banner
Breaking

କରୋନା ଆଇ ପି ଏଲ୍ ମ୍ୟାଚ ନୁହେଁ କି ଦିନିକିଆ କ୍ରିକେଟ ନୁହେଁ। ସମାଜର ପ୍ରତିଟି ମଣିଷର ବ୍ୟକ୍ତିଗତ ଓ ସାମୂହିକ ଯୁଦ୍ଧ। ଏଥିପାଇଁ ସମସ୍ତଙ୍କୁ ଧୈର୍ଯ୍ୟ ଓ ବିଶ୍ୱାସ ରଖିବାକୁ ପଡ଼ିବ।

ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।

0

ଭୁବନେଶ୍ୱର,୧୦ା୪(ଓଡ଼ିଆ ନ୍ୟୁଜ): କରୋନା ସାରା ପୃଥବୀକୁ କବଳିତ କରି ସାରିଲାଣି।ଏଥିରୁ ବାଦପଡିନି ଓଡ଼ିଶା।ସାରା ଓଡିଶା ଲକଡାଉନ୍। ସମସ୍ତ ଓଡିଶାବାସୀ ରାଜ୍ୟ ସରକାରଙ୍କୁ ବିନମ୍ରତାର ସହିତ ସାହାଯ୍ୟ ଓ ସହଯୋଗ କରିଆସୁଛନ୍ତି।ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିଦିନ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଉଛି। କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେବା ସମୟରେ ଜନସାଧାରଣଙ୍କୁ କିଛି ନା କିଛି ନୂଆ ପରାମର୍ଶ ଦେଉଛନ୍ତି। ଏହିକ୍ରମରେ ଗୁରୁବାର ବାଗ୍‌ଚୀ ଗଣମାଧ୍ୟମକୁ କିଛି ପରାମର୍ଶ ଦେବା ସହ ଚେତାବନୀ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ବୁଧବାର ଏକ ବୈଦ୍ୟୁତିକ ଗଣମାଧ୍ୟମ ମୋ ଉଦ୍ଦେଶ୍ୟରେ କିଛି ପ୍ରଶ୍ନ ରଖିଥିଲେ। ଆଉ ଉକ୍ତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କୋଭିଡ-୧୯କୁ ଦିନିକିଆ କ୍ରିକେଟ ମ୍ୟାଚ୍‌ ନ ଭାବିବା ଉଚିତ ବୋଲି ବାଗ୍‌ଚୀ ପରାମର୍ଶ ଦେଇଛନ୍ତି। କରୋନା ଏକ ଆଇ ପି ଏଲ ମ୍ୟାଚ କି ଦିନିକିଆ କ୍ରିକେଟ ନୁହେଁ । କୋଭିଡ୍‌ ହସ୍ପିଟାଲ ଓ ଲାବୋରେଟାରୀ ଆଗରେ ଓବି ଭ୍ୟାନ୍‌ ଠିଆ କରାଇବାର ସମୟ ନୁହେଁ। ଏହି ଯୁଦ୍ଧ  ୨୧ ଦିନରେ ସରିଯିବ ନାହିଁ ।  ଏହି ଯୁଦ୍ଧ କେବଳ ସରକାରଙ୍କର ନୁହେଁ । ସମାଜର ପ୍ରତିଟି ମଣିଷର ବ୍ୟକ୍ତିଗତ ଓ ସାମୂହିକ ଯୁଦ୍ଧ। ଏଥିପାଇଁ ସମସ୍ତଙ୍କୁ ଧୈର୍ଯ୍ୟ ଓ ବିଶ୍ୱାସ ରଖିବାକୁ ପଡ଼ିବ। ସମସ୍ତଙ୍କୁ ଶକ୍ତି ସଞ୍ଚୟ କରିବାକୁ ପଡ଼ିବ। ଏପରି ସ୍ଥିତିରେ କ୍ରିକେଟ୍ ମ୍ୟାଚରେ ପ୍ରତି ବଲର ସମୀକ୍ଷା ହେବା ପରି ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତିର ସମୀକ୍ଷା କରନ୍ତୁ ନାହିଁ ।
