banner
Breaking

ଭୟଙ୍କର ରୂପ ନେଉଛି ବାତ୍ୟା ଅମ୍ଫାନ। କେଉଁ ଜିଲ୍ଲା ପ୍ରଭାବିତ ହେବ ଜାଣନ୍ତୁ।

ପାରାଦୀପ ଠାରୁ ୧୧୦୦ କିମି ଦୁରରେ।

0

ଭୁବନେଶ୍ଵର,୧୬/୫: ଭୟଙ୍କର ରୂପ ନେଉଛି ଅମ୍ଫାନ। ବଙ୍ଗୋପସାଗରେ ସୃଷ୍ଟି ଲଘୁଚାପ ଶନିବାର ପୂର୍ବାହ୍ନରେ ଅବପାତ ରୂପ ନେଇଛି। ପଶ୍ଚିମବଙ୍ଗର ଦୀଘାଠାରୁ ୧୨୫୦ କିଲୋମିଟର ଏବଂ ପାରାଦୀପଠାରୁ ୧୧୦୦ କିଲୋମିଟର ଦୂରରେ ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଆଗାମୀ ୧୨ ଘଣ୍ଟା ଭିତରେ ଏହି ଅବପାତ ସାଇକ୍ଲୋନିକ ଷ୍ଟର୍ମ ବା ସାମୁଦ୍ରିକ ଝଡ଼ ରୂପ ନେବ। ୨୪ ଘଣ୍ଟା ମଧ୍ୟରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୟଙ୍କର ସାମୁଦ୍ରିକ ଝଡ଼ ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସୂଚନା ମିଳିଛି।ଆଇଏମଡି ସୂଚନା ଅନୁସାରେ, ଏହି ସାମୁଦ୍ରିକ ଝଡ଼ ୧୭ ତାରିଖ ପର୍ଯ୍ୟନ୍ତ ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ୧୭ ତାରିଖ ପରେ ଏହା ଦିଗ ପରିବର୍ତ୍ତନ କରି ଉତ୍ତର ଏବଂ ଉତ୍ତର-ପୂର୍ବ ଆଡକୁ ଗତି କରି ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇବ। ୧୮ ତାରିଖ ବେଳକୁ ଝଡ଼ ଅତି ଭୟଙ୍କର ସାମୁଦ୍ରିକ ଝଡ଼ ଏବଂ ୧୯ ତାରିଖ ଅପରାହ୍ନ ସୁଦ୍ଧା ଅତ୍ୟଧିକ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ।

ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା କହିଛନ୍ତି। ସାମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଏସଆରସିଙ୍କ ସୂଚନା ଅନୁସାରେ, ଅବପାତ ବାତ୍ୟା ରୂପ​‌ ନେବା ପରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ୧୭ ତାରିଖ ସନ୍ଧ୍ୟା ପରେ ତାହା ପୁଣି ଦିଗ ପରିବର୍ତ୍ତନ କରି ଉତ୍ତର-ପୂର୍ବ ଦିଗକୁ ଗତି କରିବ। ବାତ୍ୟା କେଉଁ ସ୍ଥାନରେ ଲ୍ୟାଣ୍ଡଫଲ୍‌ କରିବ ତାହା ଜଣାପଡ଼ି ନାହିଁ। ପଶ୍ଚିମବଙ୍ଗ, ବାଂଲାଦେଶ କିମ୍ବା ଅନ୍ୟ କେଉଁ ସ୍ଥାନରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ।ଏସଆରସି କହିଛନ୍ତି ଯେ, ବ୍ୟାତ୍ୟା ଯୋଗୁ ଉତ୍ତର ଓଡ଼ିଶା ପ୍ରଭାବିତ ହୋଇପାରେ। ଆମେ ନିୟମିତ ଭାବେ ଏହା ଉପରେ ନଜର ରଖିଛୁ। ଆଶ୍ରୟସ୍ଥଳଗୁଡ଼ିକୁ ଠାବ କରିବାକୁ ଜିଲାପାଳଙ୍କୁ କହିଛୁ। ଆବଶ୍ୟକ ପଡ଼ିଲେ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ସରପଞ୍ଚ ଏବଂ ସ୍କୁଲ ଶିକ୍ଷକ ସେଲ୍‌ଟର ହୋମ୍‌ ଦାୟିତ୍ଵରେ ରହିବେ। ପୁଲିସ, ଅଗ୍ନିଶମ, ଏନଡିଆରଏଫ ସହିତ ପ୍ରାଥମିକ ଆଲୋଚନା ହୋଇଛି। ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ଵର ଓ ଭଦ୍ରକ ଆଦି ୪ ଉପକୂଳ ଜିଲାର ଜିଲାପାଳଙ୍କ ସହ ମଧ୍ୟ ଆଲୋଚନା କରିଛୁ। ୧୫ ତାରିଖରୁ ଗଭୀର ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି। ସେହିପରି ସମବାୟ, ଶକ୍ତି, ଜଳସମ୍ପଦ ବିଭାଗକୁ ସତର୍କ ରହିବାକୁ କୁହାଯାଇଛି। ବାତ୍ୟା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ଆଶା ଥିବା ଏସଆରସି କହିଛନ୍ତି। ବାତ୍ୟା ପରିସ୍ଥିତି ସୃଷ୍ଟି ହେଲେ ଏହାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଗଜପତିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ୧୨ ଜିଲାକୁ ସତର୍କ କରାଯାଇଛି। ସାମ୍ଭାବ୍ୟ ବାତ୍ୟା ପ୍ରଭାବିତ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ଏସଆରସି କହିଛନ୍ତି।
ସମ୍ଭାବ୍ୟ ବାତ୍ୟା ଆମ୍ପାନ୍‌ର ଗତିପଥ କ’ଣ ହେବ ? କେଉଁଠି ଏହା ଲ୍ୟାଣ୍ଡ୍‌ଫଲ୍‌ କରିବ ? ଏହାର ବେଗ କେତେ ରହିବ, ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ଜଣାପଡ଼ିନାହିଁ।

ବାତ୍ୟା ଯୋଗୁ ଉତ୍ତର ଉପକୂଳ ଓଡ଼ିଶା ପ୍ରଭାବିତ ହୋଇପାରେ ବୋଲି ଜଣାପଡ଼ିଛି। କାଲି  ଉପକୂଳବର୍ତ୍ତୀ ଜିଲ୍ଲାରେ ସ୍ୱଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ପଡ଼ିପାରେ।

Khansweb Solution Bhubaneswar

Leave A Reply

Your email address will not be published.