ପୁଣି ସୁପର ଓଭରରେ ଜିତିଲା ଭାରତ।

ନ୍ୟୁଜିଲାଣ୍ଡ  : ଭାରତ- ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ଟିକିଆ ଟ୍ବେଣ୍ଟି-୨୦ ସିରିଜରେ ପୁଣିଥରେ ଚତୁର୍ଥ ମ୍ୟାଚରେ ସୁପର ଓଭର ଦେଖିବାକୁ ମିଳିଥିଲା। ଏହି ସୁପର ଓଭରରେ ଭାରତ ବାଜିମାରିବାସହ  କ୍ରମାଗତ ୪ଟି ମ୍ୟାଚ ଜିତି ବିଜୟ ଧାରା ବଜାଇ ରଖିଛି। ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୩ ରନ କରିଥିଲା। ଯାହାକୁ ଭାରତ ହାସଲ କରିବା ସହିତ ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ଜିତି ନେଇଛି। ଏହି ବିଜୟ ସହିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭାରତ ୪-୦ରେ ଅଗ୍ରଣୀ ହାସଲ କରିଛିଭାରତ ପ୍ରଥମେ ବ୍ୟାଟିଂ କରି ୮ ଉଇକେଟ୍‌ ବିନିମୟରେ ୧୬୫ ରନ୍‌ କରିବାରେ ସକ୍ଷମ ହୋଇଥିଲା। ମଧ୍ୟକ୍ରମରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭାରତ ମନୀଷ ପାଣ୍ଡେଙ୍କ ଅର୍ଦ୍ଧଶତକ ଏବଂ କେ.ଏଲ. ରାହୁଲଙ୍କ ଧୂଆଁଧାର ୩୯ ରନ ବଳରେ ଏହି ସମ୍ମାନଜନକ ସ୍କୋର କରିବାରେ ସଫଳ ହୋଇଛି। ଶାର୍ଦୁଳ ଠାକୁର ଗୁରୁତ୍ଵପୂର୍ଣ୍ଣ ୨୦ ରନ୍‌ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଇସ୍‌ ଶୋଧି ୩ଟି, ହାମିଶ ବେନେଟ ୨ଟି ଏବଂ ଟିମ୍‌ ସାଉଦୀ, ସ୍କଟ୍‌ କୁଗେଲେଜିନ ଓ ସାଣ୍ଟନର ଗୋଟିଏ ଲେଖାଏ ଉଇକେଟ୍‌ ହାସଲ କରିଥିଲେ।

ଜବାବରେ ଘରୋଇ କିଓ୍ଵି କୋଲିନ ମୁନରୋ(୬୪) ଓ ଟିମ୍ ସେଇଫର୍ଟ(୫୭) ସହାୟତାରେ ୭ ଓ୍ଵିକେଟ୍ ବିନିମୟରେ ସମାନ ୧୬୫ ରନ କରିଥିଲା। ମ୍ୟାଚ୍ ଟାଇ ରହିବା ପରେ ସୁପର ଓଭରର ସହାୟତା ନିଆଯାଇଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ବୋଲିଂ କରିଥିଲେ ଏବଂ ନ୍ୟୁଜିଲାଣ୍ଡ ପକ୍ଷରୁ କୋଲିନ ମୁନରୋ ଓ ଟିମ ସେଇଫର୍ଟ ବ୍ୟାଟିଂ କରିଥିଲେ। ଉକ୍ତ ଓଭରରେ ଘରୋଇ ଦଳ ୧ ଓ୍ଵିକେଟ୍ ହରାଇ ୧୩ ରନ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲି ଲକ୍ଷ୍ୟ ହାସଲ କରି ନେଇଥିଲେ। ଲୋକେଶ ରାହୁଲ ପ୍ରଥମ ବଲ ଛକା, ଦ୍ଵିତୀୟ ବଲରେ ଚୌକା ମାରି ତୃତୀୟ ବଲରେ ଆଉଟ୍ ହୋଇଥିଲେ। ଚତୁର୍ଥ ବଲରେ କୋହଲି ଦୁଇ ରନ ଏବଂ ଚତୁର୍ଥ ବଲରେ ଚୌକା ମାରି ଭାରତକୁ ବିଜୟୀ କରାଇଥିଲେ।