banner
Breaking

ମାଟ୍ରିକ ପରୀକ୍ଷାରେ ଲାଗିଲା କଟକଣା। ଊଲଙ୍ଘନ କଲେ ଜେଲ

0

ଭୁବନେଶ୍ବର,୧୬/୨(ଓଡ଼ିଆ ନ୍ୟୁଜ) : ରବିବାର ଲୋକସେବା ଭବନରୁ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଭିଡିଓ କନଫରେନ୍ସିଂ ଯୋଗେ ସମସ୍ତ ଜିଲାପାଳ ଓ ଏସ୍‌ପିଙ୍କୁ ମାଟ୍ରିକ ପରୀକ୍ଷା ସୁପରିଚାଳନା ଓ ମୋବାଇଲ ବ୍ୟବହାର ଉପରେ କଡା ଆଭିମୁଖ୍ୟ ଗ୍ରହଣ ପାଇଁ ନିର୍ଦେଶ ଦେଇଛନ୍ତି। ଆଜି ମୁଖ୍ୟ ସଚିବ ମାଟ୍ରିକ୍ ପରୀକ୍ଷା ପରିଚାଳନା ପ୍ରସ୍ତୁତି ନେଇ ସମୀକ୍ଷା କରି ପ୍ରଶ୍ନପତ୍ର ଲିକ୍ ଓ କପିକୁ ଦୃଢ଼ ହସ୍ତରେ ପ୍ରତିହତ କରିବା ପାଇଁ କହିଥିଲେ। ପରୀକ୍ଷା ପରିଚାଳନା ଓ ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ୍‌ ଫୋନ୍ ମନା କରାଯାଇ ଥିଲେ ସୁଦ୍ଧା ଏହି ନିର୍ଦେଶନାମାର ଉଲ୍ଲଘଂନ ହେଉଥିବା ଦେଖାଯାଇଛି। ଫଳରେ ଚଳିତ ବର୍ଷ ମୋବାଇଲ୍‌ ଫୋନ୍ ବ୍ୟବହାର ଉପରେ ଲାଗିଥିବା ଅଙ୍କୁଶକୁ ଅଧିକ କଡ଼ାକଡ଼ି କରାଯାଇଛି। ପରୀକ୍ଷା କେନ୍ଦ୍ରରେ ପୁଲିସ ପଇଁତରା ବଢ଼ାଇବା, ଉତ୍ତେଜନାପ୍ରବଣ କେନ୍ଦ୍ରରେ ଅଧିକ ପୁଲିସ ଫୋର୍ସ ମୁତୟନ, ପରୀକ୍ଷା କେନ୍ଦ୍ର ଠାରୁ ଲୋକଙ୍କୁ ଦୂରେଇ ରଖିବା ପାଇଁ ବୈଠକରେ ଉପସ୍ଥିତ ଅତିରିକ୍ତ ପୁଲିସ ମହାନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଏସ୍‌ପି ମାନଙ୍କୁ ନିର୍ଦେଶ ଦେଇଥିଲେ। ସେହିପରି ପ୍ରଶ୍ନପତ୍ର ଓ ପରୀକ୍ଷା ସମ୍ପର୍କିତ କାଗଜପତ୍ର ପରିବହନ ସମୟରେ, ନୋଡ଼ାଲ କେନ୍ଦ୍ର ଓ ମୂଲ୍ୟାୟନ କେନ୍ଦ୍ରରେ ମଧ୍ୟ ସୁରକ୍ଷା ବଢ଼ାଇବା ପାଇଁ କୁହାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ୍ କହିଥିଲେ ଯେ ଉତ୍ତେଜନା ପ୍ରବଣ ପରୀକ୍ଷା କେନ୍ଦ୍ରକୁ ଚିହ୍ନଟ କରାଯାଇ ସେଠାରେ ସିସିଟିଭି ଲଗାଯାଇଛି। ଦୁଇଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ ହୋଇଯିବ। ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ସମସ୍ତ ଅଧିକାରୀ ଓ କେନ୍ଦ୍ର ନିରୀକ୍ଷକମାନଙ୍କୁ ନେଇ ଅନୁପ୍ରେରଣା ଶିବିର ଆୟୋଜିତ ହୋଇଛି। ଆସନ୍ତା ୧୯ରୁ ମାର୍ଚ୍ଚ ୨ ତାରିଖ ମଧ୍ୟରେ ଉଚ୍ଚବିଦ୍ୟାଳୟ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ। ଆସନ୍ତା ୧୯ ତାରିଖରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ମାର୍ଚ୍ଚ ୧୮ରୁ ଏପ୍ରିଲ୍ ୧୦ ତାରିଖ ମଧ୍ୟରେ ପରୀକ୍ଷା ଖାତା ମୂଲ୍ୟାୟନ ହେବ।
ଚଳିତ ବର୍ଷ ସମୁଦାୟ ୫,୬୦,୯୦୫ ଜଣ ମାଟ୍ରିକ୍ ପରୀକ୍ଷା ଦେଉଥିବା ବେଳେ ୫,୪୭,୭୬୧ ଜଣ ଉଚ୍ଚବିଦ୍ୟାଳୟ, ୯୭୭୧ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ୩୩୩୭ ଜଣ ମଧ୍ୟମା ପରୀକ୍ଷାର୍ଥୀ ଅଛନ୍ତି। ଏମାନଙ୍କ ପାଇଁ ୨୮୮୮ଟି ପରୀକ୍ଷା କେନ୍ଦ୍ର, ୩୦୭ଟି ନୋଡ଼ାଲ କେନ୍ଦ୍ର ଓ ୬୧ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ସେହିପରି ପ୍ରଶ୍ନପତ୍ର ପରିବହନ ପାଇଁ ବିଭାଗ ପକ୍ଷରୁ ୬୩୧ଟି ଡେସପାଚ୍ ଟିମ୍ ଗଠନ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଡେସପାଚ୍ ସରିଥିବା ବେଳେ ଆସନ୍ତା ୧୬ ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ଡେସପାଚ୍ ଆରମ୍ଭ ହେବ। ସେହିପରି ପରୀକ୍ଷା ଉପରେ ନଜର ରଖିବା ପାଇଁ ଜିଲାସ୍ତରରେ ୬୯ଟି ପ୍ଲାଇଂ ସ୍କ୍ବାଡ୍ ଓ ବୋର୍ଡ ସ୍ତରରେ ୪୪ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.