banner
Breaking

ପୁଷ୍ଟିଯୁକ୍ତ ଖାଦ୍ୟ ଗ୍ରହଣ ସମ୍ପର୍କିତ ଆଚରଣଗତ ପରିବର୍ତ୍ତନ ଉପରେ ମହିଳା ଆରୋଗ୍ୟ ସମିତି ସଦସ୍ୟାଙ୍କ ଦକ୍ଷତା ବୃଦ୍ଧି ଦିଗରେ କାର୍ଯ୍ୟ କରିବ ଏମ୍ସ ଭୁବନେଶ୍ୱର

0

ଭୁବନେଶ୍ୱର : ପୁଷ୍ଟିକର ଖାଦ୍ୟ ଗ୍ରହଣକୁ ନେଇ ରହିଥିବା ପାରମ୍ପରିକ ଆଚରଣକୁ ସମ୍ପର୍କରେ ମହିଳା ଆରୋଗ୍ୟ ସମିତି (ଏମ୍‌ଏଏସ୍‌) ସଦସ୍ୟାଙ୍କ ଦକ୍ଷତା ବୃଦ୍ଧି, ସଚେତନତା ସୃଷ୍ଟି କରିବା ଏକ ସୁସ୍ଥ ସମାଜ ଗଠନ ଦିଗରେ ଆଜିର ସମୟର ବଡ଼ ଆହ୍ବାନ। ପୁଷ୍ଟିକର ଖାଦ୍ୟ ଗ୍ରହଣ ସମ୍ବନ୍ଧୀୟ ଞ୍ଜାନ ଓ ସୂଚନା ଅଭାବରୁ ସମାଜରେ ଅନେକ ଗମ୍ଭୀର ସମସ୍ୟା ସୃଷ୍ଟି ହେଉଛି। ଏନେଇ ଏମ୍ସ ଭୁବନେଶ୍ୱର କମ୍ୟୁନିଟି ମେଡିସିନ୍ ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ ପକ୍ଷରୁ ସଂଗୋଷ୍ଠୀ କାର୍ଯ୍ୟକ୍ରମ ଭଳି ଏକ ନିଆରା ପଦକ୍ଷେପ କାର୍ଯ୍ୟକାରୀ କରିଥିବା ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ବାସ ପ୍ରକାଶ କରିଛନ୍ତି। ଆଜି ସ୍ଥାନୀୟ ନୟାପଲ୍ଲୀ ସହରୀ ସ୍ୱାସ୍ଥ୍ୟ ଏବଂ ତାଲିମ କେନ୍ଦ୍ରରେ ଆୟୋଜିତ ପୋଷଣ ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି ମତ ରଖିଛନ୍ତି ଡ. ବିଶ୍ବାସ। ଆରୋଗ୍ୟ ସମିତି ସଦସ୍ୟାଙ୍କ ଦକ୍ଷତା ବୃଦ୍ଧି ଦିଗରେ ଏମ୍ସ କାର୍ଯ୍ୟ କରୁଥିବା ଡ. ବିଶ୍ବାସ ସୂଚନା ଦେଇଛନ୍ତି।
ଜାତୀୟ ପୋଷଣ ମାହ୍‌ ପାଳନ ଅବସରରେ ୟୁନିସେଫ୍‌ ସହଯୋଗରେ ଏମ୍ସ ଭୁବନେଶ୍ବର ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଦଶ ମହିଳା ଆରୋଗ୍ୟ ସମିତିର ପ୍ରାୟ ଦେଢ଼ଶହରୁ ଅଧିକ ସଦସ୍ୟା ଏହି ମେଳାରେ ଅଂଶଗ୍ରହଣ କରିଥିଲେ। ଅଂଶଗ୍ରହଣକାରୀମାନେ ଶିଶୁ ଏବଂ ଶିଶୁଙ୍କ ଖାଇବା ଅଭ୍ୟାସ, ଅତିରିକ୍ତ ଖାଦ୍ୟାଭାସ, ସ୍ତନ୍ୟପାନ, ହାତ ଧୋଇବା, କୃମିନାଶ, ନବଜାତ ଶିଶୁର ଅଭିବୃଦ୍ଧି ପର୍ଯ୍ୟବେକ୍ଷଣ, ପ୍ରସବପୂର୍ବ ଏବଂ ପରବର୍ତ୍ତୀ ଅବସ୍ଥାର ଉପଯୁକ୍ତ ଯାଞ୍ଚ, ମଧୁମେହ ପ୍ରକାର-୨, ଉଚ୍ଚ ରକ୍ତଚାପ ଇତ୍ୟାଦି ସହିତ ଜଡିତ ବିଭିନ୍ନ ବିଷୟ ଉପରେ ଲୋକନୃତ୍ୟ/ନାଟକ/ସଙ୍ଗୀତ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ।