କ୍ରିକେଟ ମ୍ୟାଚ୍‌ରେ ଆମେ ‘ବଲ୍‌ ବାଏ ବଲ୍‌’ ବା ଗୋଟି ଗୋଟି ବଲ୍‌ର ହିସାବ ଜାଣିବାକୁ ଚାହିଁଥାଉ। କେଉଁ ବଲ୍‌ କେତେ ଗତିରେ ଆସିଲା, ବ୍ୟାଟ୍ସମ୍ୟାନ୍‌ ତାକୁ କିପରି ଖେଳିଲା, ପ୍ରତି ବଲ୍‌ର ଆମେ ସମୀକ୍ଷା କରୁ। ବ୍ୟାଟିଂ କରୁଥିବା ଖେଳାଳି କେବଳ ବ୍ୟାଟିଂ କରୁ ତାହା ଦେଖିଲେ ଆମର ମନ ଶାନ୍ତି ହୁଏନାହିଁ। ସେ ବାଉଣ୍ଡାରି ମାରିବା ଓ ଆଉଟ୍‌ ହେବା ସହ ଆକ୍ସନ ରିପ୍ଲେକୁ ମଧ୍ୟ ଆମେ ନିରିଖେଇ ଦେଖୁ। ସେଥିରେ ମଧ୍ୟ ମନ ଭରେ ନାହିଁ। ତା’ ପରେ ଆମେ ପୁଣି ସ୍ଲୋ ମୋଶନ୍‌ରେ ମଧ୍ୟ ଦେଖୁ। ରାଜ୍ୟରେ ଆଜି ୪୪ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାବେଳେ ୧୪ ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ବା କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା ସହ ସିଲ୍‌ କରାଯାଇଛି। ପ୍ରତିଟି ପଜିଟିଭ୍‌ କେସ୍‌ର ବିବରଣୀ ଆମକୁ ଦରକାର, ଏହା ପରେ ପୁଣି ତା’ର ସମୀକ୍ଷା ଦରକାର, ଆକ୍ସନ ଏବଂ ରିପ୍ଲେ ସହ ସ୍ଲୋ ମୋଶନ ମଧ୍ୟ ଦରକାର। ଏହି ସଂଖ୍ୟା ଯେତେବେଳେ ୪ଶହରେ ପହଞ୍ଚତ୍ବ ସେତେବେଳେ ଆମେ କ’ଣ କରିବା ବୋଲି ବାଗ୍‌ଚୀ ପ୍ରଶ୍ନ କରିଛନ୍ତି। ଏହା କ୍ରିକେଟ ନୁହେଁ କୋଭିଡର ଖେଳ, ଆବେଗ ନୁହେଁ ପ୍ରତ୍ୟୟର ସମୟ। ଏ ବିପଦ ନ ଟଳିବା ପର୍ଯ୍ୟନ୍ତ ପ୍ରତିଦିନ ଆମେ ଆପଣଙ୍କୁ ବ୍ୟବହାର୍ଯ୍ୟ ତଥ୍ୟ ଦେବୁ। ଆପଣ ପ୍ରତିଟି ଘଟଣାର ସମୀକ୍ଷା କରନ୍ତୁ ନାହିଁ। ସରକାର ଆପଣଙ୍କୁ ଠିକ୍‌ ଖବର ଠିକ୍‌ ସମୟରେ ଦେଉଛନ୍ତି ଓ ଦେବାକୁ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଆପାତକାଳୀନ ସ୍ଥିତିରେ ଘଟଣାଟି ଘଟିବା କ୍ଷଣି ସୂଚନା ଦେବା ସମ୍ଭବ ନୁହେଁ କି ଉଚିତ୍‌ ମଧ୍ୟ ନୁହେଁ। ବୃହତ୍ତର ଜନହିତକୁ ଦୃଷ୍ଟି ଦେବାକୁ ପଡ଼ିବ। ଯେଉଁଠି ଜନହିତରେ ଜଣେ ବ୍ୟକ୍ତିଙ୍କ ବିବରଣୀ ଦେବା ଆବଶ୍ୟକ ତାହା ଆମେ ଯୋଗାଇଦେବୁ। ଯେଉଁଠି ଜନବିପଦ ଆଶଙ୍କା ନାହିଁ ସେଠି ଆମେ ବ୍ୟକ୍ତିଗତ ବିବରଣୀ ଦେବୁ ନାହିଁ। ଏଥିପାଇଁ ସମାଲୋଚନା ଓ ସମୀକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ବାଗ୍‌ଚୀ କହିଛନ୍ତି।
