ଭଦ୍ରକ, ୨୬।୮,(ବ୍ୟୁରୋ) : ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହରେ ବର୍ଷା ପାଣି ପ୍ରବେଶ କରିବାରୁ ବାବା ଆଖଣ୍ଡଳମଣି ସମ୍ପୂର୍ଣ୍ଣ ଭାବେ ବୁଡିଯାଇଥିଲେ। ଲିଙ୍ଗ ବୁଡି ରହିଥିବାରୁ ବୁଧବାର ସକାଳେ ମଙ୍ଗଳଆଳତି ହେବାରେ ବିଳମ୍ବ ହୋଇଥିଲା। ପରେ ପମ୍ପସେଟ୍ ଯୋଗେ ଗର୍ଭଗୃହରୁ ପାଣି ସୁଖାଯାଇ ନୀତିକାନ୍ତି ସମାପିତ ହୋଇଥିଲା । ଅଧିକ ବର୍ଷା କିମ୍ବା ବନ୍ୟା ହେଲେ ପୂର୍ବରୁ ଏହି ସମସ୍ୟା ସୃଷ୍ଟି ହେଉଥିଲା। ତେଣୁ ୨୦୧୮ ମସିହାରେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଗର୍ଭଗୃହ ପଥର ଚଟାଣ ମରାମତି କରାଯାଇଥିଲା। ହେଲେ ୩ ବର୍ଷ ନ ପୂରୁଣୁ ପୁଣି ପଥର ଚଟାଣ ଫାଟ ସୃଷ୍ଟି ହୋଇ ଗର୍ଭଗୃହରେ ପାଣି ଜମିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।




