ଚୀନ ହରକତ ଉପରେ ତିନି ସେନା ମୁଖ୍ୟଙ୍କ ସହ ଆଲୋଚନା କଲେ ମୋଦି।
ନୂଆଦିଲ୍ଲୀ,୨୬/୫-: ସୀମାରେ ଚୀନ୍ ସେନାର ହରକତ୍ ବଢ଼ୁଛି । ଗତ କିଛି ସପ୍ତାହ ହେଲା ଭାରତ ସୀମା ଭିତରକୁ ଚୀନ ସେନା ଅନୁପ୍ରବେଶ କରିବା ଓ ହେଲିକପ୍ଟର ଛାଡ଼ିବା ଘଟଣାରେ ଭାରତ ପ୍ରତିବାଦ କରିଛି । ଏହା ସତ୍ବେ ଚୀନ ଚେତୁନାହିଁ । ସୀମାନ୍ତରେ ସେନା ଛାଉଣୀ ଲଗାଇବା, ହେଲିକପ୍ଟର ମୁତୟନ କରିବା ଏବଂ ୪ ଲେନ୍ ରାସ୍ତା ନିର୍ମାଣ କରି ଭାରତକୁ ବାରମ୍ବାର ଉସୁକାଉଛି । ଆଜି ଚୀନ ସେନା ଭାରତୀୟ ସେନାଙ୍କ ଉପରକୁ ପଥର ମାଡ଼ କରିଥିବା ସୂଚନା ମିଳିଛି । ଭାରତ ପକ୍ଷରୁ ଚୀନା ସେନାଙ୍କୁ ଅନୁରୂପ ଜବାବ ଦିଆଯାଇଛି । ଏହି ସ୍ଥିତିରେ ଲାଦାଖର ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସିଡ଼ିଏସ୍ ମୁଖ୍ୟ ବିପିନ ରାୱତ ଏବଂ ତିନି ସେନା ପ୍ରମୁଖଙ୍କ ସହ ଆଲୋଚନା କରିଛନ୍ତି ।
ଗତ କିଛିଦିନ ହେଲା ଲଦାଖ ପଶ୍ଚିମ ସେକ୍ଟର, ଉତ୍ତର ସିକ୍କିମ ପୂର୍ବ ସେକ୍ଟର ଓ ଉତ୍ତରାଖଣ୍ଡ ନିକଟରେ ୨ ଦେଶ ମୁହାଁମୁହିଁ ହୋଇଛନ୍ତି । ମେ ପ୍ରଥମ ସପ୍ତାହରେ ସେନା ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଥିଲେ । ଏପରିକି ସୀମାରେ ଚୀନ ହେଲିକପ୍ଟର ଉଡ଼ିବା ପରେ ଭାରତ ମଧ୍ୟ ଯୁଦ୍ଧ ବିମାନ ଉଡ଼ାଇବାକୁ ବାଧ୍ୟ ହୋଇଥିଲା । ତେଣୁ ବାସ୍ତବରେ ସେଠାରେ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଥିବା ଜଣାପଡ଼ିଛି । ଲଦାଖରେ ଚୀନ ପକ୍ଷରୁ ବାରମ୍ବାର ସୈନିକଙ୍କ ସଂଖ୍ୟା ବଢ଼ାଯାଉଛି । ଏହାକୁ ଦେଖି ଭାରତ ଏବେ ସେଠାରେ ସଂଖ୍ୟା ବଢ଼ାଇବାକୁ ଆରମ୍ଭ କରିଛି । ଚୀନା ସେନା-ଭାରତୀୟ ସେନା ମୁହାଁମୁହିଁ ହେବା ପରେ ପରିସ୍ଥିତି ଜଟିଳ ହେବାରେ ଲାଗିଛି ।