ଭୁବନେଶ୍ୱର : ଜନସେବା, ଶ୍ରମିକ ଅଧିକାରର ସୁରକ୍ଷା, ପ୍ରଶାସନିକ ନେତୃତ୍ୱ ଏବଂ ସାମାଜିକ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରମେଶ ଚନ୍ଦ୍ର ସାହୁଙ୍କୁ ମସ୍କୋ ରିସର୍ଚ୍ଚ ୟୁନିଭର୍ସିଟି ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି।
ବିଶ୍ୱବିଦ୍ୟାଳୟର କାଉନସିଲ୍ ଅଫ୍ ସୋଭରେନ୍ ଇନଷ୍ଟିଚ୍ୟୁସନାଲ୍ ରିଭ୍ୟୁର ନିଷ୍ପତ୍ତି କ୍ରମେ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍, ଟ୍ରେଡ୍ ୟୁନିୟନ୍ ଲିଡରସିପ୍ ଏବଂ ସୋସିଆଲ୍ ୱେଲଫେୟାର କ୍ଷେତ୍ରରେ ତାଙ୍କର କାର୍ଯ୍ୟ ଓ ଅବଦାନକୁ ସ୍ୱୀକୃତି ଦେଇ ଆଜି ଭୁବନେଶ୍ୱରର ଏକ ତାରକା ହୋଟେଲ ଠାରେ ଅନୁଷ୍ଠିତ ବର୍ଣ୍ଣାଢ଼୍ୟ ଉତ୍ସବରେ ତାଙ୍କୁ ଏହି ଉପାଧି ପ୍ରଦାନ କରାଯାଇଥିଲା।
ଶ୍ରୀ ସାହୁ ନ୍ୟାସନାଲ୍ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ରେଲୱେମେନ୍ସ (NFIR) ମାଧ୍ୟମରେ ଶ୍ରମିକମାନଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ଦିଗରେ ନେତୃତ୍ୱ ନେଇ ଦୀର୍ଘ ଦିନ କାର୍ଯ୍ୟ କରି ଶ୍ରମିକ ମାନଙ୍କୁ ଉଚିତ୍ ନ୍ୟାୟ ଓ ସୁରକ୍ଷା ପ୍ରଦାନ କରୁଥିଲେ। ଜାତୀୟ ସ୍ତରରେ କର୍ମଚାରୀ ପ୍ରଶାସନ ସମ୍ପର୍କିତ ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିବା ସହିତ ସମାଜର ତୃଣମୂଳ ସ୍ତରରେ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟ କରି ଆସୁଥିଲେ। ବିଶେଷ କରି ଅସହାୟ, ନିଃସହାୟ ମାନଙ୍କୁ ନିଜର କରି ସାହାଯ୍ୟ , ସହଯୋଗ କରୁଥିଲେ।
ଏହି ସମ୍ମାନ ତାଙ୍କର ଦୀର୍ଘଦିନର ସାମାଜିକ ଓ ସାଙ୍ଗଠନିକ କାର୍ଯ୍ୟଧାରା ପାଇଁ ଏକ ଉଲ୍ଲେଖନୀୟ ସ୍ୱୀକୃତି ବୋଲି ବିବେଚିତ ହେଉଛି। ଏହି ଉପଲବ୍ଧି ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।




