୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟି

ଭୁବନେଶ୍ୱର,: ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ଓାର୍ଡରେ କାର୍ଯ୍ୟରତ ବିଏମସି ସଫେଇ କର୍ମଚାରୀ ମାନଙ୍କୁ ଏକ ନିଆରା ଢଙ୍ଗରେ ପୂଜାଭେଟି ଦେଇଛନ୍ତି କର୍ପୋରେଟର ଜୟନ୍ତୀ ସାହୁ । ଆଜି ୧୨ ନମ୍ବର ୱାର୍ଡ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ସମସ୍ତ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ନୂତନ ବସ୍ତ୍ର ଓ ମିଠା ପ୍ୟାକେଟ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଥିଲେ ଭୁବନେଶ୍ୱରକୁ ସ୍ୱଚ୍ଛ ସୁନ୍ଦର ରଖିବାରେ ବିଏମସି ସଫେଇ କର୍ମଚାରୀଙ୍କ ଭୂମିକା ଅତୁଳନୀୟ । ଖରା, ବର୍ଷା, ଶୀତ, କାକରକୁ ଖାତିରି ନକରି କିମ୍ବା କରୋନା ଭଳି ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକ ମାନଙ୍କୁ ସେବା ଯୋଗାଇ ଦେଉଥିବା ସଫେଇ କର୍ମଚାରୀ ହେଉଛନ୍ତି ପ୍ରକୃତ ସମାଜସେବୀ । ସମ୍ମାନିତ ଅତିଥି ଭାବେ ମେୟର ସୁଲୋଚନା ଦାସ, ଯୋଗଦେଇ କର୍ପୋରେଟରଙ୍କର ଏଭଳି ନିଆରା ପଦକ୍ଷେପକୁ ପ୍ରଶଂସା କରିବା ସହିତ କହିଥିଲେ ଆଗାମୀ ଦିନରେ ଏହି ସମ୍ବର୍ଦ୍ଧନା ଆମ କର୍ମଚାରୀ ମାନଙ୍କୁ ଅଧିକ କାମ କରିବା ପାଇଁ ପ୍ରେରଣା ଯୋଗାଇବ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ମୁରବୀ ଜନକର ସାହୁ, କର୍ପୋରେଟର ଜୟନ୍ତୀ ସାହୁ, ବିଏମସି ସହକାରୀ କମିଶନର ବାବୁଲା ଦଳେଇ,ଉତ୍ତର ଜୋନର ଡେପୁଟି କମିଶନର ମନ୍ମଥ କୁମାର ନାୟକ, ନିର୍ବାହୀ ଯନ୍ତ୍ରୀ ମନୋଜ ମହାପାତ୍ର, ସହକାରୀ ଯନ୍ତ୍ରୀ ଶ୍ରୀକାନ୍ତ ଆଚାର୍ଯ୍ୟ, ଓାର୍ଡ ଅଧିକାରୀ ଅରୁଣ କୁମାର ସାହୁ, ସାନିଟାରୀ ଇନ୍ସପେକ୍ଟର ପୂର୍ଣ୍ଣ୍ୟଶୋଳ୍କ ଶତପଥୀ, ଯୁବନେତା ପ୍ରଶନ୍ନ କୁମାର ସାହୁ ପ୍ରମୁଖ ଯୋଗଦେଇ ସଫେଇ କର୍ମଚାରୀଙ୍କୁ ଶାଢୀ, ପ୍ୟାଣ୍ଟସାର୍ଟ କପଡା ଓ ମିଠା ପ୍ୟାକେଟ ବଣ୍ଟନ କରିଥିଲେ । ଏହି ଅବସରରେ ସମାଜ ସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପ୍ରତିଷ୍ଠିତ ସମାଜସେବୀ ଓ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ଆଇନଜୀବୀ ସମରେନ୍ଦ୍ର ସାହୁ ସଭାପତିତ୍ୱ କରିଥିବା ବେଳେ ବାବୁ ଭାଇ ଟିମର ସଦସ୍ୟମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ସୁପରଭାରଜର ଓ ସ୍ୱଚ୍ଛ ସାଥୀମାନେ ଉପସ୍ଥିତ ଥିଲେ ।