banner
Breaking

ଓଡ଼ିଶାର ଏମ୍ସ ଡାକ୍ତରଙ୍କୁ ମୋଦିଙ୍କ ପ୍ରଶଂସା

0

ଭୁବନେଶ୍ୱର :ଏମ୍ସ ଭୁବନେଶ୍ବରରେ ଜଣେ ପଙ୍ଗୁପ୍ରାୟ ମହିଳା ରୋଗୀଙ୍କ ଦୁଇ ଆଣ୍ଠୁ ଓ ଦୁଇ ହିପ୍‌ (ନିତମ୍ବ ଗଣ୍ଠି)ର ଏକକାଳୀନ ପ୍ରତିରୋପଣ କରାଯାଇଥିଲା। ଭୁବନେଶ୍ବର ଏମ୍ସର ଏହି ସଫଳ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ସୋମବାର ଟୁଇଟ୍‌ କରି କହିଛନ୍ତି, ଚିକିତ୍ସା କ୍ଷେତ୍ରରେ ଆମ ଡାକ୍ତରମାନେ ସବୁବେଳେ ପରିବର୍ତ୍ତନ ଏବଂ ନୂଆ କିଛି କରିବା ପାଇଁ ଉଦ୍ୟମ କରୁଛନ୍ତି। ତାହା ପ୍ରଶଂସନୀୟ। ସେମାନଙ୍କର ଏହି ଅଭିନବତ୍ୱ ଆମକୁ ଗର୍ବିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ସେହିଭଳି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ୍‌ ମାଣ୍ଡଭିୟ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏଭଳି ବିରଳ ଅସ୍ତ୍ରୋପଚାର କରିଥିବା ଏମ୍ସର ଡାକ୍ତରୀ ଟିମ୍‌କୁ ପ୍ରଶଂସା କରିଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଆଳି ବ୍ଲକ୍‌ର ଜଣେ ୩୭ ବର୍ଷୀୟ ମହିଳା ଆଣ୍ଠୁଗଣ୍ଠି ବାତ ରୋଗରେ ପୀଡ଼ିତ ହୋଇ ପଙ୍ଗୁପ୍ରାୟ ଅବସ୍ଥାରେ ଯନ୍ତ୍ରଣାର ସହ ବଞ୍ଚୁଥିଲେ। ଏମ୍ସ ଭୁବନେଶ୍ବରର ଅସ୍ଥିଶଲ୍ୟ ବିଭାଗକୁ ଚିକିତ୍ସା ପାଇଁ ଆସିବା ପରେ ବିଭିନ୍ନ ପରୀକ୍ଷାନିରୀକ୍ଷା କରାଯାଇଥିଲା। ମହିଳାଙ୍କ ଦୁଇ ଆଣ୍ଠୁ ଏବଂ ଦୁଇ ହିପ୍‌ର ପ୍ରତିରୋପଣ ଏକକାଳୀନ କରାଯିବାର ଆବଶ୍ୟକତା ଥିବା ଡାକ୍ତରୀ ଦଳ ଅନୁଭବ କରିବା ପରେ ଏଥିପାଇଁ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଗଠନ କରାଯାଇଥିଲେ। ଡାକ୍ତରୀ ଦଳ ପ୍ରଥମେ ମହିଳାଙ୍କ ଦୁଇ ହିପ୍‌ ଓ ପରେ ଦୁଇ ଆଣ୍ଠୁର ପ୍ରତିରୋପଣ କରିଥିଲେ। ରୋଗୀ ଜଣକ ଦୁଇଦିନ ଆଇସିୟୁରେ ରହିବା ପରେ ତୃତୀୟ ଦିନରେ ଚାଲିବା ଆରମ୍ଭ କରିଥିଲେ। ଏମ୍ସ ଭୁବନେଶ୍ବର ଅସ୍ଥିଶଲ୍ୟ ବିଭାଗର ଡା. ସୁଜିତ କୁମାର ତ୍ରିପାଠୀ ଏବଂ ଡା. ମଣ୍ଟୁ ଜୈନଙ୍କ ନେତୃତ୍ୱରେ ଏକ ଯୁବ ତଥା ଦକ୍ଷ ଡାକ୍ତରୀ ଦଳ ଏହି ବିରଳ ପ୍ରତିରୋପଣକୁ ସଫଳତାର ସହିତ ସମ୍ପନ୍ନ କରିଥିଲେ। ଏମ୍ସ ଭୁବନେଶ୍ବରରେ ହୋଇଥିବା ଏହି ପ୍ରତିରୋପଣ ଓଡ଼ିଶାରେ ପ୍ରଥମ ଓ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ବୋଲି କୁହାଯାଉଛି।

Khansweb Solution Bhubaneswar

Leave A Reply

Your email address will not be published.