banner
Breaking

ଭୋଟ ଦେବା ସମୟରେ ଚିହ୍ନଟ ପାଇଁ ମାସ୍କ ଖୋଲିବେ ଭୋଟର

0

ବାଲେଶ୍ୱର ,୧୭।୧: ବାଲେଶ୍ୱର ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ରବିବାର ରାଜନୈତିକ ଦଳ ପ୍ରତିନିଧିମାନଙ୍କ ସହ ଜିଲା ପ୍ରଶାସନର ଆଲୋଚନା ହୋଇଥିଲା। ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବା ବେଳେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ଜିଲା ପଞ୍ଚାୟତ ଅଧିକାରୀ ରବିଚନ୍ଦ୍ର କହଁର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରିଥିଲେ। ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ, ପ୍ରତ୍ୟାହାର, ନିର୍ବାଚନ ପ୍ରଚାର, ଆଦର୍ଶ ଆଚରଣ ବିଧି, କୋଭିଡ୍‌ କଟକଣା, ଭୋଟ୍‌ ଗ୍ରହଣ, ଗଣତି, କଣ୍ଟ୍ରୋଲ୍‌ ରୁମ୍‌ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜନୈତିକ ଦଳ ସେମାନଙ୍କ ପୋଲିଂ ଏଜେଣ୍ଟ ଏବଂ କାଉଣ୍ଟିଂ ଏଜେଣ୍ଟମାନଙ୍କୁ ନିର୍ବାଚନ ଆଚରଣ ବିଧି, କୋଭିଡ୍‌ କଟକଣା ଏବଂ ଅନ୍ୟ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଆବଶ୍ୟକ ପ୍ରଶିକ୍ଷଣ ଦେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଦୁଇଟି ଟିକା ନେଇଥିବା ଏବଂ କୋଭିଡ୍‌ ନେଗେଟିଭ୍‌ ଥିବା ପୋଲିଂ ଏଜେଣ୍ଟ, ବ୍ୟକ୍ତିଙ୍କୁ ହିଁ ଭୋଟଗଣତି କେନ୍ଦ୍ରରେ ପ୍ରବେଶ ପାଇଁ ଅନୁମତି ମିଳିବ। ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ଭୋଟଦାନ କକ୍ଷରେ ଅଳ୍ପ ସମୟ ପାଇଁ ମାସ୍କ କାଢ଼ିବାକୁ ଏବଂ ଚିହ୍ନଟ ପରେ ତୁରନ୍ତ ପିନ୍ଧିବାକୁ କୁହାଯିବ। କ୍ୱାରାଣ୍ଟାଇନରେ ଥିବା କୋଭିଡ୍‌ ଆକ୍ରାନ୍ତଙ୍କୁ ଭୋଟଗ୍ରହଣ ଦିନ ଶେଷ ଏକ ଘଣ୍ଟା (୧୨ଟାରୁ ୧ଟା) ସମୟସୀମା ମଧ୍ୟରେ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭୋଟଦାନ ପାଇଁ ଅନୁମତି ମିଳିବ। ଆଦର୍ଶ ଆଚରଣ ବିଧି ଓ କୋଭିଡ୍‌ ମାର୍ଗଦର୍ଶିକା ଉଲ୍ଲଙ୍ଘନ ଏବଂ ଭୁଲ୍‌ ସତ୍ୟପାଠ କ୍ଷେତ୍ରରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ନିର୍ବାଚନ ପାଇଁ ଜିଲା ମୁଖ୍ୟାଳୟ ସମେତ ସମସ୍ତ ବ୍ଲକ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି ା ନିର୍ବାଚନ ସଂକ୍ରାନ୍ତରେ କୌଣସି ପ୍ରକାର ସନ୍ଦେହ, ଦ୍ୱନ୍ଦ୍ୱ କିମ୍ବା ଅଭିଯୋଗ ଥିଲେ କଣ୍ଟ୍ରୋଲ ରୁମ ଫୋନ ନମ୍ବରରେ ଜଣାଇହେବ। ବୈଠକରେ ରାଜନୈତିକ ଦଳ ପ୍ରତିନିଧି ଶତ୍ରୁଘ୍ନ ମଲ୍ଲିକ, ଗୋପୀନାଥ ପାଢ଼ୀ, କେଶବ କୁମାର ଆଚାର୍ଯ୍ୟ, ପ୍ରେମରଞ୍ଜନ ପାତ୍ର, ଗୌରାଙ୍ଗ ପାଣିଗ୍ରାହୀ, ନିରଞ୍ଜନ ପରିଡ଼ାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.