାଯିବା ସହ ମୋଟା ରକମ ଜରିମାନା ଆଦାୟ କରାଯିବ। କେବଳ ସିଙ୍ଗଲ ଲେନ୍‌ରେ ଚାରିଚକିଆ ଯାନ ରହିବା ସହ ସେ ସବୁ ଗାଡିକୁ ୪୫ ଡ଼ିଗ୍ରୀ କୋଣ କରି ପାର୍କିଂ କରାଯିବ। ବାଇକ୍‌ଗୁଡିକୁ ରଖିବା ପାଇଁ କ୍ୟାପିଟାଲ ଥାନା ପାଖରେ ଏକ ସ୍ବତନ୍ତ୍ର ପାର୍କିଂ ସ୍ଥଳ କରାଯାଇଛି। ସେହିପରି ମାର୍କେଟ ଭିତରେ ଗଣେଶ ମଣ୍ଡପ ପଛପଟେ ଥିବା ସାଇକେଲ ପାର୍କିଂ ସ୍ଥାନକୁ ମଧ୍ୟ ବାଇକ୍‌ ପାର୍କିଂ ପାଇଁ ଚିହ୍ନଟ କରାଯାଇଛି। ଉକ୍ତ ସ୍ଥାନର ପରିସୀମାକୁ ବିଏମ୍‌ସି ପକ୍ଷରୁ ମାପ କରାଯାଇ ବୃଦ୍ଧି କରାଯିବ। ଏହାପରେ ସେଠାରେ ବାଇକ ପାର୍କିଂ କରାଯିବ ବୋଲି ଟ୍ରାଫିକ ଡିସିପି ସାଗରିକା ନାଥ ସୂଚନା ଦେଇଛନ୍ତି।
ସେହିପରି ଟ୍ରାଫିକ୍‌ ଜାମ୍‌କୁ ଦୃଷ୍ଟିରେ ରଖି ସୋମବାର ଅପରାହ୍ନରେ ରାଜମହଲ ଛକରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତାକଡ଼ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇଛି। ମଙ୍ଗଳବାର ମଧ୍ୟ ଉଚ୍ଛେଦ କାର୍ଯ୍ୟ ଜାରି ରହିବ। ଅନ୍ୟପକ୍ଷରେ ୟୁନିଟ୍‌-୧ରୁ ୟୁନିଟ୍‌-୨ ମାର୍କେଟକୁ ଯିବାକୁ ହେଲେ ଲୋକେ ରାସ୍ତାପାର ହୋଇଯାଉଥିଲେ। ଫଳରେ ଦୁର୍ଘଟଣା ହେବାସହ ଟ୍ରାଫିକ ଜାମ୍‌ ସମସ୍ୟା ସୃଷ୍ଟି ହେଉଥିଲା। ତେଣୁ ରାସ୍ତା ପାରି ହେଉଥିବା ସ୍ଥାନକୁ ବନ୍ଦ କରାଯିବ। ଲୋକମାନେ ଭୂତଳ ରାସ୍ତାକୁ ବହୁଳଭାବେ ବ୍ୟବହାର କରିବା ପାଇଁ ଡିସିପି ସାଗରିକା ପରାମର୍ଶ ଦେଇଛନ୍ତି।
ସେହିପରି ବାପୁଜୀ ନଗର ପାଇଁ ଓ୍ବାନ୍‌ ଓ୍ବେ ଯୋଜନା କରାଯାଇଛି। କିଭଳି ପ୍ରବେଶ ଓ ପ୍ରସ୍ଥାନ ଗେଟ ରହିବ ଏବଂ ଗାଡିଗୁଡିକ କେଉଁ ସ୍ଥାନରେ ପାର୍କିଂ କରାଯିବ ସେନେଇ ସୋମବାର ଟ୍ରାଫିକ ପୋଲିସ, ବିଏମ୍‌ସି ଅଧିକାରୀ ଏବଂ ସ୍ଥାନୀୟ ବ୍ୟବସାୟୀ ସଂଘ କର୍ମକର୍ତ୍ତା ସ୍ଥାନ ପରିଦର୍ଶନ କରିଥିଲେ। ବାପୁଜୀନଗର ଭିତରେ ୩ ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି। ତାହାକୁ ମଧ୍ୟ ବିଏମ୍‌ସି ଅମିନ ମାପ କରିଛନ୍ତି। ଏହାସହ କଳ୍ପନା ଛକରୁ ଆସୁଥିବା ଗାଡ଼ିଚାଳକମାନେ ବାପୁଜୀ ନଗର ଭିତରକୁ ପଶିବା ପାଇଁ ଗୋଟିଏ ଗେଟ୍‌ କରାଯିବ। ଏହା ଓ୍ବ୍‌ାନ୍‌ ଓ୍ବେ କରାଯାଇ ଶିଶୁଭବନ ଛକ ପର୍ଯ୍ୟନ୍ତ ଯିବ। ସେହିପରି ବାପୁଜୀନଗରରୁ ବାହାରିବା ପାଇଁ ଅନ୍ୟଏକ ଗେଟ୍‌ କରାଯିବ। ରାଜମହଲରୁ ଶିଶୁଭବନ ପର୍ଯ୍ୟନ୍ତ ବାପୁଜୀନଗର ଭିତରକୁ ଯିବା ପାଇଁ ୮ଟି ଲେନ୍‌ ରହିଛି। ଏଥିରୁ କେଉଁ ଲେନ୍‌ ବନ୍ଦ ହେବ ଓ କେଉଁଟା ଖୋଲା ରହିବ ସେନେଇ ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ ବୋଲି ଟ୍ରାଫିକ ପୋଲିସ ପକ୍ଷରୁ କୁହାଯାଇଛି। ଏହାସହ ଖୁବ୍‌ଶୀଘ୍ର ବାପୁଜୀନଗର ପ୍ରବେଶ ପଥ କଡ଼ରେ ଥିବା ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରାଯିବ ବୋଲି ଜଣାପଡିଛି।

Khansweb Solution Bhubaneswar

Leave A Reply

Your email address will not be published.