ଖୋଲିବ ଆଧାର ସ°ଶୋଧନ କେନ୍ଦ୍ର।
ଭୁବନେଶ୍ବର,୧୫/୫(ବ୍ୟୁରୋ) କରୋନା ସଂକ୍ରମଣ ପାଇଁ ମାର୍ଚ୍ଚ ୨୦ ତାରିଖରୁ ବନ୍ଦ ହୋଇ ରହିଥିବା ରାଜ୍ୟର ଆଧାର କେନ୍ଦ୍ର ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ନିୟମ ଅନୁପାଳନ କରି ଆଧାର କେନ୍ଦ୍ରଗୁଡ଼ିକୁ ଖୋଲିବା ପାଇଁ କୁହାଯାଇଛି। ଏନେଇ ଇଲେେକ୍ଟ୍ରାନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ନିର୍ଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ସଂକ୍ରମଣ ଆଶଙ୍କା ଥିବାରୁ ଏବେ ସମସ୍ତ ଆଧାର କେନ୍ଦ୍ର ବନ୍ଦ ରହିଛି। ତେବେ ଦୀର୍ଘ ଦିନ ଧରି ଆଧାର କେନ୍ଦ୍ର ବନ୍ଦ ରହିଥିବାରୁ ଜନସାଧାରଣ, ବିଶେଷକରି ସରକାରୀ ସହାୟତା ପାଉଥିବା ହିତାଧିକାରୀମାନେ ସମସ୍ୟା ଭୋଗୁଛନ୍ତି। ନୂତନ ଆଧାର କାର୍ଡ ପାଇଁ ପଞ୍ଜୀକରଣ ଅବା ସଂଶୋଧନ ହୋଇପାରୁ ନଥିବାରୁ ସେମାନେ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି। ତେଣୁ ଯଥାଶୀଘ୍ର ଆଧାର କେନ୍ଦ୍ରଗୁଡ଼ିକୁ ଖୋଲିବା ପାଇଁ ଜିଲାପାଳମାନେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ। ଜିଲା, ବ୍ଲକ୍ ଏବଂ ୟୁଏଲ୍ବି ସ୍ତରରେ ଥିବା ଆଧାର କେନ୍ଦ୍ର ତୁରନ୍ତ ଖୋଲିବା ପାଇଁ କୁହାଯାଇଛି। ଖୋଲା ଯାଉଥିବା ଆଧାର କେନ୍ଦ୍ରରେ ସାମାଜିକ ଦୂରତା ରକ୍ଷା ଓ ଅନ୍ୟ ନିୟମ କଡ଼ାକଡ଼ି ଭାବେ ପାଳନ ହେଉଛି କି ନାହିଁ ତାହା ଜିଲା ପ୍ରଶାସନ ସୁନିଶ୍ଚିତ କରିବ।