ଉପରୋକ୍ତ ପ୍ରସଙ୍ଗରେ ମହିଳା ଆରୋଗ୍ୟ ସମିତି ସଦସ୍ୟାଙ୍କୁ ଶିକ୍ଷା ଓ ସଚେତନତା ସୃଷ୍ଟି ନିମନ୍ତେ ଏମ୍ସ ପକ୍ଷରୁ ପ୍ରାୟ ଏକ ମାସ ପୂର୍ବରୁ ଏହି କଠୋର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏନେଇ ସଦସ୍ୟାଙ୍କ ସହିତ ବିଭିନ୍ନ ବିଷୟବସ୍ତୁ ଉପରେ ଏକାଧିକବାର ଆଲୋଚନା ହେବା ସହିତ ସେମାନଙ୍କର ଦକ୍ଷତା ବିକାଶ ପାଇଁ ବିଶେଷଞ୍ଜମାନଙ୍କୁ ନିୟୋଜିତ କରାଯାଇଥିଲା। ସାଧାରଣ ଯୋଗାଯୋଗ ବ୍ୟବସ୍ଥାର ଉପଯୋଗ କରି ସେମାନଙ୍କର ଦକ୍ଷତାକୁ ପ୍ରଭାବଶାଳୀ ଢଙ୍ଗରେ ପ୍ରଦର୍ଶନ କରିବା ନେଇ ଚେଷ୍ଟା କରାଯାଇଥିଲା।
ଏହି ମେଳାରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ବାସ, ଏମ୍ସ ବିବିନଗର(ତେଲେଙ୍ଗାନା) କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ବିକାଶ ଭାଟିଆ, ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ. ବିଜୟ କୁମାର ପାଣିଗ୍ରାହି, ଏମ୍ସ ଭୁବନେଶ୍ୱର କମ୍ୟୁନିଟି ମେଡିସିନ୍‌ସ ଏବଂ ଫ୍ୟାମିଲି ମେଡିସିନ୍ସ ବିଭାଗୀୟ ମୁଖ୍ୟ ଡ. ସୋନୁ ଏଚ୍‌ ସୁବା, ଡ. ସ୍ବୟମ୍‌ପ୍ରଞ୍ଜା ପରିଡ଼ା, ଡ. ବିନୋଦ କୁମାର ବେହେରା, ଡ. ପ୍ରଞ୍ଜା ପାରମିତା ଗିରିଙ୍କ ସମେତ ବହୁ ସ୍ଥାନୀୟ ଜନପ୍ରତିନିଧୀ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ।
ଏପରି ପୋଷଣ ମେଳାର ଆୟୋଜନ ସମାଜରେ ପୁଷ୍ଟିକୁ ନେଇ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବ ବୋଲି ଅତିଥିମାନେ ଆଶାବ୍ୟକ୍ତ କରିଥିଲେ। ବିଶେଷକରି ଆରୋଗ୍ୟ ସମିତି ସଦସ୍ୟାଙ୍କ ପକ୍ଷରୁ ନାଚ/ଗୀତ ଓ ନାଟକ ମାଧ୍ୟମରେ ପୁଷ୍ଟିକର ଆଚରଣଗତ ପରିବର୍ତ୍ତନ ଉପରେ ସଚେତନତା ସୃଷ୍ଟି କରିବାର ପ୍ରୟାସକୁ ଅତିଥି ଏବଂ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିବିଶେଷ ଉଚ୍ଚ ପ୍ରଶଂସା କରିଥିଲେ। ଶ୍ରେଷ୍ଠ ପ୍ରଦର୍ଶନକାରୀ ଦଳକୁ ଟ୍ରଫି ସହିତ ପୁରସ୍କୃତ କରାଯାଇଥିବାବେଳେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଦ୍ବିତୀୟ ପର୍ଯ୍ୟାୟରେ ଏମ୍ସ ପରିସରରେ ଡାକ୍ତରୀ ଓ ନର୍ସିଂ ଛାତ୍ରଛାତ୍ରୀଙ୍କ ସମେତ ଇଣ୍ଟର୍ଣ୍ଣମାନଙ୍କ ପାଇଁ ପୋଷଣ ସମ୍ପର୍କରେ ଏକ ନିରନ୍ତର ଡାକ୍ତରୀ ଶିକ୍ଷା (ସିଏମ୍‌ଇ)ର ଆୟୋଜନ କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.