ଆଜି ଗଞ୍ଜାମ ଯିବେ ୭ ଜଣିଆ ଡାକ୍ତରି ଦଳ।
ଭୁବନେଶ୍ବର,୧୧/୫(ଓଡ଼ିଆ ନ୍ୟୁଜ) : ରାଜ୍ୟବାସୀ ଓ ସରକାରଙ୍କ ଚିନ୍ତା ବଢାଇଦେଇଛି ଗଞ୍ଜାମ। ପ୍ରବାସୀ ଓଡ଼ିଆ ଫେରିବା ପରେ ହୁହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସ°ଖ୍ୟା। ଗଞ୍ଜାମ ଜିଲାରେ ରବିବାର ସୁଦ୍ଧା ୧୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ ସୋମବାର ସକାଳୁ ୧୨ ଜଣ ଚିହ୍ନଟ ହୋଇ ଆକ୍ରାନ୍ତଙ୍କ ସ°ଖ୍ୟା ୧୩୭ ରେ ପହଞ୍ଚିଛି। ଯେଉଁଥିପାଇଁ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଯାଇଛି । ଗତ ୧୦ଦିନ ମଧ୍ୟରେ ୩୦ରୁ ଅଧିକ ଅଧିକାରୀଙ୍କୁ ପଠାଯାଇଥିବା ବେଳେ ଦୁଇଦିନ ତଳେ ୩ ଆଇଏଏସଙ୍କୁ ନିଯୁକ୍ତି ଦିଆଯାଇଥିଲା । ସଂପ୍ରତି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ୭ଜଣିଆ ଟିମ୍ ଉକ୍ତ ଜିଲାକୁ ପଠାଯାଇଛି । ସ୍ବାସ୍ଥ୍ୟ ନିର୍ଦେଶକଙ୍କ ନେତୃତ୍ବରେ ଗସ୍ତ କରିଥିବା ଏହି ଟିମ୍ରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଓ ଭାରତୀୟ ଭେଷଜ ଗବେଷଣା କେନ୍ଦ୍ରର ପ୍ରତିନିଧିମାନେ ସାମିଲ ରହିଛନ୍ତି। ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ମଧ୍ୟ ସ୍ଥାନୀୟ ପ୍ରଶାସନକୁ ସହାୟତା କରୁଛି ।
ସେହିପରି ଆଜି ଓଡ଼ିଶାକୁ ବିଭିନ୍ନ ଯାନବାହନରେ ୩୧୯୩ ଜଣ ପ୍ରବାସୀ ଫେରିଛନ୍ତି । ଏପର୍ଯ୍ୟନ୍ତ ସୁରତ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟରୁ ୫୫ହଜାର ୯୧୬ଜଣ ପ୍ରବାସୀ ଫେରିଲେଣି। ଏବେ ସୁରତ, ଆନ୍ଧ୍ରପ୍ରଦେଶ ପ୍ରଭୃତି ରାଜ୍ୟରୁ ୫ଟି ଟ୍ରେନରେ ପ୍ରବାସୀ ଆସୁଛନ୍ତି। ସୋମବାର ସେମାନେ ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କୁ ସଙ୍ଗରୋଧରେ ରଖାଯିବ।
ତେବେ ଏହି ପ୍ରବାସୀଙ୍କ ଲାଗି ୬୭୯୮ ପଞ୍ଚାୟତରେ ୧୪ହଜାର ୫୧୩ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଏଥିରେ ୫ଲକ୍ଷ ୮୧ହଜାର ୪୬୨ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।