ଏହି ଅବସରରେ ବାଗଚୀ ସାଧାରଣ ଓ ଅସାଧାରଣ ସମୟକୁ ବର୍ଣ୍ଣନା କରି କହିଲେ, ସାଧାରଣ ସମୟରେ ଆମେ ସବୁବେଳେ ସନ୍‌ସନି ଖବର ଖୋଜୁ, ଭିତରୁ ଖୋଳି ତଥ୍ୟ ବାହାର କରୁ। କୋଟିଏ ଚ୍ୟାନେଲ୍‌ କହିବା ଆଗରୁ ଆମେ ଗୋଟିଏ ଚ୍ୟାନେଲ୍‌ ହେବାକୁ ଚେଷ୍ଟା କରୁ। ବର୍ତ୍ତମାନ ପରିସ୍ଥିତିରେ ଆମକୁ ଦାୟିତ୍ୱବାନ ହେବାକୁ ପଡ଼ିବ। ଏଇଟା ସାଧାରଣ ସମୟ ନୁହେଁ ଅସାଧାରଣ ସମୟ। କୋଭିଡ୍‌ ହସ୍ପିଟାଲ ଓ ଟେଷ୍ଟିଂ ଲାବୋରେଟୋରି ଆଗରେ ଓବି ଭ୍ୟାନ୍‌ ଠିଆ କରିବାର ସମୟ ନୁହେଁ। ତେଣୁ ଆପଣଙ୍କୁ ବ୍ୟବହାର୍ଯ୍ୟ ତଥ୍ୟ ଦେବା ପାଇଁ ସୁଯୋଗ ଦିଅନ୍ତୁ ବୋଲି ବାଗ୍‌ଚୀ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି। କରୋନା ଅପଡ଼େଟ ଦେଇ କହିଛନ୍ତି ଓଡ଼ିଶା କୋଭିଡ଼୍ ବିରୋଧରେ ଯୁଦ୍ଧ ମାର୍ଚ୍ଚ ୧୫ରେ ଘୋଷଣା କରିଥିଲା । ଏହି ଯୁଦ୍ଧ ଲମ୍ବା ଚାଲିବ କିନ୍ତୁ ଆମକୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ବାଗଚୀ କହିଛନ୍ତି । ଏପ୍ରିଲ ୩୦ଯାଏଁ ଓଡ଼ିଶାରେ ଲକ୍ ଡାଉନକୁ ବୃଦ୍ଧି କରାଯାଇଛି । ଏହି ମହାମାରୀରୁ ଆମେ ମାନେ ନିଶ୍ଚୟ ବାହାରିବା । ଅନ୍ୟ ରାଜ୍ୟ ଅପେକ୍ଷାରେ ଓଡ଼ିଶାରେ କୋଭିଡ଼୍ ହସ୍ପିଟାଲ ସଂଖ୍ୟା ଅଧିକ ରହିଛି । ଆମ ପାଖରେ ଟେଷ୍ଟିଂ କିଟ୍ ଉପଯୁକ୍ତ ପରିମାଣରେ ଅଛି । ରାଜ୍ୟରେ ପିପିଇ ମଧ୍ୟ ଉପଯୁକ୍ତ ପରିମାଣରେ ଅଛି ।ଏହାସହ ଭାରତ ଓ ଭାରତ ବାହାରୁ ପିପିଇ ଆଣିବାକୁ ଚେଷ୍ଠା କରାଯାଇଛି ।
ଏହାସହ କରୋନା ସତର୍କତା ନେଇ ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମାସ୍କ ନପିନ୍ଧିଲେ ଜରିମାନା ଭରିବାକୁ ପଡ଼ିବ । ପ୍ରଥମ ୩ଥର ମାସ୍କ ନପିନ୍ଧିଲେ ୨ଶହ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯିବ ।ଏହାପରେ ୫ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ । ବିଶ୍ୱରେ ଏପର୍ଯ୍ୟନ୍ତ ୮୮ହଜାର ୯୫୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସଂକ୍ରମିତ ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ ୨୪ରେ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ ୨୮୪୧ଟି ନମୁନାରେ ରିପୋର୍ଟ ମିଳିଛି । ୪୪ଜଣ କରୋନାରେ ରାଜ୍ୟରେ ଆକ୍ରାନ୍ତ ଥିବା ସୂଚନା ଦେଇଛନ୍ତି ବାଗଚୀ ।

Khansweb Solution Bhubaneswar

Leave A Reply

Your email address will not be published.